ଗୋବିନ୍ଦ-ପଦ-ସମ୍ପଦ

ଭଜ ନିରନ୍ତର ଗୋବିନ୍ଦ ପୟର
ଜ୍ଞାନ-ଅଭିମାନ ତେଜି।
ଶମନାଗମନ-କାଳେ ବଳହୀନ
ଅଭିଧାନ-ଶବ୍ଦ-ରାଜି।।୧

ଧନେ ନିରନ୍ତର ବ୍ୟାପୃତ୍ତ ଯେ ଚିତ୍ତ
ନିବୃତ୍ତି କାହିଁ ତାହାର।
ଆହବନୀୟର ଶମନେ କେହି କି
ଢାଳିଚାଲେ ଘୃତଧାର।।୨

ସ୍ୱକର୍ମ-ପ୍ରାକ୍ରମ-ସିଦ୍ଧ-ଲବ୍ଧ-ଧନ
ପ୍ରାଶନ୍ନେ ତୃପ୍ତି ସମ୍ପାଦ।
ବାସନା ବୀଜରୁ କର୍ମର ସନ୍ତତି
ଅତୃପ୍ତି ଅତି ପ୍ରମାଦ।।୩

ପୀନୋନ୍ନତ-ସ୍ତନ ଗଭୀର ନାଭିରେ
ନେତ୍ରେ ହୁଅନ୍ତେ ମିଳିତ।
ନାରୀବଶ ନର ବିବେକର ଦ୍ୱାର
ତୁରନ୍ତ ହୁଏ କିଳିତ।।୪

କେବେ କି ବିବେକୀ ରମଣ କରନ୍ତି
ମାଂସ-ବସା-ଶୋଣିତରେ।
ଶବ୍ଦବାଣ-ଟାଣ କରି ଅପ୍ରମାଣ
ନେତ୍ର ନାରୀ ଗାତ୍ରେ ଚରେ।।୫

ଦେଖୁଥାଏ ନେତ୍ର ଅପବିତ୍ର ଗାତ୍ର
ତଥାପି ସେଥିରେ ମନ।
କେବଳ ବିବେକୀ କେହି କରିପାରେ
ମନୋଗତି-ପ୍ରଶମନ।।୬

କମଳଦଳରେ ଜଳତରଳତା
ପରି ଜୀବନ ଚପଳ।
ରାଜୀବ-ରାଜିତ-ଜୀବନ କାଳ ବି
ମାନବେ ନୁହେଁ ସଫଳ।।୭

ବ୍ୟାଧିଗଣେ ସିଦ୍ଧି ପଣେ ଅହଙ୍କାର
ନାନା ଦେହ ଧରି ଚରେ।
କଳ୍ପାନ୍ତ-କାଳକୁ କୃତାନ୍ତକ ପାଇଁ
ଅଳ୍ପ ମଣିଥାନ୍ତି ଧୀରେ।।୮

ପରିବାରେ ପୂଜ୍ୟ ବିତ୍ତର-ପ୍ରାଚୁର୍ଯ୍ୟ
ଆଦାନେ ଯେ ସିଦ୍ଧହସ୍ତ।
ପରେ ଜରାଜର୍ଜରିତ ଦେହଧରି
ପରିବାରପରିତ୍ୟକ୍ତ।।୯

କୌଶଳେ ସେ ବିତ୍ତ ଭୋଗ କଲେ ଯିଏ,
କୁଶଳ-ବୁଝିବା ପାଇଁ।
କେବେ ନ ଆସନ୍ତି; ପୀଡିତର ନେତ୍ର
ମାତ୍ର ରହିଥାଏ ଚାହିଁ।।୧୦

ଦେହେ ପ୍ରବାହିତ ଥିବା ଯାଏ ବାୟୁ
କୁଶଳ ପଚାରେ କେହି।
ବାୟୁହୀନ କାୟା ଦେଖି ନିଜ ଜାୟା
ଭୟରେ ହିଁ ଛୁଏଁ ନାହିଁ।।୧୧

ବାଳକକାଳରେ ଖେଳ ଅଭିରତି,
ତରୁଣ ତରୁଣୀରକ୍ତ।
ଅପରିମିତ ଚିନ୍ତାରେ ନିପତିତ
ପରିଣତ-ବୟୋଗତ।।୧୨

କାଳବଳେ ରତି ଧରେ ନାନା ଗତି
ଶେଷରେ ଶ୍ମଶାନ ବାସ।
ପରଂବ୍ରହ୍ମପଦ-ସମ୍ପଦ-ବିନା ହିଁ
କାଳ କରେ ସର୍ବନାଶ।।୧୩

କିଏ ଏହି କାନ୍ତା କିଏ ବା ସନ୍ତାନ
ବିଚିତ୍ର ସଂସାର ପଥେ।
କେଉଁ ସାର ଲାଭ ହେତୁ ଏହି ଯାତ୍ରା
ଆପାତସଂଘାତ ରଥେ।।୧୪

କିଏ ନିଜବୀଜ? ଶାଖାର ସମାଜ-
ପ୍ରସରଣ କାହା ପାଇଁ?
କର୍ମ-ପରିଣାମ-ନିରନ୍ତରତାର
ଅବସାନ ଅଛି କାହିଁ?।।୧୫

ସ୍ୱଜନ ସଙ୍ଗରୁ ସଜ୍ଜନ ସଙ୍ଗକୁ
ଥରେ ପଥଚାରୀ ହୁଅ।
ନମଜ୍ଜି କୃତ୍ତିରେ ଅସଙ୍ଗ ବୃତ୍ତିରେ
ତ୍ୟାଗକର ବୃଥା ମୋହ।।୧୬

ମନକୁ ଅମନ-ଗଗନରେ ଚାଳ
ଏକ ତତ୍ତ୍ବେ କର ସ୍ଥିର।
ମାରି ସାରି ନିଜ ଅରି ଷଡ଼ଜନେ
ବୋଲାଇବ ମହାବୀର।।୧୭

ବୟସାବସାନେ କି କାମ ବିକାର;
ଜଳବିହୀନ କାସାର।
ଦାରିଦ୍ର୍ୟରେ ପରିବାର ପ୍ରୀତି ଯଥା
ତତ୍ତ୍ୱରେ ନାହିଁ ସଂସାର।।୧୮

ଧନ-ଜନ-ଯୌବନ-ଗର୍ବ-ଶେଷକୁ
ମନରେ ଆଉ ନ ପାଳ।
ମିମିଷେ ସମୂଳବିନାଶ କାରଣେ
କାଳ-କରେ କରବାଳ।।୧୯

ତେଜି ଏହି ମାୟାମୟ ଚରାଚର
ବିବେକ ଅଲୋକେ ଚଳ।
ଜୀବବ୍ରହ୍ମତତ୍ତ୍ୱ ଏକତ୍ଵ ବିଜ୍ଞାନେ
ଲବ୍ଧ ପରତ୍ତ୍ଵର ବଳ।।୨୦

ଶଙ୍କର-କିଙ୍କର ଅବଧୂତ ମତି
ଶଙ୍କରଗୀତି-ବିବୃତ୍ତି।
ଭବାର୍ଥ-ପ୍ରଧାନ-ବିଧାନେ ବିଚାରେ
ପ୍ରୀତି ଲଭିବେ ସୁମତି।।୨୧