ମୋର ଏକ ସାଧାରଣ ଅପରେସନ୍ ହେବା ଜରୁରୀ ହେଲା। କିନ୍ତୁ ଅପରେସନ୍ ପାଇଁ ଆବଶ୍ୟକ ଟଙ୍କା ନଥିଲା କି ଚିନ୍ତା ବି ନଥିଲା। କାରଣ ଯୋଗକ୍ଷେମ ବହନ କଲାବାଲା ତ ଜଣେ। ଚିନ୍ତା ସେ କରନ୍ତୁ। ମୁଁ କାହିଁକି କରିବି। ସେ କିନ୍ତୁ ଉପଯୁକ୍ତ ସ୍ଥାନକାଳ ପାତ୍ରର ସମ୍ବନ୍ଧ କରାଇଲେ। ଅପରେସନ୍ ଟି ସମ୍ପୂର୍ଣ୍ଣ ମାଗଣା ହେଲା ବୋଲି କହିବାକୁ ହେବ। ମୁଁ ରୋଗୀ ମାନଙ୍କ ସହିତ କିପରି ରହିବି ଏହି ଚିନ୍ତାରେ ଥିଲି। କିନ୍ତୁ ଏକଦମ VIP Private ରହିବା ବ୍ୟବସ୍ଥା ହୋଇ ଗଲା। ମୋତେ ନଗଣ୍ୟ ଆନୁଷଙ୍ଗିକ ଖର୍ଚ୍ଚ ମାତ୍ର କରିବାକୁ ପଡିଲା। ତାହାର ବ୍ୟବସ୍ଥା ମଧ୍ୟ ସେ ହିଁ କରିଛନ୍ତି। ଯେଉଁମାନେ ସହଯୋଗୀ ସେମାନେ ତାଙ୍କ କୃପାପାତ୍ର। ଯିଏ କୌଣସି ସହଯୋଗ କରି ପାରି ନାହାନ୍ତି ସେମାନେ ମଧ୍ୟ ତାଙ୍କ କୃପାପାତ୍ର।
ତେବେ ବକ୍ତବ୍ୟ ସନ୍ଦର୍ଭ ଟି ଭିନ୍ନ। ଅପରେସନ୍ ପାଇଁ anaesthesia ଦିଆ ଯିବ। ମୋ ନିକଟରେ anesthesiologists ଆସି ଠିଆ ହେଲେ। କିନ୍ତୁ ମୁଁ ତାଙ୍କ ଦେହରେ ସାକ୍ଷତ୍ ମହାକାଳୀଙ୍କୁ ଦେଖୁଥିଲି। ମୁଁ ଜାଣିଲି ଯେ କିଛିସମୟ ଭିତରେ ମୁଁ ବେହୋସ ହୋଇ ଯିବି। ଭାବିଲି ଘୋର ଅଜ୍ଞାନ ମୂର୍ଚ୍ଛା ଅବସ୍ଥାରେ ଯଦି ପ୍ରାଣ ଅତିକ୍ରମଣ କରେ ତେବେ ଆତ୍ମାର ଗତି କଣ ହେବ? ମନର ନିରନ୍ତର ସଂକଳ୍ପ ବିକଳ୍ପର ତୁରନ୍ତ ଅବସାନର ଏକ ମାତ୍ର ମାଧ୍ୟମ ଜପ ହିଁ ଥିଲା। ମୁଁ ଜପ ପ୍ରାରମ୍ଭ କରି ଦେଲି। ଏହି ଭିତରେ ମୁଁ ବେହୋସ ହୋଇ ଥିବା ଜାଣିବା ପରେ ଡାକ୍ତର ଅପରେସନ୍ କରି ଥିବେ। ମୁଁ ପ୍ରକୃତିସ୍ଥ ହେବା ବେଳକୁ ସାଢ଼େ ୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇ ଥିଲା। ପ୍ରଥମ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରି ମୋତେ painkiller ଦେବା ପାଇଁ କହିଲି। painkiller ନେବା ପରେ କିଛି ଆରମ୍ ଲାଗିଲା। ଏହା ପରେ ମୁଁ ମୋ ପୂର୍ବାବସ୍ଥାକୁ ମନେ ପକେଇବା ପାଇଁ ଚେଷ୍ଟା କଲି। ମୁଁ ବେହୋସ ହେବା ପୂର୍ବରୁ ଡାକ୍ତର ମାନଙ୍କ ଚର୍ଚ୍ଚା ମୋର ମନେ ପଡ଼ିଲା। ମୋ ECG report ନେଇ କିଛି ଚିନ୍ତା ଥିଲା। କିନ୍ତୁ ମୁଁ କହିଥିଲି ଯେ ଏହା BP ର fluctuation ପାଇଁ ହିଁ ଅଟେ। ମୋ heart ର କୌଣସି ସମସ୍ୟା ନାହିଁ । ଆପଣ ନିର୍ଭୟରେ anesthesia ଦିଅନ୍ତୁ।
କିନ୍ତୁ ବେହୋସ ହେବା ପରେ ମୋ ଚେତନା ଅନ୍ଧକାର ଗର୍ଭରେ ନଥିଲା। ମୁଁ ନିଜକୁ ଏକ ଅଲୌକିକ ବାତାବରଣରେ ଅନୁଭବ କଲି। ତାହା ସେହି 'ପିତୃଲୋକ' ଯେଉଁ ବିଷୟରେ ମୁଁ ପୂର୍ବରୁ ସଙ୍କେତିତ କରିଛି। ମନର ପ୍ରବଳ ଆଧ୍ୟାତ୍ମିକ ସାତ୍ତ୍ଵିକ ସଂସ୍କାର ମୂର୍ଚ୍ଛା ରେ ମଧ୍ୟ ଭିନ୍ନ ପରିଣାମ ଦିଏ। ଏହା ମଧ୍ୟରେ ମୁଁ ମହାକାଳୀଙ୍କ ଅନୁଗ୍ରହ ପ୍ରକର୍ଷର ପ୍ରତ୍ୟକ୍ଷ ଅନୁଭବ ମଧ୍ୟ ପାଇ ଥିଲି। ଏହାର ବୈଜ୍ଞାନିକ ପରିପ୍ରେକ୍ଷା ଉପରେ କିଛି ଅଧ୍ୟୟନ କରୁଛି। ଲେଖି ପଠେଇ ଦେବି।