ମଳୟାନିଳରେ ପ୍ରଳୟ ନିହିତ,
କୁହେଳିକା ମଧ୍ୟେ କର୍ତ୍ତା।
ବସନ୍ତ-ବେଳାଟି ଅଶାନ୍ତ-ଘଟକ
ନିୟତି-ନିହିତ-ବାର୍ତ୍ତା।।୧
ଶିତକାଳ-ହିତ ବିଗତ ହେବାର
ବାଦ୍ୟର ବିବାଦୀ କର୍ଣ୍ଣ।
ଉଜ୍ଜ୍ୱଳତା ଭ୍ରମେ ପ୍ରଳୟ ପରଷେ
କୈଶୋର ପାଣ୍ଡୁର-ବର୍ଣ୍ଣ।।୨
ବାୟସ କ୍ରୋଟରେ କୋକିଳ ଶାବକ
କେତେତେଦିନ ସୁରକ୍ଷିତ ।
ବୟସେ ଅବଶ୍ୟ ଆଣିବ ନୈରାଶ୍ୟ
ତା'କଣ୍ଠ-କୁଜିତ ଗୀତ।।୩
କୃଷ୍ଣବର୍ଣ୍ଣ ସାମ୍ୟ ଦେଖି ବହୁକାମ୍ୟ
କଳ୍ପିତ ବାୟସ ଦୃଷ୍ଟି ।
ଅଦୃଷ୍ଟ କଳନା ଆତ୍ମାର ଛଳନା
କାଳ-କରେ ବଜ୍ରମୁଷ୍ଟି।।୪
ଆପ୍ତବାକ୍ୟ-ଅଲକ୍ଷିତେ ସମ୍ପାଦିତ
କର୍ତ୍ତବ୍ୟନାମିତ କର୍ମ।
କର୍ତ୍ତାର କାଳୁଷ୍ୟ ପରିଣାମେ ଲିପ୍ତ
ହରେ ପୂର୍ବୋତ୍ତର ଶର୍ମ।।୫
ପ୍ରଚଣ୍ଡପ୍ରବାତ ବହିବା ପୂର୍ବର
ଗଗନ-ନିର୍ବାତ-ସ୍ଥିତି।
ସମ୍ବାଦ-ଅଭାବ ପ୍ରଥମ ସଙ୍କେତ,
କାଳ ଲେଖେ ଶେଷ ଗୀତି।।୬
ଅବଧୂତ ଜ୍ଞାନାନନ୍ଦ✍