ଆସୁଛି ଶ୍ରାବଣ
ମୂଢଙ୍କ ପାର୍ବଣ
ଯେତେକ ଦ୍ବିପଦ ଗଧ।
ତାଙ୍କ ମୂଢତାର
ଉପଶମ ପାଇଁ
ଜଳଭାର ହିଁ ଔଷଧ।।୧
ପୂଜାଦ୍ରବ୍ୟ-ନାମ
ଘେନି ଆବର୍ଜନା
ବଜାରେ ଭରିବେ ଭାଉ।
ରାଜହଂସ ବେଶେ
ବାୟସେ ବୁଲିବେ
ଶବ୍ଦ କିନ୍ତୁ ରାଉ-ରାଉ।।୨
ଗଞ୍ଜେଇରେ ଚିତ୍ତ
ରଞ୍ଜେଇ ନଥିଲେ
ଦେବେ ଦେବେ ନାହିଁ ବର।
ଚିଲମ ନହେଲେ
ଭାଙ୍ଗ ପିଆଲାକୁ
ଅତି ସମାଦରେ ଧର।।୩
ଅସ୍ତବ୍ୟସ୍ତ ହେବ
ରାସ୍ତାର ବ୍ୟବସ୍ଥା
ହୀନସ୍ତା ହିଁ ହେବେ ରୋଗୀ।
ଜଗତର ଯେତେ
ପରମ ପାମାର
ଏବେ ପାଲଟିବେ ଯୋଗୀ।।୪
ଶ୍ରାବଣର ପାଣି
ଯେଣୁ ଅପବିତ୍ର
ତାହା ଦେବସେବ୍ୟ ନୁହେଁ ।
ମୂଢ ମାତ୍ର ଯାଇ
ଗବ୍ୟ-ଲାଭ ପାଇଁ
ଦରାଣ୍ଡି ଷଣ୍ଢକୁ ଦୁହେଁ।।୫
ଦାଦନ-ଶ୍ରମିକ ଧାର୍ମିକ ପାଲଟି
ଗାଉଥିବେ ଗ୍ରାମ୍ୟଗୀତ।
ଧର୍ମଶାସ୍ତ୍ର ତାଙ୍କୁ ଅସହ୍ୟ ଯେପରି
ଶ୍ଵାସରୋଗୀ ପାଇଁ ଶୀତ।।୬
ଭାରତଳେ ବ୍ୟଭି-
ଚାର ଲୁଚି ଥାଏ।
ଘୁରିବୁଲେ ସ୍ବେଚ୍ଛାଚାର।
ପେଟର ସଙ୍କଟ
ଦୂର ପାଇଁ ଅଛି
ନାନାବିଧ ପ୍ରତିକାର।।୭
ଅବିବେକୀ ପାଇଁ
ଅର୍ଗଳ ହିଁ ନାହଁ,
ବିବେକୀ ବେକରେ ପଘା।
ଧର୍ମ-ବେଶ-ଧରି ଅଧର୍ମ ଦେଉଛି
ଆତ୍ମାକୁ ଅଶେଷ ଦଗା।।୮
ଶ୍ରାବଣୀଙ୍କୁ ଭକ୍ତ-
ମଣିଲେ ଅନର୍ଥ
ଧ୍ରୁବ ଅବଧୂତ ଉକ୍ତି।
ଶ୍ରାବଣର ପାଣି-
ଭାର-ବୁହାଳିଙ୍କ
କୋଟି ଜନ୍ମେ ନାହିଁ ମୁକ୍ତି।।୯