ତାଲିମ ବିନା ଜାଲିମ ସବୁ
ଏ ମଜହବୀ ଲୋକ।
କେବଳ ଭେଷ ସଜେଇ ଦିଏ
ଚିର-ଉଦର-ଭୋକ।।୧
ବିନିଯୋଜକ-ପ୍ରମାଣ ବିନା
ବୁଲୁଛି ମନ୍ତ୍ର ହାଟେ।
ବାରିକ ଖୁର ଘାଟରେ ଥାଇ
ନାବ ଦଉଡି କାଟେ।।୨
ପାର୍ଷଦ ମୁଖ୍ୟ ସିଂହାସନରେ,
ମୁଖ୍ୟ-ଦେବତା ତଳେ।
ବିଦୁଷକର ମୋହକ-ବାଣୀ
ଶ୍ରାବକ-ମତି ଟାଳେ।।୩
ଯଜ୍ଞରେ ଶଠ ରଚେ କପଟ
ତପସ୍ୱୀ ଯାଏ ଦୂରେ।
ଯଜ୍ଞର ଶେଷେ ନରକ-ଦୂତ
ଯାଜକେ ହାତ ଠାରେ।।୪
କାଞ୍ଚନ ଧରି କାମିନୀ ପଛେ
ଧାଉଁଛି ଯତିବୃତ୍ତ।
ହୀନ-ଆଧାର ନିମିତ୍ତ-ଚର
ଏ କି ଖଣ୍ଡିଆ-ଭୂତ।।୫
ଏହାର ଅନ୍ତ ନଜାଣୁ କେହି
ଅବଧୂତ ହିଁ ଜାଣେ।
ଶବ୍ଦ-କୁଠାରେ ଠାର-ପ୍ରହାର
ପାଖଣ୍ଡ ମୁଣ୍ଡ ହାଣେ।।୬