ଓଲଟ ବୃକ୍ଷ

ଅଧ୍ୟାତ୍ମ ସାହିତ୍ୟରେ ମନୁଷ୍ୟ ଶରୀରକୁ ଓଲଟ ବୃକ୍ଷ ଭାବରେ ଉପମିତ କରାଯାଇଛି। ଏହାକୁ ଜୀବବିଜ୍ଞାନ ଦୃଷ୍ଟିରେ କିପରି ସାମ୍ବାଦିତ କରିବା?

ସମସ୍ତ ବୃକ୍ଷ ଚେର ଦ୍ୱାରା ଖାଦ୍ୟ ସଂଗ୍ରହ କରି ଥାନ୍ତି। ସେହି ଚେର ଗୁଡିକ ବୃକ୍ଷର ତଳ ଆଡ଼କୁ ଥାଏ । ବୃକ୍ଷ କ୍ରମଶଃ ସେହି ଖାଦ୍ୟ କୁ ଉପରକୁ ନେଇ ସମସ୍ତ ବୃକ୍ଷ-ଅବୟବର ପୋଷଣ କରି ଥାଏ । କିନ୍ତୁ ମନୁଷ୍ୟ କ୍ଷେତ୍ରରେ ଜୀବନର ଆଧାର ହେଲା ଅମ୍ଳଜାନ ଯାହା ସେ ଶ୍ୱାସକ୍ତିୟା ମାଧ୍ୟମରେ ନେଇ ଥାଏ। ଏହି ଶ୍ୱାସକ୍ରିୟା ଉପରୁ ନସିକା ଠାରୁ ଆରମ୍ଭ ହୁଏ ଓ କ୍ରମଶଃ ବିଭିନ୍ନ ମାଧ୍ୟମଦେଇ ରକ୍ତ ଦ୍ୱାରା ଶରୀରରେ ସର୍ବତ୍ର ଅମ୍ଳଜାନକୁ ପହଞ୍ଚାଇ ଥାଏ। ତେଣୁ ମନୁଷ୍ୟ ଶରୀର ଏକ ଓଲଟା ବୃକ୍ଷ ସଦୃଶ। ମନୁଷ୍ୟ ଠାରେ ଶ୍ୱାସର ଗତି ନିମ୍ନୋକ୍ତ ଅଟେ। ଶ୍ୱସନ ପ୍ରକ୍ରିୟାରେ ବାୟୁ ପ୍ରଥମେ ନାସିକା ଓ ମୁଖ ଦ୍ୱାର ଦେଇ କ୍ରମଶଃ ଗ୍ରସନୀ, ଶ୍ୱାସନଳିକା, ଫୁସଫୁସ, ଇତ୍ୟାଦି ଦ୍ୱାରା ରକ୍ତ ପର୍ଯ୍ୟନ୍ତ ପହଞ୍ଚେ ଓ ରକ୍ତ ଶ୍ୱାସବାୟୁର ଅମ୍ଳଜାନକୁ ସମ୍ପୂର୍ଣ୍ଣ ଶରୀରରେ ପହଞ୍ଚାଇ ଥାଏ।

ଅମ୍ଳଜାନ ରକ୍ତରେ ମିଶିବା ପରେ, ଏହା ହୃଦୟ ଦ୍ୱାରା ଶରୀରର ସମସ୍ତ କୋଷକୁ ପହଞ୍ଚାଏ, ଯେଉଁଥିରେ ଏହା ଜୈବକୋଷୀୟ ଶ୍ୱାସକ୍ରିୟା (cellular respiration) ମାଧ୍ୟମରେ ଶକ୍ତି (ATP) ଉତ୍ପାଦନ କରିଥାଏ। ଏହା ଶରୀରର ବିଭିନ୍ନ କାର୍ଯ୍ୟ, ଯଥା ଚଳନ, ପାଚନ, ଓ ମସ୍ତିଷ୍କ କାର୍ଯ୍ୟକ୍ଷମତା, ଲାଗି ଆବଶ୍ୟକ। ଅମ୍ଳଜାନର ଅଭାବ (hypoxemia) ମସ୍ତିଷ୍କ ଓ ହୃଦୟକୁ ଗୁରୁତ୍ୱପୂର୍ଣ୍ଣ କ୍ଷତି ପହଞ୍ଚାଇ ପାରେ। ଅମ୍ଳଜାନ ଉପଯୋଗର ହାର ଶରୀରର ଶକ୍ତି ବ୍ୟବହାରର ନିରୂପଣ କରିଥାଏ, ଯାହା ମାଂସପେଶୀର କୋଷଗୁଡ଼ିକ ଲାଗି ବିଶେଷ ଗୁରୁତ୍ୱପୂର୍ଣ୍ଣ। ଏହା ଫୁସ୍ଫୁସ, ରକ୍ତର ଅମ୍ଳଜାନ ବହନ କ୍ଷମତା ଓ ରକ୍ତ ପ୍ରବାହନ ଉପରେ ନିର୍ଭର କରିଥାଏ।

ତେବେ ପ୍ରାଣାୟାମ ପରିପ୍ରେକ୍ଷାରେ ଏହାକୁ ଆମେ ପୃଥକ ଭାବରେ ବିବେଚନା କରିବା। ଉପଯୁକ୍ତ ପ୍ରଣାୟାମ ଦ୍ୱାରା ଅନେକ ଶରୀରତାତ୍ତ୍ଵିକ ଉତ୍ପରିବର୍ତ୍ତନ ହୋଇ ଥାଏ। ଏହା ଦ୍ୱାରା ଶରୀରରେ ଅଧିକ ଅମ୍ଳଜାନ ପହଞ୍ଚେ। ମସ୍ତିଷ୍କକୁ ଅଧିକ ଅମ୍ଳଜାନ ମିଳେ। ଫୁସଫୁସ ଅଧିକ ସ୍ଵସ୍ଥ ଓ ସକ୍ରିୟ ହୁଏ। ଏହା ସତ୍ତ୍ୱେ ଆଧ୍ୟାତ୍ମିକ ବିକାଶ ପାଇଁ ନାଡୀ ମାର୍ଗ ଗୁଡିକ ଉନ୍ମୁକ୍ତ ହୋଇ ଥାନ୍ତି। ପ୍ରଣାୟାମରେ କୁମ୍ଭକର ମହତ୍ତ୍ୱ ଅଧିକ। ତେଣୁ ଶରୀରକୁ ଓଲଟ ବୃକ୍ଷ ସହିତ ଉପମିତ କରିବାର ଏକ ବିଶେଷ ଅଭିପ୍ରାୟ ରହିଛି।