ଜନ୍ମାନ୍ତର ଜ୍ଞାନ

ଉଚ୍ଚାବଚେଷୁ ଭୂତେଷୁ ଦୁର୍ଜ୍ଞେୟାମକୃତାତ୍ମଭିଃ।
ଧ୍ୟାନୟୋଗେନ ସମ୍ପଶ୍ୟେଦ୍
ଗତିମସ୍ୟାନ୍ତରାତ୍ମନଃ।।

ମ. ସ୍ମୃ. - ୬/୭୩

ମନୁଷ୍ୟ ସ୍ବକର୍ମଫଳର ପ୍ରଭାବରେ ଉଚ୍ଚ ଦେବାଦି ଯୋନି ଓ ନୀଚ ପଶୁ ଆଦି ଯୋନିରେ ଉତ୍ପନ୍ନ ହୋଇ ଥାଏ। ସାଧାରଣ ଲୋକଙ୍କୁ ଏହି ଜନ୍ମାନ୍ତର ସମ୍ବାଦ ହୁଏ ନାହିଁ। ସେଥିପାଇଁ ଭୌତିକବାଦୀ ଓ କମ୍ୟୁନିଷ୍ଟ୍ ଇତ୍ୟାଦି ଲୋକେ ଚାର୍ବାକ୍ ଭଳି ଜନ୍ମାନ୍ତରକୁ ସ୍ୱୀକାର କରିପାରନ୍ତି ନାହିଁ। ମୁଁ ମୋର କେତେକ ପୂର୍ବ ଜନ୍ମକୁ ଅନୁଭବ କରିଛି। ଏନେକ ସନ୍ନ୍ୟାସୀ ମାନଙ୍କୁ ପ୍ରେତହୋଇ ଯାଇଥିବା ଦେଖିଛି। ଅନେକ ତୀର୍ଥ ସ୍ଥାନ, ଆଧ୍ୟାତ୍ମିକ ଆଶ୍ରମ ଓ ଦେବାଳୟ ମାନଙ୍କରେ ମଧ୍ୟ ପ୍ରେତ ମାନଙ୍କର ଉପସ୍ଥିତିକୁ ଅନୁଭବ କରିଛି। ତେଣୁ ସ୍ଥୂଳ ବୁଦ୍ଧିରେ କେହି ଯଦି ପ୍ରେତଯୋନି ଓ ପୂନର୍ଜନ୍ମକୁ ଅସ୍ବୀକାର କରେ ତାହା କିଛି ଭୁଲ ନୁହେଁ। କାରଣ ଏ ସବୁ ସ୍ଥୂଳ ବୁଦ୍ଧିଦ୍ୱାରା ଗ୍ରାହ୍ୟ ବିଷୟ ହିଁ ନୁହେଁ। ଧ୍ୟାନ ଯୋଗଦ୍ୱାରା ବୁଦ୍ଧି ଏକ ନିର୍ଦିଷ୍ଟ ପରିପକ୍ଵତା ଲାଭ କଲେ ନିଜର ଜନ୍ମକଥାର ସମ୍ବାଦ ସମ୍ଭବ ହୋଇ ଥାଏ। ଅନ୍ୟ ଜୀବମାନଙ୍କ ପରଲୋକ ଗତି ମଧ୍ୟ ଜାଣିହୁଏ। ଏଠାରେ ମନୁ "ଧ୍ୟାନ-ଯୋଗେନ ସମ୍ପଶ୍ୟେଦ୍" କହିଛନ୍ତି । ତେଣୁ ଜନ୍ମାନ୍ତର ଗତି ସମସ୍ତଙ୍କର ଅଛି କିନ୍ତୁ ପ୍ରକୃତ ଦୃଷ୍ଟିରେ ତାହା ଜାଣିବା ସମ୍ଭବପର ନୁହେଁ। ଏହା ସାଧାରଣ ବ୍ୟବହାରିକ ଆୟାମଠାରୁ ଭିନ୍ନ ଆୟମର ବିଷୟ ଅଟେ। ଯେଉଁ ମାନେ ଧ୍ୟାନ ଦ୍ୱାରା ପ୍ରତ୍ୟକ୍ଷ ଓ ଅନୁମାନର ସୀମାକୁ ଲଙ୍ଘନ କରି ଅଧ୍ୟାତ୍ମ ଅନୁଭବ ଦ୍ୱାରା କୃତାତ୍ମତା ଅର୍ଜନ କରି ନାହାନ୍ତି ସେମାନଙ୍କ ସହିତ ବାରମ୍ବାର ଘଟୁଥିବା ପୁନର୍ଜନ୍ମ ଓ ପରଲୋକଗତି ସେମାନଙ୍କୁ ହିଁ ବିସ୍ମୃତ ହୋଇଯାଏ। ସେଥିପାଇଁ ଧ୍ୟାନଯୋଗର ପରାକାଷ୍ଠା ଦ୍ୱାରା ବୁଦ୍ଧି ସୂକ୍ଷ୍ମଗ୍ରାହୀ ହେଲେ ହିଁ ପରଜନ୍ମ ବା ପୂର୍ବଜନ୍ମକୁ ପ୍ରତ୍ୟକ୍ଷ ଅନୁଭବ କରି ପାରିବ।