ଅନ୍ଧ ଓ କବନ୍ଧଙ୍କର ଯୁଦ୍ଧ
ଶାନ୍ତ-ସନ୍ଥଙ୍କର କଣ୍ଠେ କ୍ରୋଧ।
ଜାବୁଡି ଭିଡୁଛି ଯମ ଶେଷ-ପାଶ।
ତଥାପି ତୁଣ୍ଡରେ ଅପରାଧ।।୧
ରାମଭଦ୍ର ନାମେ କେ ଅଭଦ୍ର
ଦାଣ୍ଡରେ ଦରାଣ୍ଡେ ପରଛିଦ୍ର।
ସଂସ୍କୃତଜ୍ଞ ଅସଂସ୍କୃତ-ଚରିତ୍ର ଏ,
ଧନ-ମାନ-ପୂର୍ଣ୍ଣ ସୁଦରିଦ୍ର।।୨
ଉଭୟ ଉଭୟଙ୍କର ଗୁରୁ
ଏକକୁ ଆରେକ ମହାମେରୁ।
ଅରକ୍ଷିତ ବୁଭୁକ୍ଷିତଙ୍କ ଚରିତ
'ଗଣମାଧ୍ୟମ' ହିଁ ଗାନ କରୁ।।୩
ଜଣେ ଅନ୍ଧ ଜଣେ କ୍ଷୟରୋଗୀ
ନାମରେ ଏମାନେ ବୀତରାଗୀ।
ଯେଉଁ ପାପ ପାଇଁ ଏ ଚୀର-ପୀଡିତ
ସେ ପାପେ ଭକ୍ତ ବି ସମଭାଗୀ।।୪
ଅନ୍ଧାରଚର ଓ ଅନ୍ଧଙ୍କର
ପ୍ରତିସ୍ପର୍ଦ୍ଧା ଦେଖୁଛନ୍ତି ନର।
ଛାୟାର ପ୍ରଭାବେ ବିବେକ ଆଚ୍ଛନ୍ନ
ଶବ୍ଦ କରେ ସତ୍ୟ-ତିରସ୍କାର।।୫
ଅବଧୂତ ଦେଖି ଦେଖେ ନାହିଁ
ଭାବରେ ଅଭାବ ସତ୍ତା କାହିଁ।
କାହିଁ ବନ୍ଧ୍ୟାସୁତ ମାନେ ଧାଇଁଛନ୍ତି
ଆକାଶ-କୁସୁମ-ଲାଭ-ପାଇଁ।।୬