ଅପାର-ସଂସାର-ସମୁଦ୍ର-ମଧ୍ୟେ
ସମ୍ମଜ୍ଜତୋ ମେ ଶରଣଂ କିମସ୍ତି।
ଗୁରୋ କୃପାଲୋ କୃପୟା ବଦୈତଦ୍
ବିଶ୍ୱେଶ-ପାଦାମ୍ବୁଜ-ଦୀର୍ଘନୌକା।।
ଜଗଦ୍ଗୁରୁ ଭାଗବତ୍ପାଦ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ଏହି ପ୍ରଶ୍ନୋତ୍ତରୀ ଏକ ସରଳ ସଂସ୍କୃତ ଭାଷାର ସାଧକ-ଶଙ୍କା-ସମାଧାନ- ସମ୍ବନ୍ଧିତ ସୁନ୍ଦର ଆଧ୍ୟାତ୍ମିକ ଶାସ୍ତ୍ର ଅଟେ। ଏହା ଗୁରୁଶିଷ୍ୟ ସମ୍ବାଦ ଆଧାରରେ ବାଦକଥା ରୂପରେ ଅତିଶୟ ହୃଦ୍ୟ କାବ୍ୟ ଟିଏ ।
ଶିଷ୍ୟ- ହେ କୃପାଳୁ ଗୁରୁଦେବ! ମୋତେ କୃପାପୂର୍ବକ ନିମ୍ନୋକ୍ତ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଏହି ଅପାର ସଂସାର ମଧ୍ୟରେ ମୁଁ ବୁଡି ବୁଡି ଯାଉଛି। ଏଥିରୁ ସମୁଦ୍ଧାର ପାଇଁ ମୋ ପକ୍ଷରେ କେଉଁ ଶରଣ ( ଅବଲମ୍ବନ ) ଅଛି?
ଗୁରୁ-
ପରମେଶ୍ବରଙ୍କ ପାଦପଦ୍ମ ହିଁ ସଂସାର ସମୁଦ୍ରରୁ ଉଦ୍ଧାର ପାଇବାର ଦୀର୍ଘ ନୌକା ଅଟେ।
ଚିନ୍ତନ:
ସଂସାର ଏକ ସମୁଦ୍ର ସହିତ ସମାନ। ଯେପରି ସମୁଦ୍ରର ତରଙ୍ଗ ଅତ୍ୟନ୍ତ ସୁନ୍ଦର ସେହିପରି ସଂସାର ବାହ୍ୟ ଚାକଚକ୍ୟ ହେତୁ ଅତ୍ୟନ୍ତ ସୁନ୍ଦର। କିନ୍ତୁ ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନେ ହିଁ ଜାଣିଛନ୍ତି ଯେ ସମୁଦ୍ର ମଧ୍ୟରେ ପ୍ରବଳ ଶୋଷ ହେଉଥିବା ସମୟରେ ସମୁଦ୍ରର ଜଳ ପିଇବାଯୋଗ୍ୟ ହୋଇ ନଥାଏ। ଯେଉଁମାନେ ସମୁଦ୍ର-ଭିତରକୁ ଯିବା ପୂର୍ବରୁ ମନେ କରି ମଧୁର ଜଳ ନେଇ ଯାଇଥିବେ ସେହି ମାନେ ହିଁ ନିଜ ତୃଷା ନିବାରଣ କରି ପାରିବେ। କିନ୍ତୁ ସମୁଦ୍ରର ଅଥାହ ଜଳରାଶି ତୃଷାତୁରର ତୃଷା ହରଣ ପାଇଁ ଅକ୍ଷମ। ଇନ୍ଦ୍ରିୟ ମାନଙ୍କ ତୃଷାର ହରଣ ପାଇଁ ଯେଉଁ ମାନେ ସମୁଦ୍ର ଭିତରକୁ ପଶି ଚାଲିଛନ୍ତି ସେମାନେ ଦିନେ ନିଜ ସମଗ୍ର ଚେଷ୍ଟାର ନିଷ୍ଫଳତାକୁ ଅକସ୍ମାତ ଅନୁଭବ କରିବାକୁ ବାଧ୍ୟ ହେବେ। ସମୁଦ୍ରର ଉପର ସ୍ରୋତ କୂଳକୁ ଠେଲି ଦିଏ। ପ୍ରବେଶକାରୀକୁ ଆନନ୍ଦ ଦିଏ। ଲାଗେ କି ସମୁଦ୍ର ସନ୍ତରଣ ଏକ ଆନନ୍ଦପୂର୍ଣ୍ଣ ଖେଳ। କିନ୍ତୁ କେତେବେଳେ ଯେ ତଳସ୍ରୋତ ( under current ) ତାକୁ ଟାଣି ନେଇ ଅତି ଅସହାୟ ଭାବରେ ମୃତ୍ୟୁର ସାକ୍ଷାତ୍କାର କରାଇ ଦିଏ ତାହା ସେ ନିଜେ ମଧ୍ୟ ଜାଣି ପାରେ ନାହିଁ। ବେଳାଭୂମିରୁ ସମୁଦ୍ର ଯେତେ ସୁନ୍ଦର ଲାଗେ ସମୁଦ୍ର ସ୍ୱରୂପତଃ ତାହା ନୁହେଁ। ମହାବାତ୍ୟା, ସୁନାମୀ ଓ ଅନେକ ଭୟଙ୍କର ଜୀବଙ୍କର ଉତ୍ସ ସମୁଦ୍ର ଅଟେ। ଏହି ସମୁଦ୍ର ସଂସାରର ସ୍ୱରୂପକୁ ବୁଝିବା ପାଇଁ ଏକ ଦୃଷ୍ଟାନ୍ତ।
ସ୍ତ୍ରୀ, ଧନ, ପୁତ୍ର, ମିତ୍ର, କୁଟୁମ୍ବ, ଶିକ୍ଷା, ଵୃତ୍ତି, ପ୍ରିୟବସ୍ତୁ ଓ ନିଜ ଅତିପ୍ରିୟ ଶରୀର ମଧ୍ୟ ଦିନେ ନିଜର ଅତ୍ୟନ୍ତ ପ୍ରତିକୂଳ ହୋଇ ଯାଇଥାନ୍ତି। ଏମାନେ ସୁଖର ଝଲକ ଦେଖାଇ ଦୁଃଖ ସାଗରରେ ନିମଗ୍ନ କରେଇ ଦିଅନ୍ତି। ସେତେବେଳେ କିଂ-କର୍ତ୍ତବ୍ୟ-ବିମୂଢ ଅବସ୍ଥାରେ ମନୁଷ୍ୟ ମନରେ ଯେଉଁ ପ୍ରଥମ ପ୍ରଶ୍ନ ଉଠେ ତାହା ହେଲା ଏହି ସଂସାର ସାଗରରେ ବୁଡି ଯିବା ହିଁ କଣ ଜୀବନର ସାରକଥା? ଏଥିରୁ ଉଦ୍ଧାର ପାଇବାର ଉପାୟ କଣ?
ଗୋଟି ଗୋଟି ବିଭିନ୍ନ ସମସ୍ୟାର ସମାଧାନ ପାଇଁ, ଶିକ୍ଷକ, ଡାକ୍ତର, ବୈଜ୍ଞାନିକ, ମନସ୍ତତ୍ତ୍ୱବିତ୍ ଓକିଲ, ପୂଜାରୀ ଇତ୍ୟାଦି ଅନେକ ପ୍ରକାରର ସମାଧାନ ଦାତା ଅଛନ୍ତି। କିନ୍ତୁ ସାମଗ୍ରିକ ରୂପରେ ସଂସାର- ଗର୍ତ୍ତପତନରୁ ଉଦ୍ଧାରର ପଥ କେବଳ ଗୁରୁ ହିଁ ପ୍ରଦର୍ଶିତ କରି ପାରନ୍ତି। ତେଣୁ ଏହି ପ୍ରଶ୍ନ ସିଧା ଗୁରୁଙ୍କୁ ପଚରା ଯାଇଛି।
ଗୋଟିଗୋଟି ଅନେକ ସାଂସାରିକ ସମସ୍ୟାର ସମାଧାନ ସ୍ଥାୟୀ ନୁହେଁ। ଏବଂ କୌଣସି ସମସ୍ୟା ମଧ୍ୟ ନିରପେକ୍ଷ ନୁହେଁ ଯେ ପ୍ରତ୍ୟେକ ନିରପେକ୍ଷ ସମାଧାନ ଦ୍ୱାରା ଏସବୁର ଚିରକାଳିକ ସମାଧାନ ସମ୍ଭବ ହୁଅନ୍ତା। ତେଣୁ ସିଧା ସମଗ୍ର ସଂସାରସାଗରରୁ ଉଦ୍ଧାର ପାଇବା ପାଇଁ ଏହି ପ୍ରଶ୍ନ; ଏହାକୁ ବେଦାନ୍ତ ଭାଷାରେ ଆମେ ମୁମୁକ୍ଷା କହି ପାରିବା।
ଯେପରି ସାଗରରୁ ଉଦ୍ଧାର ପାଇବା ପାଇଁ ସାଗରର ସାର୍କ ମାଛର ଆଶ୍ରୟ କରାଯାଏ ନାହିଁ ସେହିପରି ସଂସାରର କୌଣସି ଅଙ୍ଗର ଅବଲମ୍ବନ ସଂସାରରୁ ମୁକ୍ତି ଦେଇପାରେ ନାହିଁ। ତେଣୁ ଏହି ସଂସାର ଭିତରେ କଣ ଅଛି ଯେ କି ଏହି ସଂସାରରୁ ମୁକ୍ତି ପାଇଁ ଅବଲମ୍ବନ ହୋଇ ପାରିବ? ଏପର୍ଯ୍ୟନ୍ତ ଶିଷ୍ୟର ପ୍ରଶ୍ନ।
ରୁରୁ ଅତି ସଂକ୍ଷେପରେ କହିଲେ। ହେ ଶିଷ୍ୟ! ଏହି ସଂସାର ରୂପକ ସାଗରର ନିମଜ୍ଜନରୁ ଉଦ୍ଧାର ପାଇବା ପାଇଁ ବିଶେଶ୍ୱର ପରମାତ୍ମା ହିଁ ଏକ ମାତ୍ର ଅବଲମ୍ବନ ଅଟନ୍ତି। ସେ ସର୍ବବ୍ୟାପକ, ସଂସାର ଭିତରେ ସଂସାରର ଆଶ୍ରୟ ଭାବରେ ସେ ଅଛନ୍ତି ଓ ସଂସାରରୁ ମୁକ୍ତିଦାତା ଭାବରେ ସେ ହିଁ ସର୍ବତ୍ର ପରିବ୍ୟାପ୍ତ। କୋର୍ଟ ଦ୍ୱାରା ପ୍ରାଣଦଣ୍ଡରେଦଣ୍ଡିତ ବ୍ୟକ୍ତିକୁ ରାଷ୍ଟ୍ରପତି ରାଜକ୍ଷମା ଦେଇ ପାରନ୍ତି। କାରଣ ସେ ସମଗ୍ର ଦେଶର ଈଶ୍ବର ( ଶାସନକର୍ତ୍ତା) । ସେହିପରି ସଂସାରର (ବିଶ୍ବର) ନିୟାମକ ଈଶ୍ୱର ହିଁ ସଂସାରରୁ ଉଦ୍ଧାର କରି ପାରିବେ।
ଅବଧୂତ ଜ୍ଞାନାନନ୍ଦ