ପୁନର୍ଜନ୍ମ

ଏହା ମୋ ପାଇଁ ଏକ ଅଭୂତପୂର୍ବ ଘଟଣା ଥିଲା। ନବରାତ୍ରୀ ସମୟରେ ମୁଁ ଗଙ୍ଗା କୂଳରେ ଥିଲି। ଏକ ସ୍ୱପ୍ନ ଦେଖିଲି ଯେ ମୋର ଜଣେ ପ୍ରିୟ ବ୍ୟକ୍ତି ମୋ ନିକଟରେ ଉପସ୍ଥିତ ହେଉଛନ୍ତି ଓ ତୁରନ୍ତ ତାଙ୍କ ଶରୀର ତିରୋହିତ ହୋଇ ଯାଉଛି। ତାଙ୍କ ସ୍ଥାନରେ ଏକ ଛୋଟ ପିଲା ଉପସ୍ଥିତ ହେଉଛି। ସେ ମୋତେ ଆଦୌ ଚିହ୍ନି ହିଁ ପାରୁନାହିଁ। ମୁଁ ଆଶ୍ଚର୍ଯ୍ୟ ଭାବରେ ସେହି ବ୍ୟକ୍ତିଙ୍କ ନାମ ନେଇ ସମ୍ବୋଧନ କରି ଡାକି କହୁଛି ଯେ 'କଣ ଭାଇ ଏପରି କଳେବର! ମୋତେ ଚିହ୍ନି ପାରୁନ କି'? ତୁରନ୍ତ ତାଙ୍କ ପାଖରେ ଚାରିଜଣ ଲୋକ ଉପସ୍ଥିତ ହୋଇ ତାଙ୍କୁ ସେଠାରୁ ନେଇ ଯାଉଛନ୍ତି।

ପର ଦିନ ସେହି ଆଶ୍ରମରେ କିଛି ଲୋକ ପହଞ୍ଚିଲେ ଯେଉଁ ମାନଙ୍କୁ ମୁଁ ସ୍ୱପ୍ନରେ ଦେଖିଥିଲି। ମୁଁ ସ୍ୱପ୍ନରେ ଥିବା ସେ ଲୋକ ମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲି। ହଠାତ୍ ମୋ ପାଟିରୁ ବାହାରି ପଡ଼ିଲା ଯେ ତୁମ ପିଲାଟି କୁଆଡେ ଗଲା? ସେମାନେ କହିଲେ ସେ ବାଥରୁମ୍ ରେ ଅଛି। କିନ୍ତୁ ସେହି ପିଲା ସେମାନଙ୍କ ସହିତ ଆସିଛି ବୋଲି ମୁଁ ଜାଣି ନଥିଲି କି ସେମାନେ ମୋତେ ମୁଁ ଏହା କାହିଁକି ପଚାରିଲି ବୋଲି ପ୍ରଶ୍ନ ବି କରି ନାହାନ୍ତି। ଉପରବେଳା ସେମାନେ ଗଙ୍ଗାସ୍ନାନ କରି ଫେରୁଥିବା ବେଳେ ସେମାନଙ୍କ ସହିତ ମୁଁ ସେ ପିଲାଟିକୁ ଦେଖିଲି। ସ୍ବପ୍ନଦୃଶ୍ୟ ସେହି ପିଲାଟି ଅବିକଳ ସେହି ପରି ହିଁ ଥିଲା। ମୁଁ ଏବେ ଦୃଢ଼ ଭାବେ ଅନୁମାନ କଲି ଯେ ଏହି ପିଲା ନିଶ୍ଚିତ ଭାବରେ ସେହି ବ୍ୟକ୍ତିଙ୍କର ପରଜନ୍ମ। କିନ୍ତୁ ମୋ ମନର ପ୍ରତ୍ୟୟକୁ ଅଧିକ ଦୃଢ଼ କରିବା ପାଇଁ କିଛି ସାଙ୍କେତିକ ସର୍ତ୍ତ ସ୍ଥାପନ କଲି। 5 ଟି ସର୍ତ୍ତରୁ ସବୁ ଗୁଡିକ ଆଶ୍ଚର୍ଯ୍ୟ ଭାବେ ପୂର୍ଣ୍ଣ ହୋଇଗଲେ। ସେ ପିଲା ଜାତସ୍ମର ନଥିଲା। କିନ୍ତୁ ମୁଁ ଜଣେ ବ୍ୟକ୍ତିର ପୁନର୍ଜନ୍ମର ସାକ୍ଷୀ ପାଲଟି ଯାଇଥିଲି।

ସେହି ବ୍ୟକ୍ତି ଜଣକ ଅତ୍ୟନ୍ତ ପରୋପକାରୀ ଓ ସାମାଜିକ ବ୍ୟକ୍ତି ଥିଲେ। ସେ ମୋ ପିଲାଦିନର ଏକ ଆଦର୍ଶ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ଖବର ମୋତେ ସେତେବେଳେ ବହୁତ କଷ୍ଟ ଦେଇ ଥିଲା। ଏବେ ଦେଖିଲି ଯେ ମୃତ୍ୟୁ ତାଙ୍କୁ ଜୀବନର ଏକ ଉନ୍ନତ ସୋପାନ ପ୍ରଦାନ କରିଛି। ଅପେକ୍ଷାକୃତ ଭାବେ ଏହି ଜନ୍ମ ପୂର୍ବଜନ୍ମ ଠାରୁ ଅଧିକ ସମ୍ପନ୍ନ ଓ ଶିଷ୍ଟ ପରିବାର ରେ ହୋଇଛି। ଏହି ପରିବାର ଦିଲ୍ଲୀରେ ରହନ୍ତି। ପିଲାଟି ତୃତୀୟ ଶ୍ରେଣୀର ଜଣେ ମେଧାବୀ ଛାତ୍ର। ତେଣୁ ଏହା ମୁଁ ନିଶ୍ଚୟ କରିନେଲି ଯେ ମନୁଷ୍ୟର ଉତ୍ତମ କର୍ମ ତାକୁ ଜନ୍ମାନ୍ତରୀୟ ଉତ୍ଥାନ ମଧ୍ୟ ପ୍ରଦାନ କରେ।

ଏହି ବିଷୟରେ କିଏ କିପରି ପ୍ରତିକ୍ରିୟା ରଖି ପାରେ। ଏହା ସ୍ୱପ୍ନ ଓ ପ୍ରତ୍ୟକ୍ଷର ଏକ ସଂଯୋଗ ମାତ୍ର ବୋଲି କେହି କହିପାରେ। କିନ୍ତୁ ସବୁକିଛି ସଂଯୋଗ ମାତ୍ର ନୁହେଁ। ସବୁ ସମସ୍ୟାର ସମାଧାନ ପ୍ରତ୍ୟକ୍ଷ ଓ ଅନୁମାନରେ ନାହିଁ। ଅସ୍ତିତ୍ୱର ଅନେକ ଅଂଶ ଡାର୍କ ଅଟେ। ଜ୍ଞାତ ପ୍ରମାଣ ମଧ୍ୟରେ ସମସ୍ତ ଅନୁଭବକୁ ବଳପୂର୍ବକ ମାଡି ମକଚି ଭର୍ତ୍ତି କରିବା ଏକ ବୌଦ୍ଧିକ ଅନ୍ୟାୟ। ବୁଦ୍ଧିକୁ ପ୍ରତ୍ୟକ୍ଷ ଓ ଅନୁମାନର ଦ୍ଵିବଳୀକୃତ ଜଜ୍ଜୁର ପାଶରୁ ବାହାରକୁ ଯାଇ ଚେତନାର ବିସ୍ତାରକୁ ବୁଝିବା ପାଇଁ ସ୍ୱାତନ୍ତ୍ର୍ୟ ପ୍ରଦାନ କରାଯିବା ଉଚିତ।