କିଂ ଭୂଷଣାଦ୍ଭୂଷଣମସ୍ତି ଶୀଳଂ
ତୀର୍ଥଂ ପରଂ କିଂ ସ୍ୱମନୋବିଶୁଦ୍ଧମ୍।
କିମତ୍ର ହେୟଂ କନକଂ ଚ କାନ୍ତା
ଶ୍ରାବ୍ୟଂ ସଦା କିଂ ଗୁରୁବେଦବାକ୍ୟମ୍।।
ଶିଷ୍ୟ- ଭୂଷଣ ଠାରୁ ମଧ୍ୟ ଭୂଷଣ କଣ?
ଗୁରୁ- ଶୀଳ ହିଁ ଭୂଷଣଗୁଡିକର ଭୂଷଣ।
ଶିଷ୍ୟ-ଏହି ଜଗତରେ ହେୟ କଣ ?
ଗୁରୁ- ସ୍ତ୍ରୀ ଓ ସ୍ୱର୍ଣ୍ଣ ( ଧନ ) ଏହି ଜଗତରେ ହେୟ ବା ତ୍ୟାଗଯୋଗ୍ୟ।
ଶିଷ୍ୟ-ନିରନ୍ତର କଣ ଶୁଣିବାଯୋଗ୍ୟ ଅଟେ?
ଗୁରୁ- ଶ୍ରୋତ୍ରିୟ ଓ ବ୍ରହ୍ମନିଷ୍ଠ ଗୁରୁଙ୍କ ଉପଦେଶ ଓ ବେଦର ସାକ୍ଷାତ୍-ବ୍ରହ୍ମ-ତାତ୍ପର୍ଯ୍ୟ-ବୋଧକ ମହାବାକ୍ୟ ଓ ପରୋକ୍ଷ-ବ୍ରହ୍ମ-ତାତ୍ପର୍ଯ୍ୟ-ବୋଧକ ଅବାନ୍ତରବାକ୍ୟ ହିଁ ନିରନ୍ତର ଶ୍ରବଣଯୋଗ୍ୟ ଅଟେ।
ଚିନ୍ତନ:
ଶରୀରକୁ ଆକର୍ଷଣୀୟ ଭାବରେ ସଜ୍ଜିତ କରିବା ପାଇଁ ବିଭିନ୍ନ ବେଶଭୁଷା, ବିଭିନ୍ନ ରତ୍ନ ଅଳଙ୍କାର ଆଦି ଆବଶ୍ୟକ। ଅଧୁନା କର୍ପୋରେଟ୍ ଯୁଗରେ ବ୍ୟବସାୟର ସଫଳତା ପାଇଁ କର୍ପୋରେଟ୍ ଶୈଳୀର ବେଶ-ପୋଷାକ ଓ ଭାଷାରେ ସୁବୋଧ୍ୟ ଶବ୍ଦର ଆଳଙ୍କାରିକତା ଓ ତୋଷାମୋଦର ଭାବ ସହିତ ମିଥ୍ୟାକୁ ସତ୍ୟ ଠାରୁ ଅଧିକ କରି ପ୍ରତିପାଦିତ କରିବାର ଚାତୁର୍ଯ୍ୟ ଜରୁରୀ। management ରେ commanding voice ସହିତ adjustment approach ମଧ୍ୟ ଏକ ବଡ଼ ଭୂଷଣ। ଏହିପରି ବିଭିନ୍ନ କ୍ଷେତ୍ରରେ ଭାଷା ଓ ଭୁଷାର ବିଶେଷ ପରିପାଟି ଜରୁରୀ। ଏହାକୁ ଭୂଷଣ କୁହାଯାଏ। ଶବ୍ଦାର୍ଥ ନିୟତିରୁ ଟିକିଏ ଅଲଗା ହୋଇ ଆମେ ଏଠାରେ ଭୂଷଣର ଅର୍ଥକୁ decorum ଶବ୍ଦରେ ବୁଝିପାରିବା।
କିନ୍ତୁ ସର୍କସର ପଶୁ ଯେତେ ସଜ୍ଜିତ ହେଲେ ବି ସେ ପଶୁତ୍ବ ସ୍ୱଭାବରୁ ମୁକ୍ତ ହୋଇ ନଥାଏ। ସେହିପରି ସମାଜରେ ପ୍ରତିଷ୍ଠିତ ହେବାପାଇଁ ସମସ୍ତ ଭୂଷଣ ଗୋଟିଏ ସମୟରେ ବ୍ୟର୍ଥ ହୋଇ ଯାଏ । ମାନବ ଜୀବନର ଜୈବିକ-ସ୍ଵଭାବ ଅକସ୍ମାତ ଅସ୍ୱାଭାବିକ ଭାବରେ ଉଦ୍ଭୂତ ହୋଇ ସମସ୍ତ ଭୂଷଣ ଥାଇ ମଧ୍ୟ ମନୁଷ୍ୟକୁ ପ୍ରକୃତିର ବଦ୍ଧପଶୁ ଭଳି ସର୍ବ ସମକ୍ଷରେ ନଗ୍ନ ଠିଆ କରି ଦେଇ ଥାଏ। ଶୀଳ ହିଁ ଏପରି କବଚ ଯାହାର ଭେଦନ କରି ପ୍ରକୃତି ନୈସର୍ଗିକ ପଶୁତ୍ୱକୁ ମନୁଷ୍ୟ ଠାରେ ବଳ-ପୂର୍ବକ ଆରୋପିତ କରି ପାରେ ନାହିଁ। ଏହା ବିନା ସମସ୍ତ ଭୂଷଣ ବ୍ୟର୍ଥ ଅଟନ୍ତି।
ଶୀଳର ଅର୍ଥ କଣ? ଏଠାରେ ଶୀଳ ଶବ୍ଦଟି ନପୁଂସକ ଲିଙ୍ଗରେ ପ୍ରଯୁକ୍ତ ହୋଇଛି। 'ଶୀଳ' ଧାତୁ ସମାଧି ବା ସମାଧାନ ଅର୍ଥରେ ଅଛି ବୋଲି "କବିକଳ୍ପଦ୍ରୁମ"ରେ କୁହାଯାଇଛି। ସମାଧି ତତ୍ତ୍ଵଜ୍ଞାନ ଅବସ୍ଥା ଅଟେ। କିନ୍ତୁ ଏଠାରେ ତତ୍ତ୍ୱଜ୍ଞାନର ସାଧନ ଭାବରେ ଶୀଳ ଶବ୍ଦର ପ୍ରୟୋଗ ହୋଇଛି। ତେଣୁ 'ଶୀଳଂ ବ୍ରହ୍ମଣ୍ଯତାଦି ରୂପମ୍' ହାରିତଙ୍କର ଏହି ଅର୍ଥ ଅଧିକ ସମୀଚୀନ ଅଟେ। ତେବେ ବ୍ରହ୍ମଣ୍ୟତା ଆଦି ଗୁଣ ଗୁଡିକ କଣ? ଦେବତାଭକ୍ତି, ପିତୃଭକ୍ତି, ସୌମ୍ୟତା, ଅପରୋପତାପିତା = ଅନ୍ୟଦ୍ୱାରା କଷ୍ଟ ପାଇ ମଧ୍ୟ ଅନ୍ୟକୁ କଷ୍ଟ ନଦେବା, ଅସୂୟା ନ କରିବା, ମୃଦୁତା, କଠୋରବଚନ ନକହିବା, ମିତ୍ରସ୍ଵଭାବ, ପ୍ରିୟବାଦିତା, କୃତଜ୍ଞତା, ଶରଣାପନ୍ନକୁ ଶରଣ ପ୍ରଦାନ କରିବା, କାରୁଣ୍ୟ ଓ ପ୍ରଶାନ୍ତି ଏହି ତେର ଗୋଟି ଗୁଣର ନାମ ଶୀଳ ଅଟେ। ଏହା ନଥିଲେ ଅନ୍ୟ ଭୂଷଣ ସର୍କସର ପଶୁର ସାଜସଜ୍ଜା ମାତ୍ର ଅଟେ।
ପରମ ତୀର୍ଥ କଣ? ପ୍ରୟାଗ, ପୁରୁଷୋତ୍ତମ ଓ କାଶୀ ଇତ୍ୟାଦି ତୀର୍ଥ ବା ତୀର୍ଥରାଜ ଇତ୍ୟାଦି ସଂଜ୍ଞକ ଅଟନ୍ତି। ସେଠାରେ ପଣ୍ଡା, ପୂଜାରୀ ଓ ପୁରୋହିତ ମାନଙ୍କର ବର୍ଚ୍ଚସ୍ବ। କିନ୍ତୁ ସେସବୁ ମଧ୍ୟ ଧାର୍ମିକ ବ୍ୟବସାୟର ସ୍ଥଳ। ସେଠାକୁ ଯାଉଥିବା ଲୋକେ କିଛି ବଳକା ଦ୍ରବ୍ୟ ତ୍ୟାଗ କରି ଥାନ୍ତି। ସେଠାରେ ଥିବା ପଣ୍ଡା, ପୁରୋହିତ, ମହନ୍ତ, ପୂଜାରୀ, ଯାଜକ ଓ ସାଂସ୍ଥାନିକ ମାନେ ସେହି ଦ୍ରବ୍ୟ ଉପାର୍ଜନରେ ବ୍ୟସ୍ତ ଥାନ୍ତି। ଦାତା ଭାବେ ଯେ କିଛି ଦାନ ଓ ସ୍ନାନ ଦ୍ୱାରା ତାହାର ପାପ ସବୁ କ୍ଷମା ହୋଇ ଯିବ। କିନ୍ତୁ ଉପାର୍ଜକ ମାନେ ବିଭିନ୍ନ ଛଳ, କପଟ ଓ ମିଥ୍ୟା ଦ୍ୱାରା ଉପାର୍ଜନ କରିବାରେ ବ୍ୟସ୍ତ। ଏସବୁ ଯଥାର୍ଥରେ ଦର୍ଶନୀୟ ସ୍ଥଳ ବା ପର୍ଯ୍ୟଟନ ସ୍ଥଳ ହୋଇ ପାରେ। କିନ୍ତୁ ତୀର୍ଥ ସଂଜ୍ଞାଟି ଚିତ୍ତର ବିଶୁଦ୍ଧି ସହିତ ଜଡିତ। ଯେଉଁଠି ପାପର କ୍ଷମାର ସମ୍ବବନା ପ୍ରବଳ ସେଠାରେ ପାପର ପ୍ରବୃତ୍ତି ପାଇଁ ନୈତିକ ସମର୍ଥନ ମଧ୍ୟ ପ୍ରବଳ। ତେଣୁ ଏହା ମନର ଏକ ବଡ଼ ଭ୍ରମ ଯେ ତୀର୍ଥଯାତ୍ରା ଦ୍ୱାରା ପାପକ୍ଷୟ ହୁଏ ବା ମୁକ୍ତି ମିଳେ। ନିଜ ମନର ବିଶୁଦ୍ଧି ହିଁ ତୀର୍ଥ। ଚିତ୍ତଶୁଦ୍ଧି ଦ୍ୱାରା ବିବେକ ବୈରାଗ୍ୟ ଉତ୍ପନ୍ନ ହୋଇ ଥାଏ। ଶମ ଦମ, ଉପରତି, ତିତୀକ୍ଷା, ଶ୍ରଦ୍ଧା ଓ ଏକାଗ୍ରତା ଲକ୍ଷଣ ଗୁଣ ଗୁଡିକ ଦେଖାଯାଏ ଓ ମୁକ୍ତି ପାଇଁ ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ଅସମ୍ଭାବନା ଓ ବିପରୀତ ଭବନା ଦୂର ହୁଏ। ଅନ୍ୟଥା -
ଇଦଂ ତୀର୍ଥମିଦଂ ତୀର୍ଥଂ
ଭ୍ରମନ୍ତି ତାମସା ଜନାଃ।
ଆତ୍ମତୀର୍ଥମଜାନାତି
କତ ମୋକ୍ଷ ବରାନନେ!।।
ଶିବ କହିଲେ ହେ ଚାରୁମୁଖୀ ପାର୍ବତୀ ଏହା ତୀର୍ଥ ଏହା ତୀର୍ଥ କହି ତାମସିକ ଲୋକେ ଭ୍ରମରେ ପଡି ବୁଲୁଛନ୍ତି। ସେମାନେ ଆତ୍ମତୀର୍ଥକୁ ଜାଣନ୍ତି ନାହିଁ । ମୁକ୍ତି ମିଳିବ କିପରି?
ଏଠାରେ ଅଧ୍ୟାତ୍ମପରିପ୍ରେକ୍ଷାରେ ହେୟ ଅର୍ଥାତ୍ ପରିତ୍ୟାଗ-ଯୋଗ୍ୟ କଣ ଅଛି। ପରିତ୍ୟାଗ ଯୋଗ୍ୟ ଦୁଇଟି ପଦାର୍ଥ, ସ୍ୱର୍ଣ୍ଣ ( ଧନ ) ଓ ସ୍ତ୍ରୀ।
ଏହି ଉକ୍ତିକୁ ଦେଖି ଅଲ୍ଟ୍ରା କମ୍ୟୁନିଷ୍ଟ୍, materialist ଓ ଅବେଦଜ୍ଞ ନାସ୍ତିକ ମାନେ ବୈଦିକ ଧର୍ମରେ ବୈଷମ୍ୟର ଆକ୍ଷେପ କରନ୍ତି। କିନ୍ତୁ ଏମାନଙ୍କ ଜ୍ଞାନର ମୂଳ ଅବଧାରଣା ୟୁରୋପିଅନ୍ ମାନଙ୍କ ସସ୍କୃତିରୁ ଉତ୍ପନ୍ନ। କେବଳ ବୈଦିକ ସନାତନ ଧର୍ମରେ ହିଁ ପତ୍ନୀ ସହଧାର୍ମିଣୀ ଅଟେ। ଏଠାରେ contract marriage ଓ ଡିଭୋର୍ସ ବ୍ୟବସ୍ଥା ନାହିଁ। କିନ୍ତୁ ସେଠାରେ ଅଛି। ବୈରାଗ୍ୟ-ସମ୍ପନ୍ନ ପୁରୁଷ ସନ୍ନ୍ୟାସ-ପୂର୍ବକ ପତ୍ନୀର ପରିତ୍ୟାଗ କରି ଥାଏ। ଏହା ଦ୍ୱାରା ପତ୍ନୀ ମଧ୍ୟ ପୁରୁଷର ପରିତ୍ୟାଗ କରେ। ତାହା ମଧ୍ୟ ଏକ ପ୍ରକାର ସନ୍ନ୍ୟାସ। କିନ୍ତୁ ନାରୀ ସୁରକ୍ଷା ପାଇଁ ସ୍ତ୍ରୀକୁ ସମସ୍ତ ସଞ୍ଚିତ ଧନ ଇତ୍ୟାଦି ଦେଇ ପୁତ୍ର ବା ଅନ୍ୟ କୁଟୁମ୍ବୀ ମାନଙ୍କ ହାତରେ ତାହାର ସୁରକ୍ଷା ନ୍ୟସ୍ତ କରି ପୁରୁଷ ସନ୍ନ୍ୟାସରେ ପ୍ରବୃତ୍ତ ହୁଏ। ଏଠି ପକ୍ଷପାତ ହେଲା କିପରି?
"ପୁତ୍ରେଣାୟଂ ଲୋକୋ ଜ୍ୟେୟୋ ନାନ୍ୟେନ କର୍ମଣା" "ଧନଂ ମେ ସ୍ୟାଦଥ କର୍ମ କୁର୍ବୀୟ" "ସ୍ୱର୍ଗକାମୋ ୟଜେତ" ଇତ୍ୟାଦି ବାକ୍ୟରେ ପୁତ୍ରୈଷଣା, ବିତ୍ତୈଷଣା ଓ ଲୋକୈଷଣାର ପ୍ରଦର୍ଶନ କରାଯାଇଛି। ଇହ-ଲୋକ ଉପରେ ବିଜୟ ଲାଭ ପାଇଁ ପୁତ୍ର ଆବଶ୍ୟକ। ପୁତ୍ର-ଉତ୍ପତ୍ତି ପାଇଁ ଭାର୍ଯ୍ୟା ଆବଶ୍ୟକ। ପୁତ୍ରପ୍ରାପ୍ତି ପାଇଁ ଭାର୍ଯ୍ୟା-ପ୍ରାପ୍ତିର ଇଚ୍ଛା ପୁତ୍ରୈଷଣା ଅଟେ। ଯଜ୍ଞ ଆଦି ଉତ୍ତମ କର୍ମ ପାଇଁ ଧନ ଆବଶ୍ୟକ। ଏହି ଧନପ୍ରାପ୍ତିର ଇଚ୍ଛା ବିତ୍ତୈଷଣା ଅଟେ। ସ୍ୱର୍ଗ ଆଦି ବ୍ରହ୍ମଲୋକ ପର୍ଯ୍ୟନ୍ତ ଦିବ୍ୟଲୋକର ପ୍ରାପ୍ତି ପାଇଁ ବେଦବିହିତ ଯଜ୍ଞ ଓ ଉପାସନା ଆବଶ୍ୟକ। ଏହି ଲୋକପ୍ରାପ୍ତି ନିମିତ୍ତ ଇଚ୍ଛା ଲୋକୈଷଣା ଅଟେ।
ଏହି ଏଷଣାତ୍ରୟ ଧର୍ମ-ସମ୍ବନ୍ଧିତ ଅଟନ୍ତି। ସ୍ଥାନ, ଗୃହ ଓ ଦେଶର ଉପେକ୍ଷା, ସ୍ତ୍ରୀ ଓ ପୁତ୍ରର ଉପେକ୍ଷା, ସେହିପରି ସ୍ୱର୍ଗ ଠାରୁ ବ୍ରହ୍ମଲୋକପର୍ଯ୍ୟନ୍ତ ଅଲୌକିକ
ଉତ୍କର୍ଷର ଉପେକ୍ଷା ( ନାସ୍ତିକ୍ୟ ) ବୈଦିକ ସନାତନ ଧର୍ମରେ ହିଁ ନାହିଁ। ସେଥିପାଇଁ ବେଦ ଆକ୍ଷେପ ଯୋଗ୍ୟ ନୁହେଁ। କିନ୍ତୁ "ଅୟଂ ତୁ ପରମୋ ଧର୍ମଃ ଯଦ୍ୟୋଗେନାତ୍ମଦର୍ଶନଂ" ବାକ୍ୟ ଅନୁସାରେ ପରମ ଧର୍ମ ମଧ୍ୟ ଅଛି। ଯାହା ଯୋଗବଳରେ ଆତ୍ମସାକ୍ଷାତ୍କାର ଅଟେ।
ଇହଲୌକିକ ପ୍ରଭୁତ୍ୱ ଓ ପାରଲୌକିକ ସୁଖ ଅନୈକାନ୍ତିକ ଅଟେ। କିନ୍ତୁ ମୋକ୍ଷ ନିତ୍ୟ ଅଟେ। ଯେଉଁମାନେ ପୁତ୍ରମୋହରେ ପତିତ ଅଟନ୍ତି ସେମାନେ ବଡ଼-ବଡ଼ ସମ୍ରାଟ ମାନଙ୍କ କଥା ଚିନ୍ତା କରିବା ଉଚିତ ଯେଉଁମାନେ ନିଜ ପୁତ୍ର ମାନଙ୍କ ମହତ୍ତ୍ୱକାଙ୍କ୍ଷା ପାଇଁ ସେମାନଙ୍କ ଦ୍ୱାରା ପ୍ରାଣ ହରାଇଛନ୍ତି। ସ୍ତ୍ରୀ-ମୋହର ବୈନାଶିକ ସ୍ଵଭାବର ଦୃଷ୍ଟାନ୍ତ ପୁରାଣ ଓ ଇତିହାସ ପୃଷ୍ଠାରେ ପ୍ରଚୁର ରହିଛି। ଧନପ୍ରାଚୁର୍ଯ୍ୟରେ ଥିବା ଲୋକଙ୍କ ଦୁର୍ଦଶା ମଧ୍ୟ କମ ନୁହେଁ। ଉପାର୍ଜିତ ପୁଣ୍ୟ କ୍ଷୟ ହେବା ପରେ ବ୍ରହ୍ମଲୋକରୁ ମଧ୍ୟ କର୍ମଜ ଦେବତା ମାନେ ପୁଣି ମୃତ୍ୟୁ ଲୋକକୁ ଆସିବାକୁ ବାଧ୍ୟ ହୁଅନ୍ତି। ତେଣୁ ଏକ ସମୟ ଆସେ ଯେଉଁଠି ସ୍ତ୍ରୀ , ପୁତ୍ର ଓ ଧନ ଓ ସ୍ୱର୍ଗ ସୁଖ ତୁଚ୍ଛ ହୋଇ ବିପରୀତ ପରିଣାମ ଦିଅନ୍ତି। ସେତେବେଳେ ସନ୍ନ୍ୟାସ ବା ପରିତ୍ୟାଗ ଜରୁରୀ ଅଟେ । ଅନ୍ୟଥା ସବୁକିଛି ପୁଣି ମରୁସ୍ଥାନରୁ ଆରମ୍ଭ କରିବାକୁ ହେବ। ଏହିଭଳି ଅନେକ କଳ୍ପ ବିତିଗଲେ ମଧ୍ୟ ଜନ୍ମ ଓ କର୍ମରୁ ମୁକ୍ତି ସମ୍ଭବ ନୁହେଁ। ଯେପରି quantum ସ୍ତରରେ theory of relatively ର ନିୟମ ଗୁଡିକ କାମ କରନ୍ତି ନାହିଁ ସେହି ଭଳି ଏହି ଅପରଧର୍ମର ସାଧନଗୁଡିକ ପରମଧର୍ମର ଉପାର୍ଜନରେ ସହାୟକ ନ ହୋଇ ବାଧକ ହୋଇ ଯାଆନ୍ତି। କିନ୍ତୁ ଅପରଧର୍ମ ସହିତ ପରମଧର୍ମର ପୌର୍ବାପର୍ଯ୍ୟର କୌଣସି ନିଶ୍ଚିତ କାଳାବଧି ନାହିଁ। "ୟଦହରେବ ବିରଜେତ୍ ତଦହରେବ ପ୍ରବ୍ରଜେତ୍ ନ ତତୋ ପୁନରୀୟାତ୍"। ଯେଉଁ ଦିନ ବୈରାଗ୍ୟ ହେଲା ସେହି ଦିନ ହିଁ ସ୍ତ୍ରୀ ଓ ଧନ ଇତ୍ୟାଦିର ପରିତ୍ୟାଗ କରି ସନ୍ନ୍ୟାସରେ ପ୍ରବେଶ କରିବା ଉଚିତ ଓ ସେଠାରୁ ପୁଣି ପଛକୁ ଫେରିବା ଅନୁଚିତ। କିନ୍ତୁ ଜାଣିବା ଦରକାର ସେ ମଠାଧୀଶ, ସଂସ୍ଥାନିକ ଓ ପରସ୍ତ୍ରୀ ବା ନିଜ ପରିବାର ସହ ଜଡିତ ସନ୍ନ୍ୟାସ ବେଶଧାରୀ ମାନେ ଆରୁଢ଼ପତିତ ଅଟନ୍ତି। ଏମାନଙ୍କୁ ଗୋସାଇଁ ବୋଲି କୁହାଯାଏ। ଏମାନେ ଏକ ସମୟରେ ସମାଜରେ ଅସ୍ପୃଶ୍ୟ ମଧ୍ୟ ଥିଲେ।
ବହୁତ କଥା ଶୁଣା ଯାଉଛି। ବହୁତ କଥା ଶୁଣିବାରେ ଲୋକଙ୍କ ଆଗ୍ରହ ମଧ୍ୟ ପ୍ରବଳ। ସିନେମାକଳାକାର ଓ ଯାତ୍ରା-ସମୂହରେ କଣ ଚାଲିଛି? ରାଜନେତା ମାନେ କଣ କହୁଛନ୍ତି? ବିଭିନ୍ନ ଦେଶଦେଶାନ୍ତରରେ କଣ ହେଉଛି? ଆମ ଶତ୍ରୁ ପଡୋଶୀ ଘରେ ଏବେ କେଉଁ କାଣ୍ଡ ଚାଲିଛି? ସେୟାରମାର୍କେଟ୍ ଓ ରିଜର୍ଭବ୍ୟାଙ୍କ ରେ କଣ ଚାଲିଛି? ଆଦି ଆଦି। କିନ୍ତୁ ଏହା ନିଶ୍ଚିତ ଏକ ବୃହତ୍ ବ୍ୟାବହାରିକ ପକ୍ଷ, ତଥାପି ଏଥିରେ ବ୍ୟାବହାରିକ ଉପାଦେୟ ସତ୍ୟ ଅତି କମ୍। ବେଳେବେଳେ ଜଣା ପଡେ ଯେ ଏସବୁ ମାତ୍ର ଶବ୍ଦଜାଲ ଥିଲା। କିନ୍ତୁ ସତ୍ୟ ଏହାଠାରୁ ପୃଥକ୍। ଆମେ ଭାବୁ ମନୁଷ୍ୟର ଆୟୁ ଅଳ୍ପ। କିନ୍ତୁ ଯଥାର୍ଥରେ କୌଣସି ମନୁଷ୍ୟ ଏହା ଅନୁଭବ କରେ ନାହିଁ। ଅନ୍ୟଥା ଅନବଶ୍ୟକ କଥାରେ ଓ ଆବଶ୍ୟକ ସତ୍ତ୍ୱେ ଅପରୀକ୍ଷିତ ତଥ୍ୟ ରୂପକ ଗଳ୍ପରେ କର୍ଣ୍ଣପାତ ପାଇଁ ସମୟ ମିଳନ୍ତା ନାହିଁ।
କିନ୍ତୁ ଯେଉଁମାନେ ମନୁଷ୍ୟଜନ୍ମର ଦୁର୍ଲଭତା ଓ ଆୟୁର ଅଫେରା ସ୍ୱଭାବକୁ ଜାଣିଛନ୍ତି ସେମାନେ କଣ ଶୁଣିବା ଉଚିତ ତାହା ବିଚାର କରନ୍ତି। କାରଣ ପ୍ରାକୃତିକ ରୂପରେ କାନଟି ଖୋଲା। ସବୁ ଶବ୍ଦ ଅନାୟାସରେ କାନରେ ପଶିବେ। ତେଣୁ କ'ଣ ସେସବୁ ଶୁଣି ମନରେ ଧାରଣକରିବା ଯୋଗ୍ୟ କି?
ଅପୌରୁଷେୟ ବେଦବାକ୍ୟ ଓ ଗୁରୁମୁଖରୁ ତାହାର ଗୂଢାର୍ଥର ବିଚାର ହିଁ ଦୁର୍ଲଭ । ତେଣୁ ଯଦି କିଛି ଦୁର୍ଲଭ ଶ୍ରବଣୀୟ ଥାଏ ତାହା ବେଦାନ୍ତ ବାକ୍ୟ ଓ ଗୁରୁଙ୍କ ଅଧ୍ୟାତ୍ମଗର୍ଭିତ ଉପଦେଶ। ଅନ୍ୟ ସବୁ ଶୁଣିବାକୁ ଇଚ୍ଛା ନଥିଲେ ମଧ୍ୟ ଆପାତତଃ ଶୁଣିବାକୁ ମିଳି ଯାଉଛି। ତେଣୁ ସେଥିରେ ଶ୍ରବଣୀୟ ଅପୂର୍ବତା କିଛି ନାହିଁ।