ତ୍ରିସ୍ତରୀୟ ସମୟ (Three- tiered Time)

ସମୟ କହିଲେ ଆମେ ଘଣ୍ଟା ଓ କ୍ୟାଲେଣ୍ଡରରେ ସୂଚିତ ଅଥବା physics ରେ ବ୍ୟବହୃତ ଆଲୋକବର୍ଷ ଇତ୍ୟାଦି ଗାଣିତିକ ସଂଖ୍ୟା ନିରୁପିତ ଅଭିଧେୟ (object ) କୁ ହିଁ ଜାଣି ଥାଉ। ବସ୍ତୁତଃ ଏହା ଅତ୍ୟନ୍ତ ମୋଟା ସମୟ ଜ୍ଞାନ ଅଟେ। ଯେହେତୁ ସମୟର ସୂକ୍ଷ୍ମ ଜ୍ଞାନ ସହିତ ମାନବୀୟ ଉତ୍କର୍ଷ ଜଡିତ ସେଥିପାଇଁ ଏହାର ଅତି ସୂକ୍ଷ୍ମ ବିବେଚନା ଆବଶ୍ୟକ। ବସ୍ତୁତଃ ଏହାର ତ୍ରିସ୍ତରୀୟତାକୁ ବୁଝିବା ଏକ ବଡଧରଣର ବୌଦ୍ଧିକ କ୍ରାନ୍ତି ଅଟେ।
ଏହି ଗାଣିତିକ ସମୟକୁ ସର୍ବାଙ୍ଗତଃ ଜାଣିବା ପରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ଆଉ ଯେଉଁ ଦୁଇଟି ସ୍ତର ବୁଦ୍ଧିଗମ୍ୟ ହୋଇ ପାରୁ ନାହିଁ। ସେସବୁକୁ ସଂକ୍ଷେପରେ ଜାଣିବା।

1-ସାମାନ୍ୟ ସମୟ:

ଘଣ୍ଟା, ମିନିଟ୍, ସେକେଣ୍ଡ୍, ମାସ, ବର୍ଷ, ଇତ୍ୟାଦି, ଘଣ୍ଟା, କ୍ୟାଲେଣ୍ଡର ଦ୍ୱାରା ଓ physicsର ଆଲୋକବର୍ଷ ଇତ୍ୟାଦି ଯାହା ଗଣନା ଦ୍ୱାରା ଆମେ ଜାଣି ଥାଉ। ତାହା ସଂଖ୍ୟାବଲମ୍ବୀ ଗାଣିତିକ ସାମାନ୍ୟ ସମୟ ଅଟେ। ଏହାର କାର୍ଯ୍ୟ ହେଲା ବ୍ୟବଧାନର ବୋଧ ।କିନ୍ତୁ ଜୈବିକ ବ୍ୟବହାର, ପ୍ରାକୃତିକ ଉତ୍ଥାନ-ପତନ ଓ କ୍ରିୟା-ପରିଣାମର ନିଶ୍ଚିତ ସମ୍ବନ୍ଧ ଏହି ସାମାନ୍ୟ ସମୟ ଉପରେ ନିର୍ଭରଶୀଳ ନୁହନ୍ତି।

2- ସନ୍ଦର୍ଭିତ ସମୟ (contextual Time/ relative Time)

ଏହା ଜୈବିକ, ପାରିପାର୍ଶ୍ବିକ ଓ ସାମାଜିକ ସନ୍ଦର୍ଭ ସହିତ ଜଡିତ। ପୁଣି ଏହା ଅନୁଭବଜନ୍ୟ, ପରିସ୍ଥିତି ଜନ୍ୟ ଓ ପରିସ୍ଥିତି ସାପେକ୍ଷ। ଏହାର କାର୍ଯ୍ୟ ହେଲା ସଂଯୋଗ ( coincidence / possibility )। ଆନନ୍ଦ ଉତ୍ସବରେ ସମାନ ବ୍ୟବଧାନର ସମୟ କମ ଲାଗିବା । ଦୁଃଖ ଓ ଭୟରେ ସେହି ବ୍ୟବଧାନର ସମୟ ଅଧିକ ଅନୁଭୂତ ହେବା। ଅବାଞ୍ଛିତ ପାଣିପାଗର ଦିନ ଗୁଡିକ ସାମାନ୍ୟ ସମୟ ବ୍ୟବଧାନରୁ ଭିନ୍ନ ବୋଧ ଉତ୍ପନ୍ନ କରନ୍ତି। ନୈରାଶ୍ୟର ସମୟ ଅଧିକ ମନ୍ଥର ଗତିରେ ଚାଲେ। ଅତ୍ୟନ୍ତ ବୈରାଗ୍ୟବାନ୍ ବ୍ୟକ୍ତି ପାଇଁ ବ୍ରହ୍ମାର ଆୟୁ ମଧ୍ୟ ଏକକ୍ଷଣ ଭଳି ଲାଗେ। ପଢାଯାଉଥିବା ଅରୁଚିକର ବିଷୟର ପିରିୟଡ଼ଟି ଅଧିକ ସମୟର ବୋଧ କରାଏ। 14 ବର୍ଷର ବାଳକର ଯଦି reproductive system ଠିକ ଭାବେ ସକ୍ରିୟ ହୋଇ ନଥାଏ ତେବେ ସେ ବାଲ୍ୟଅବସ୍ଥାର ହିଁ ସାମୟିକ ଅନୁଭବ କରୁଥାଏ, ତାରୁଣ୍ୟ (ସମୟ) ର ନୁହେଁ। ବର୍ଷାର ପ୍ରାକୃତିକ ସୂଚନା ପାଇ ପିମ୍ପୁଡି ଓ ଜନ୍ଦା ମାନେ ସେମାନଙ୍କ ଅଣ୍ଡାକୁ ଉଚ୍ଚ ସ୍ଥାନକୁ ବୋହି ନିୟନ୍ତି। ବର୍ଷାର ସୂଚନା ନ ଥିଲେ ଜୁନ୍ ଓ ଜୁଲାଇ ମାସରେ ମଧ୍ୟ ସେମାନେ ଏହା କରନ୍ତି ନାହିଁ। ସ୍କୁଲ ବା ଅଫିସ୍ ଅଥବା ବଜାରରେ ଦୋକାନ ଖୋଲିବାର କାର୍ଯ୍ୟନିର୍ଘଣ୍ଟ।

3. ମୁହୂର୍ତ୍ତ (Decisive / Operational Time)

ଏହା ବିଶିଷ୍ଟ ସମୟ ଅଟେ। ଯାହା କାର୍ଯ୍ୟର ସଫଳତା ଓ ବିଫଳତା ପାଇଁ ଅଧିକମାତ୍ରାରେ ନିର୍ଣ୍ଣାୟକ, ସ୍ଥୂଳସୂକ୍ଷ୍ମ ସଂଯୋଜନର ସଙ୍କେତ ଅଟେ। ନିର୍ଣ୍ଣୟ-ଯୋଗ୍ୟତା ଓ ଫଳର ସମ୍ଭାବ୍ୟତାକୁ ଧ୍ରୁବିତ କରେ। ଏହାର ମୁଖ୍ୟ କାମ ହେଲା ଏହା ସଂଯୋଗ ଓ ବିଯୋଗର ପରିଣାମର କାଳିକସନ୍ଦର୍ଭକୁ ଦେଖାଇଥାଏ। କୌଣସି କାର୍ଯ୍ୟର ଆରମ୍ଭ, ନିଷ୍ପାଦନ ଓ ସଫଳତାର ନିର୍ଣ୍ଣାୟକ ସମୟକୁ ନିର୍ଦ୍ଧାରିତ କରେ। satellite ପ୍ରକ୍ଷେପଣର ନିଶ୍ଚିତ ସମୟବିନ୍ଦୁ। "GO Window" ଓ ଉପାସନା/ସଂସ୍କାର ଇତ୍ୟାଦିର ଫଳଗର୍ଭିତ ସମୟ।

ଏହାର ପୃଥକ ବିଶେଷତ୍ୱ ହେଲା ଏହା ଗାଣିତିକ ପ୍ରବାହୀ ସାମାନ୍ୟ ସମୟ ଠାରୁ ସ୍ୱତନ୍ତ୍ର, ତଥାପି ସନ୍ଦର୍ଭନିଷ୍ଠ ଅଟେ। ଘଟଣା ଘଟିତ ହେବା ପାଇଁ ଅନ୍ୟ ସର୍ତ୍ତଗୁଡିକ ସହ ଅନୁକୂଳ ହୋଇ ଥାଏ।