ପାଞ୍ଚତତ୍ତ୍ୱେ ପାଞ୍ଚଲକ୍ଷ ଶାସ୍ତ୍ର ଅଛି।
ଶୁନ୍ୟ-ପୋଥି ଶେଷ-ମୁଖେ।
ନିବାତ-ଗୃହରେ ବ୍ରହ୍ମ-ବେଦ ଥାଏ
ପଥ ନଦିଶଇ ଲୋକେ। ।୧
ଚାରିବର୍ଗ ଛାଡି ତ୍ରିମାତ୍ରାକୁ ଫେଡ଼ି
ଅର୍ଦ୍ଧମାତ୍ରାରେ ରହିବୁ।
ବିଶ୍ରାମ ସରିଲେ ଅମାତ୍ର ପାତ୍ରରେ
ଅଗଣିତକୁ ଗଣିବୁ।।୨
ଛୁଇଁଲେ-ଅମାତ୍ରା ଶେଷହୁଏ ଯାତ୍ରା
ଦୂର ହୁଏ ଭୋକ-ଶୋଷ।
ଏକ କାଳେ ଦେଖି ଉଦୟ ଅସ୍ତକୁ
ଦୂର ହେବ ଦୃଷ୍ଟି ଦୋଷ।।୩
ଶବ୍ଦେ ନାନା ଭେଦ, ନାଦାନ୍ତେ ଅଭେଦ
ତତ୍ତ୍ବେ ଭେଦାଭେଦ ନାହିଁ।
ଥାଇ ପୂର୍ଣ୍ଣ-ଶଷ୍ୟ ଏ ପଶୁ ଅବଶ୍ୟ
କିଞ୍ଚିତ ଚରିବେ ନାହିଁ।।୪
ଅପଢ଼ା ମନ୍ତ୍ରର ଅଗଢା ଦେବତା
ପ୍ରୀତି-ପାଟ-ଡୋରେ ବନ୍ଧା।
ଶୂନ୍ୟେ ଦଶ-ଦ୍ୱାର ପହୁଡ଼ ଭିତରେ
ଅମନ ଅବଢ଼ା ରନ୍ଧା।।୫
ହିସାବ ନଥାଏ, ଦେବା ନେବା ହୁଏ
ବିଷୟ ଅନଭିକ୍ଲୃପ୍ତ।
ଦାତାର ଭଣ୍ଡାର ସର୍ବଦା ଅକ୍ଷତ
ନେବା-ଜନ ପରିତୃପ୍ତ।।୬
ପଞ୍ଚସଖା-ମୁଖ-କ୍ଷରିତ-ତତ୍ତ୍ୱ ହିଁ
ସଙ୍କେତିତ ଅଳ୍ପାକ୍ଷରେ
କରିଲେ ସଂକେତ ଯେଣୁ ଅବଧୂତ
ଘେନିବେ ବିଜ୍ଞାନୀ ନରେ।।୬