ଶେତେ ସୁଖଂ କସ୍ତୁ ସମାଧିନିଷ୍ଠୋ
ଜାଗର୍ତି କୋ ବା ସଦସଦ୍ବିବେକୀ ।
କେ ଶତ୍ରବଃ ସନ୍ତି ନିଜେନ୍ଦ୍ରିୟାଣି
ତାନ୍ୟେବ ମିତ୍ରାଣି ଜିତାନି ୟାନି।।
ଶିଷ୍ୟ- ଅତିଶୟ ସୁଖରେ କିଏ ଶୟନ କରିଥାଏ?
ଗୁରୁ- ଯେ ବ୍ରହ୍ମବୋଧ ସମାଧିରେ ନିମଗ୍ନ ଥାଏ ସେ ହିଁ ଚିନ୍ତା ଓ ଅବଶିଷ୍ଟ କର୍ତ୍ତବ୍ୟରହିତ ହୋଇ ପରମାନନ୍ଦରେ ଶୋଇଥାଏ।
ଶିଷ୍ୟ- ସ୍ଵଭାବତଃ ଶତ୍ରୁ କେଉଁ ମାନେ?
ଗୁରୁ- ନିଜ ଇନ୍ଦ୍ରିୟ ଗୁଡିକ ( ଅଦମିତ ମନ ସହିତ ) ସ୍ୱାଭାବିକ ଭାବରେ ମନୁଷ୍ୟର ଶତ୍ରୁ ଅଟନ୍ତି।
(ଶିଷ୍ୟ- ତାହା ହେଲେ ମିତ୍ର କେଉଁମାନେ)?
ଗୁରୁ– ଯେଉଁ ଇନ୍ଦ୍ରିୟ ମାନଙ୍କ ଉପରେ ପ୍ରଖର ସଂଯମ ଦ୍ୱାରା ବିଜୟଲାଭ କରାଯାଇଥାଏ ସେହି ଇନ୍ଦ୍ରିୟମାନେ ହିଁ ମନୁଷ୍ୟର ମିତ୍ର।
ଚିନ୍ତନ:
ଏବେ ମନୁଷ୍ୟ ନିଜ ନିଦ୍ରାକୁ ବିକ୍ରିକରି ଚଳୁଛି। ଯୁଦ୍ଧ, କର୍ପୋରେଟ୍, କ୍ୟାରିୟର ଚିନ୍ତା, ରାଜନୀତିକ ଅବ୍ୟବସ୍ଥା, ଧନର ଅଭାବ, ଅତିଶୟ ଧନାଢ୍ୟତା ଅନାବଶ୍ୟକ, ଆଧୁନିକ ସଭ୍ୟତା ନାମକ ରାକ୍ଷସର ଗର୍ଜନ ସହିତ ଭୋଗବାଦୀ ଜୀବନଶୈଳୀ ମନୁଷ୍ୟର ନିଦ୍ରାକୁ ନେଇ ଯାଇଛି। ଏବଂ ନିଦ୍ରା ସହିତ ନିଜର ମୃତ୍ୟୁକୁ ମଧ୍ୟ ଅନ୍ୟହାତରେ ସମର୍ପି ଦେଇଛି। କାହା ପାଇଁ ନିଦ୍ରା କିଣିବାକୁ ପଡୁଛି। ତାହା ମଧ୍ୟ ଏକ ଅଚେତନ ଓ ବଳାତ୍ ନିଦ୍ରା ଅଟେ। ତଥାପି କଣ କେହି ଜଣେ ଏ ଜଗତରେ ଅଛି ଯେ କି ନିଦ୍ରା ମଧ୍ୟରେ ଅକଳନ ସୁଖର ସାତତ୍ୟ ଅନୁଭବ କରୁଛି? କଣ ଏପରି କେହି ଜଣେ ଅଛି ଯେ କି ନିରବଚ୍ଛିନ୍ନ ସୁଖରେ କର୍ତ୍ତବ୍ୟର ପରିସମାପ୍ତି ଅବସ୍ଥାର ନିଶ୍ଚିନ୍ତତା ସହିତ ନିଦ୍ରାର ସାମରସ୍ୟକୁ ଅନୁଭବ କରୁଛି? ଏହା ଶିଷ୍ୟର ପ୍ରଶ୍ନ?
ଗୁରୁ କହିଲେ ? ଉପାର୍ଜନ ଉପଭୋଗ, ସଞ୍ଚୟ ଓ ସମ୍ବର୍ଦ୍ଧନ ଚିନ୍ତାରହିତ ହୋଇ ଯେ ବ୍ରହ୍ମବୋଧ ସମାଧି ଅବସ୍ଥାରେ ଦୃଶ୍ୟମାନ ସ୍ୱରୂପର ଅଦୃଶ୍ୟ କାରଣ ସହିତ ମିଥ୍ୟାତ୍ବର ନିଶ୍ଚୟ ପୂର୍ବକ ସମସ୍ତ ଆକାଙ୍କ୍ଷାର ସଙ୍କୋଚନରୁ ବାହାରି ଆତ୍ମତତ୍ତ୍ୱର ଇତରନିରପେକ୍ଷ ବ୍ୟାପକ ସ୍ୱରୂପରେ ନିଜର ଚିତ୍ତକୁ ହଜେଇ ଦେଇ ନିସ୍କର୍ତ୍ତବ୍ୟତା ଓ ନିଶ୍ଚେଷ୍ଟତାରେ ପ୍ରତିଷ୍ଠିତ ସେ ହିଁ ସୁଖନିଦ୍ରିତ ଅଟେ, ଅନ୍ୟ କେହି ନୁହେଁ।
ଜଗତରେ ଜାଗ୍ରତ କିଏ? ଶ୍ରୀମଦ୍ ଭଗବଦ୍ଗୀତା ଅନୁସାରେ
"ୟା ନିଶା ସର୍ବଭୂତାନାଂ
ତସ୍ୟାଂ ଜାଗର୍ତି ସଂଯମୀ।
ୟସ୍ୟାଂ ଜାଗ୍ରତି ଭୂତାନି
ସା ନିଶା ପଶ୍ୟତୋ ମୁନେଃ"।।
ଉପାର୍ଜନ ଓ ଉପଭୋଗ ପାଇଁ ଚେଷ୍ଟିତ ସକ୍ରିୟ ସଚେତନ ବିରକ୍ତି ତତ୍ତ୍ୱଜ୍ଞ ମାନଙ୍କ ଦୃଷ୍ଟିରେ ନିଦ୍ରିତ ବା ମୂର୍ଚ୍ଛିତ ଅଟେ। ଯେ ସଂଯମ ଶୀଳ ବ୍ୟକ୍ତି, ଯେ ଯୁକ୍ତାହାରବିହାରର ମର୍ଯ୍ୟାଦାକୁ ଜାଣେ, ଉପସ୍ଥିତ ଭୋଗ୍ୟ ପଦାର୍ଥର ପ୍ରାଚୁର୍ଯ୍ୟ ମଧ୍ୟ ଯାହାର ଚିତ୍ତକୁ ବିଚଳିତ କରିପାରେ ନାହିଁ ସେ ହିଁ ଏହି ଜଗତରେ ଜାଗ୍ରତ ବ୍ୟକ୍ତି ଅଟେ।
ଯେ ସତ୍ ଠାରୁ ଅସତ୍ କୁ ପୃଥକ୍ କରି ଜାଣେ ସେ ବିଜ୍ଞାପନର ଗ୍ୟାରେଣ୍ଟି ଓ ୱାରେଣ୍ଟିର ମିଥ୍ୟାତ୍ୱକୁ ବୁଝିପାରେ। ଯେ ସମସ୍ତ ଜଗତିକ ପାରସ୍ପରିକ ସମ୍ବନ୍ଧକୁ ଶବ୍ଦର ଖେଳ ଭାବରେ ଅନୁଭବ କରି ଥାଏ। ଯେ ପରାମର୍ଥ ଠାରୁ ବ୍ୟବହାରିକ ନାମ-ରୂପ-କ୍ରିୟା ରୂପକ ମାନିତ ସତ୍ୟକୁ ପୃଥକ୍ କରିପାରେ ସେ ହିଁ ଜାଗ୍ରତ ଅଟେ।
କେଉଁମାନେ ଶତ୍ରୁ? ନିଜ ଇନ୍ଦ୍ରିୟମାନେ ହିଁ ନିଜର ଶତ୍ରୁ, ତୁମ ବାହ୍ୟ ଶତ୍ରୁ ସହିତ ଦେଶକାଳର ବ୍ୟବଧାନ ସୁଲଭ। କିନ୍ତୁ ଭୋଗଲିପ୍ସୁ ଇନ୍ଦ୍ରିୟଗଣ କେଉଁ ମୁହୂର୍ତ୍ତରେ କଣ କରିବେ ତାହା କହିବା ଅସମ୍ଭବ। ଭାରତର ସେ ସମୟର ଜଣେ ପ୍ରଭାବୀ ବିଶିଷ୍ଟ ରାଜନେତା ଥିଲେ ଜଗଜ୍ଜୀବନରାମ। ତାଙ୍କ ପୁଅର ଏକ ପରକୀୟା ସମ୍ବନ୍ଧର ତଥ୍ୟ ପଦାରେ ପଡିଗଲା । ସେହି ଠାରୁ ହିଁ ଜଗଜ୍ଜୀବନରାମଙ୍କର ରାଜନୀତିକ ବର୍ଚ୍ଚସ୍ବ ସମାପ୍ତ ହୋଇ ଗଲା। ଏହା ତ ବାହ୍ୟ କଥା। ମୂଳ କଥା ହେଲା ଯେ ପର୍ଯ୍ୟନ୍ତ ଇନ୍ଦ୍ରିୟ ମାନେ ବିଷୟର ମହତ୍ତ୍ୱ ପଛରେ ଧାବମାନ ଥିବେ ସେ ପର୍ଯ୍ୟନ୍ତ ମନୁଷ୍ୟର ସମସ୍ତଜ୍ଞାନବିଜ୍ଞାନର ଉତ୍କର୍ଷ ବାୟାଚଢ଼େଇର ବସାବାନ୍ଧିବାର ଦକ୍ଷତା ସହିତ ସମାନ ହୋଇ ରହିଥିବ।
କିନ୍ତୁ ଏହି ଇନ୍ଦ୍ରିୟମାନେ ହିଁ ମିତ୍ର ହୋଇ ପାରିବେ, ଏହି ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଅଲୌକିକ ଯୋଗୈଶ୍ୱର୍ଯ୍ୟର ଉପଲବ୍ଧି ସମ୍ଭବ। ମୋ ପିଲା ଦିନେ ଜଣେ ଦିବ୍ୟ ମହାପୁରୁଷଙ୍କ ସଙ୍ଗଲାଭ ହୋଇ ଥିଲା। ତାଙ୍କର ଅନେକ ଦିବ୍ୟ ସିଦ୍ଧି ମୁଁ ଦେଖିଛି। ଅନ୍ୟମାନେ ମଧ୍ୟ ଦେଖିଛନ୍ତି। ତାଙ୍କର ଜଣେ ଶିଷ୍ୟ କଲିକତାରେ କାମ କରୁଥିଲେ। ଦିନେ ଦୟାବାବା କହିଲେ ଆଜି ରଘୁଆ ଛୋଟା ହୋଇ ଗଲା। ସେହି ମହାପୁରୁଷଙ୍କୁ ଆମେ ଦୟା ବାବା କହୁ। ତିନିଦିନ ପରେ ଖବର ଆସିଲା ଯେ ବାବା ଯାହାକୁ ରଘୁଆ କହୁଥିଲେ ସେ ମେସିନ ଚଳାଉଥିବା ଅବସ୍ଥାରେ ଦୁର୍ଘଟଣାରେ ଶିକାର ହୋଇ ଥିଲେ। ତା' ଦ୍ୱାରା ତାଙ୍କ ଗୋଡ ଭାଙ୍ଗି ଯାଇ ଥିଲା। ଆଶ୍ଚର୍ଯ୍ୟର କଥା ଯେ ଠିକ ସେହି ସମୟରେ ବାବା ଭୁବନେଶ୍ୱରରେ ଏହା କହୁଥିଲେ। ଏହି ବିଷୟକୁ ନେଇ ମୁଁ ଥରେ ପଚାରିଲି, ବାବା! ଆପଣ ଏହି ଘଟଣାକୁ କିପରି ଜାଣିଲେ। ବାବା କହିଲେ ତୋତେ ଏଠୁ ଯେପରି କରଦୋକାନ ରସଗୋଲା ଦିଶୁଛି ଠିକ ମୋତେ ସେପରି ପୁରା globe ଦିଶୁଛି। ଏବେ ବୁଝିଲି ଯେ ଇନ୍ଦ୍ରିୟ ମାନେ ଯେ ପର୍ଯ୍ୟନ୍ତ ଭୋଗ୍ୟ ବସ୍ତୁରେ ଲିପ୍ତ ଥିବେ ସେ ପର୍ଯ୍ୟନ୍ତ ସେମାନଙ୍କ ଗ୍ରହଣଶୀଳତା ଅକ୍ପ ହିଁ ରହିବ। ସେହି ଇନ୍ଦ୍ରିୟ ମାନଙ୍କ ସଂଯମନ ଦ୍ୱାରା ଯୋଗୀ ମାନେ ଅପାର ସିଦ୍ଧି ପ୍ରାପ୍ତ କରି ପାରନ୍ତି। ମିତ୍ର ଶବ୍ଦର ଅର୍ଥ ସୂର୍ଯ୍ୟ ମଧ୍ୟ। ସଂଯମୀ ବ୍ୟକ୍ତିର ଇନ୍ଦ୍ରିୟ ମାନେ ସୂର୍ଯ୍ୟ ଭଳି ତେଜସ୍ୱୀ ଓ ସ୍ୱପ୍ରକାଶ ହୋଇ ଯାଇ ପାରିବେ।