ପ୍ରମାଣ ଓ ସତ୍ୟତା

ଗୁଡିଏ କୁତର୍କୀ ଯଥା ହେତୁବାଦୀ ଓ କମ୍ୟୁନିଷ୍ଟ ଭଳି ଲୋକ ମାନେ କହନ୍ତି ଯେ ଈଶ୍ୱର, ଧର୍ମ, ପରଲୋକ, ଅଧ୍ୟାତ୍ମ ବା ମୋକ୍ଷ ସମ୍ବନ୍ଧରେ କୈଣସି ବୈଜ୍ଞାନିକ ପ୍ରମାଣ ନାହିଁ; ସୁତରାଂ ସେସବୁର ଅସ୍ତିତ୍ବ ନଥିବା ଉଚିତ। ଅତଃ ସେମାନଙ୍କର ଏହି ବୌଦ୍ଧିକ ଦରିଦ୍ରତା ରୂପକ ସମସ୍ୟାକୁ ଆମେ ବୁଝିବା।

ଜଗତର ସମସ୍ତ ପଦାର୍ଥ ଆୟାମିକ ବା Dimensional ଅଟନ୍ତି । ପ୍ରମାଣ ମଧ୍ୟ ଅନ୍ୟ ସମସ୍ତ ପଦାର୍ଥ ଭଳି ଆୟାମିକ ( Dimensional ) ଅଟେ। ବିଜ୍ଞାନ ଅନୁସାରେ ଆମେ ଇନ୍ଦ୍ରିୟଗୋଚର ତିନି ଗୋଟି ଆୟାମ ଓ Time ନାମକ ଚତୁର୍ଥ ଆୟାମ ମଧ୍ୟରେ ଆମ କର୍ତ୍ତୃତ୍ୱ ଓ ବ୍ୟବହାରିକ-ଆବଶ୍ୟକତାକୁ ସ୍ୱାଭାବିକ ଭାବରେ ବୁଝି ପାରୁ। ଏଠାରେ ଅସଲ କଥାଟି ହେଲା ପ୍ରମାଣ ବିନା ବସ୍ତୁର ଅସ୍ତିତ୍ବକୁ ଅସ୍ବୀକାର କରି ଦେବା ମଧ୍ୟ ବିଜ୍ଞାନର ନିୟତି ନୁହେଁ। ସମ୍ଭାବ୍ୟତା, ପରିକଳ୍ପନା, ଗାଣିତିକ ଓ ତାର୍କିକ ପରିନିଷ୍ପତ୍ତି, ସୈଦ୍ଧାନ୍ତିକରୂପ, ପ୍ରୟୋଗଜନ୍ୟ ପରିଣାମର ପରିରକ୍ଷଣ, ବିବିଧ ପରୀକ୍ଷା ଓ ପରିଣାମର ପୁନରାବୃତ୍ତି ହିଁ ବିଜ୍ଞାନର ସ୍ୱରୂପ। ଏହା ଛଡା Karl Popper's Falsifiability ସିଦ୍ଧାନ୍ତ ଅନୁସାରେ ବୈଜ୍ଞାନିକ ସତ୍ୟ ସେ ପର୍ଯ୍ୟନ୍ତ ଗ୍ରାହ୍ୟ ଯେଉଁ ପର୍ଯ୍ୟନ୍ତ ତାହା ପରମସତ୍ୟ ଭାବରେ ବିବେଚିତ ନୁହେଁ। ପରମ ସତ୍ୟ ବିଜ୍ଞାନର ପରିଧିରୁ ବାହାରେ। ଏହା ସତ୍ତ୍ୱେ Big Bang, God particle, quantum mechanics ର ଅନେକ ଘଟକୀଭୂତ-ପଦାର୍ଥ ଭଳି ଅପ୍ରତ୍ୟକ୍ଷ ବସ୍ତୁ ମଧ୍ୟ ସୈଦ୍ଧାନ୍ତିକ ଭାବରେ ବୈଜ୍ଞାନିକ ହିଁ ଅଟେ।

ବେଦର ପ୍ରତିପାଦ୍ୟ ବିଷୟ ହିଁ ଏହା ଠାରୁ ଅନ୍ୟ ଅଟେ। ପ୍ରତ୍ୟକ୍ଷ ଓ ଅନୁମାନର ଅଯୋଗ୍ୟ ପଦାର୍ଥର ବିଷୟୀକରଣ ବେଦର କାର୍ଯ୍ୟ। ଇନ୍ଦ୍ରିୟ ମନ ଓ ବୁଦ୍ଧିର ଅଗୋଚର ଧର୍ମ ଓ ଅଧ୍ୟାତ୍ମର ପ୍ରମାଣ ସ୍ୱରୂପ ବେଦବାକ୍ୟ ଅଟନ୍ତି। ଏହି ସମସ୍ତ ବିଷୟ ପାରମାର୍ଥିକ ସତ୍ୟ ଓ ଶାଶ୍ୱତ ତତ୍ତ୍ୱ ହୋଇ ଥିବାରୁ ବିଜ୍ଞନର ପରିଧି ଭିତରେ ନାହାନ୍ତି।

ଯଦି ସମାନ ଆୟାମରେ ପଦାର୍ଥର ପ୍ରତିପାଦ୍ୟତା ଓ ତାହାର ଅଭାବ ବିଦ୍ୟମାନ ଥାଏ ତେବେ ପ୍ରାମାଣିକ ବିରୋଧ ହେତୁ ସେହି ବସ୍ତୁର ଅନସ୍ତିତ୍ବ ସୂଚିତ ହୁଏ।

ବିଜ୍ଞାନର ଆୟାମ ପ୍ରତ୍ୟକ୍ଷ ଓ ଅନୁମାନ। ବେଦର ଆୟାମ ଆର୍ଷ-ଅନୁଭବ, ବାଣୀ-ମନର ଅଗୋଚରତ୍ୱ ଅଟେ। ସ୍ୱସମ୍ବେଦ୍ୟ କିନ୍ତୁ ବ୍ୟାପଦେଶ୍ୟ ମଧ୍ୟ ଅଟେ। ଏହା ପ୍ରତ୍ୟକ୍ଷ ଓ ଅନୁମାନ ଠାରୁ ଭିନ୍ନ ଅଟେ । ଅତଃ ବେଦ ଓ ବିଜ୍ଞାନର ପ୍ରତିପାଦ୍ୟତା ହିଁ ସମାୟାମୀ ନୁହଁ। ତେଣୁ ଏମାନଙ୍କ ମଧ୍ୟରେ କୌଣସି ବିରୋଧ ହିଁ ନାହିଁ।

କ୍ଵଚିତ ବିଜ୍ଞାନର ପ୍ରତିପାଦ୍ୟ ବିଷୟ ଓ ବୈଦିକ ସନ୍ଦର୍ଭ ସମାନ ଦେଖାଯାଇ ଥାନ୍ତି । କିନ୍ତୁ ପ୍ରତ୍ୟେକ ବୈଜ୍ଞାନିକ ସନ୍ଦର୍ଭ ପୁନଃ ସମୀକ୍ଷା ଯୋଗ୍ୟ ଓ ସଂଶୋଧନୀୟ ହୋଇ ଥାଏ। କିନ୍ତୁ ବେଦ ଯେହେତୁ ପରମ ଆପ୍ତ ଅଟନ୍ତି ସେ ପୁନଃ ପରିଭାଷିତ ହୁଅନ୍ତି ନାହିଁ କି ସଂଶୋଧିତ ହୁଅନ୍ତି ନାହିଁ। କିନ୍ତୁ ଜିଜ୍ଞାସୁର ବୁଦ୍ଧିର ଉତ୍କର୍ଷର ତାରତମ୍ୟକୁ ଦେଖି ଆଚାର୍ଯ୍ୟ ମାନେ ପ୍ରକରଣଭିତ୍ତିକ ଓ ପ୍ରାସଙ୍ଗିକ ବ୍ୟାଖ୍ୟେୟତା ନିରୁପିତ କରି ଥାନ୍ତି। ବିଜ୍ଞାନ ଦ୍ୱାରା ଯାହା ପ୍ରମାଣ ଯୋଗ୍ୟ ହିଁ ନୁହେଁ ସେହି ଭିନ୍ନ ଆୟାମୀ ବସ୍ତୁକୁ କୌଣସି ବୈଜ୍ଞାନିକ-ତର୍କ ଆଧାରରେ ଅନସ୍ତିତ୍ଵର ଗର୍ଭକୁ ପେଲି ଦେବା ମୁର୍ଖତା ଅଟେ।