ମୁଁ ଆଧ୍ୟାତ୍ମିକ ଅନୁଭବର ଏକ ଭୂମିରେ ପିତୃଲୋକର ସାକ୍ଷାତ୍କାର କଲି । ପିତୃଲୋକର ଏହି ଭୂମିକୁ 'ଚନ୍ଦ୍ରଲୋକ' ଏବଂ ଏହାର ଗତିକୁ 'ଚାନ୍ଦ୍ରାୟଣ ମାର୍ଗ' କାହିଁକି କୁହାଯାଏ ତାହା ସେତେବେଳେ ବୁଝିପାରିଲି । ଏହି ଲୋକର ଆକୃତି ଗୋଲାକାର । ଏହାର ଗୋଲାକାରତା ହିଁ ପୁନରାବୃତ୍ତିର ଦ୍ୟୋତକ । ବୃତ୍ତର ପ୍ରତ୍ୟେକ ଅନ୍ତିମ ବିନ୍ଦୁ ତାହାର ଆରମ୍ଭ ବିନ୍ଦୁ ମଧ୍ୟ ହୋଇଥାଏ । ଜନ୍ମ, କର୍ମ, ମୃତ୍ୟୁ ଏବଂ ପୁନର୍ଜନ୍ମ ସବୁ କିଛି Cyclic Process । କର୍ମକାଣ୍ଡ ଏବଂ ବ୍ରହ୍ମାଣ୍ଡୀୟ ବିଜ୍ଞାନରେ 'ମଣ୍ଡଳ' ଶବ୍ଦର ପ୍ରାଧାନ୍ୟ ରହିଛି । ଏହି ମଣ୍ଡଳାକାର ପିତୃଲୋକ ବାହାର ପାର୍ଶ୍ୱରୁ ଏକ ସ୍ଥିର ଉଜ୍ଜ୍ୱଳ ନୀଳ-ଆଲୋକ-ବେଷ୍ଟନୀ ଦ୍ୱାରା ଘେରି ରହିଛି । ତାହା ଭିତର ପାର୍ଶ୍ୱରୁ ଠିକ୍ କଳଙ୍କ ଯୁକ୍ତ ଚନ୍ଦ୍ର ପରି । କିନ୍ତୁ ଏହାର ଉଜ୍ଜ୍ୱଳତା କ୍ଷୀଣ । ଏଠାରେ ଅନୁଜ୍ଜ୍ୱଳ କଳା ଏବଂ ଅନୁଜ୍ଜ୍ୱଳ ହାଲୁକା ହରିଦ୍ରାଭ ରଙ୍ଗର ଛିଟା ହିଁ ବ୍ୟାପିଛି । ଏହା ସବୁ ଅଧିକ ଭାବେ ସାଙ୍କେତିକ । ଏଠାରେ ନିଜ ପିତର ମାନଙ୍କର ବ୍ୟକ୍ତିଗତ ସାକ୍ଷାତକାର ହୁଏ ନାହିଁ । ତେଣୁ ନିଜ ପିତର ମାନଙ୍କର ଆକାର, ପ୍ରକାର ଏବଂ ସ୍ୱଭାବର କୌଣସି special pattern ଏହି ପିତୃଲୋକ ଜ୍ଞାନରେ ସୃଷ୍ଟି ହୁଏ ନାହିଁ । ଏକୋଦ୍ଦିଷ୍ଟ ଶ୍ରାଦ୍ଧ ବ୍ୟତୀତ ଅନ୍ୟ ସମସ୍ତ ଶ୍ରାଦ୍ଧ ଅମନ୍ତ୍ରକ ହୋଇଥାନ୍ତି । କେବଳ ପିତା ଓ ପିତାମହ ପ୍ରଭୃତିଙ୍କୁ ଚତୁର୍ଥୀ ବିଭକ୍ତ୍ୟନ୍ତ ପଦରେ ନାମ ମାତ୍ରରେ କବ୍ୟ ପ୍ରଦାନ କରାଯାଏ । ପିତୃମାନଙ୍କର କବ୍ୟ ସିଧା ପିତୃଦେବତାମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦ୍ୱାରା ଯଥାଭାଗ ବଣ୍ଟନ ହୋଇଯାଏ । ପ୍ରେତଲୋକ ଠାରୁ ଏହି ପିତୃଲୋକ ଭିନ୍ନ । କାରଣ ପ୍ରେତମାନଙ୍କର ବ୍ୟକ୍ତିଗତ ସାକ୍ଷାତକାର ସମ୍ଭବ ହୁଏ । ଏହାର ବାହାର ପାର୍ଶ୍ୱରେ ଯେଉଁ ନୀଳ ଉଜ୍ଜ୍ୱଳ ଆଲୋକର ଘେରା ଅଛି ତାହା ଏହି ଲୋକର ଅର୍ୟମା, ଅଗ୍ନିଷ୍ୱାତ୍ତ ଆଦି ପିତୃଦେବତାମାନଙ୍କର ଦିବ୍ୟତା ଏବଂ କର୍ମବ୍ୟବସ୍ଥାର ନିଷ୍ପକ୍ଷତାର ହିଁ ଦୈବତ୍ୟ ଅଟେ । ଏହି ଉଜ୍ଜ୍ୱଳତା ଏହି ଲୋକର ଅଧିଷ୍ଠାତୃ-ଦେବତ୍ୱ ମାତ୍ର । ଆତ୍ମଜ୍ଞାନର ଔଜଲ୍ୟ ନୁହେଁ । ଏଠାରେ ଆତ୍ମାର ଅସଙ୍ଗତ୍ତ୍ୱ ଆଦି ଯାଥାତ୍ମ୍ୟ ତିରୋହିତ ରହିଥାଏ । ଏହା ବିବେକ-କୁଣ୍ଠିତ ଭୋଗଭୂମି । ଭିତରେ ଯେଉଁ ହାଲୁକା ପୀତବର୍ଣ୍ଣର ଛିଟା ଅଛି ସେଗୁଡ଼ିକ ଶୁଭକର୍ମର ପରିଣାମର ସଙ୍କେତ । ଏବଂ ଯେଉଁ ଅନୁଜ୍ଜ୍ୱଳ କଳା ରଙ୍ଗର ଛିଟା ଅଛି ସେଗୁଡ଼ିକ ଅଶୁଭ କର୍ମର ପରିଣାମର ସଙ୍କେତ । ସେଠାରେ କୌଣସି ଚଳନ, କମ୍ପନ, କ୍ଷୋଭଣ, ସଙ୍କ୍ରମଣ, ଅତିକ୍ରମଣ ବା ଗତି ଦେଖାଯାଏ ନାହିଁ । ଏଠାରେ ଏକ ପ୍ରକାରର ମର୍ତ୍ତ୍ୟଭୂମିର ଅସ୍ଥିରତାର ଏକ କାଳିକ ଅବସାନ ରୂପ ଶାନ୍ତି ମଧ୍ୟ ଅଛି। ପ୍ରେତଲୋକର ଅସ୍ଥିରତା ଓ ବିସଙ୍ଗତି ନାହିଁ । ଏବଂ ଏଥିରୁ ଏହା ମଧ୍ୟ ପ୍ରତୀତ ହୁଏ ଯେ ନିୟତ କର୍ମଫଳରେ କୌଣସି ବ୍ୟଭିଚାର ନାହିଁ । ପ୍ରତ୍ୟେକ କର୍ମର ପରିଣାମ ସ୍ୱତନ୍ତ୍ର ରୂପରେ ବାଧ୍ୟତାପୂର୍ବକ ଭୋକ୍ତବ୍ୟ ଅଟେ।
ଏହା ମାନସିକ କଳ୍ପନା ପ୍ରବାହର କୌଣସି ଅନ୍ତର୍ଦଶା ନୁହେଁ । ଏହି ଅନୁଭବରେ ଦ୍ରଷ୍ଟାର ଅହମ୍-ଭୂମିର କୌଣସି ଖେଳ ନଥିଲା । ଏହା ଅପୂର୍ବାନୁଭୂତ ସାକ୍ଷୀବିଷୟ ଥିଲା । ସମୟ କଥା କହିଲେ ଏହା ଏକ କ୍ଷଣର ଅନୁଭବ ଥିଲା କିନ୍ତୁ ଘଣ୍ଟାରେ ସାଢ଼େ ଚାରି ଘଣ୍ଟା ବିତିଯାଇଥିଲା ।