ସର୍ବାସ୍ୱବସ୍ଥାସ୍ୱପି କିଂ ନ କାର୍ଯ୍ୟଂ
କିଂ ବା ବିଧେୟଂ ବିଦୁଷା ପ୍ରୟତ୍ନାତ୍।
ସ୍ନେହଂ ଚ ପାପଂ ପଠନଂ ଚ ଧର୍ମଂ
ସଂସାରମୂଲଂ ହି କିମସ୍ତି ଚିନ୍ତା।।
ଶିଷ୍ୟ- ସମସ୍ତ ପରିସ୍ଥିତିରେ ମଧ୍ୟ କଣ କରିବା ଅନୁଚିତ ଓ ଜ୍ଞାନୀ ମାନଙ୍କ ଦ୍ୱାରା ସମସ୍ତ ଅବସ୍ଥାରେ ପ୍ରଯତ୍ନ ପୂର୍ବକ କଣ କରାଯିବା ଉଚିତ?
ଗୁରୁ- କୌଣସି ପରିସ୍ଥିତିରେ ମଧ୍ୟ ସଂସାର ପ୍ରତି ଅତିଶୟ ସ୍ନେହ କରିବା ଅନୁଚିତ। ସେହି ଭଳି ଅତ୍ୟନ୍ତ ଦୁଃସ୍ଥିତିରେ ମଧ୍ୟ ପାପ ( ପ୍ରତିଷିଦ୍ଧ କର୍ମ) କରିବା ଅନୁଚିତ।
ସମସ୍ତ ପରିସ୍ଥିତି ସତ୍ତ୍ୱେ ସତ୍-ଶାସ୍ତ୍ରର ଅଧ୍ୟୟନ ଓ ଶ୍ରୁତି ତଥା ସ୍ମୃତି ଦ୍ୱାରା ବିହିତ ଧର୍ମର ଅନୁଷ୍ଠାନ କରିବା ଉଚିତ।
ଶିଷ୍ୟ- ସଂସାରର ମୂଳ କିଏ ?
ଗୁରୁ-ଚିନ୍ତା ହିଁ ସଂସାରର ମୂଳ ଅଟେ।
ଚିନ୍ତନ:
ମନୁଷ୍ୟ ଜୀବନରେ ବିଭିନ୍ନ ପରିସ୍ଥିତି ଆସେ। ସୁଖ, ଦୁଃଖ, ସମୃଦ୍ଧି ଓ ହତାଶା ଆଦି। କିଛି ଲୋକଙ୍କ ପାଇଁ ଏପରି ପରିସ୍ଥିତି ଉପସ୍ଥିତ ହୁଏ ଯେ ସେମାନେ ସବୁଥିରେ ସଫଳ ହୋଇ ଯାଆନ୍ତି। ସେମାନେ ସମସ୍ତ ଅବୈଧ କାର୍ଯ୍ୟ କରି ମଧ୍ୟ ଭୌତିକ ସଫଳତାର ଶିଖରକୁ ସ୍ପର୍ଶ କରୁଥିବା ଦେଖା ଯାଏ। ଅନେକ ଅତ୍ୟନ୍ତ ବିହିତ ରୀତିରେ ଥାଇ ମଧ୍ୟ ବିଭିନ୍ନ ଦୁଃଖ ଓ ଦାରିଦ୍ୟ ଇତ୍ୟାଦି ଦୁର୍ଗତି ମଧ୍ୟରେ ପୀଡିତ ହେଉଥିବା ଦେଖା ଯାଏ। କିନ୍ତୁ ସୁଖ ହେଉ ବା ଦୁଃଖ ହେଉ କୌଣସି ପରିସ୍ଥିତିରେ ଯଦି ସଂସାର ପ୍ରତି ଅତିଶୟ ସ୍ନେହ ଉତ୍ପନ୍ନ ହୁଏ ଏହା ଜଡତାକୁ ବୃଦ୍ଧି କରେ। ମନୁଷ୍ୟ ବିବେକହୀନ ହୋଇ ଯାଏ। ନିର୍ବିବେକ ବ୍ୟକ୍ତି କର୍ତ୍ତବ୍ୟ ଓ ଅକର୍ତ୍ତବ୍ୟକୁ ଜାଣି ପାରେ ନାହିଁ। କିଛି କର୍ମ ତୁରନ୍ତ ଫଳ ଦେଇଥାନ୍ତି ଓ ଅନ୍ୟ କିଛି କର୍ମ ଅତି ବିଳମ୍ବରେ ଫଳ ଦେଇ ଥାନ୍ତି। ଦେଖା ଯାଏ ଯେ ଜଣେ ବର୍ତ୍ତମାନ ଭଲ କର୍ମ କରୁଛି କିନ୍ତୁ ଦାରିଦ୍ୟ ଇତ୍ୟାଦି ଦୁଷ୍ଫଳ ଭୋଗ କରୁଛି ଓ ଆଉଜଣେ ସମ୍ପୂର୍ଣ୍ଣ ବିଧିବିପରୀତ କର୍ମ କରି ଭୌତିକ ସଫଳତା ଲାଭ କରୁଛି । ଏହି କର୍ମ ଓ ଫଳର ବୈଷମ୍ୟ ସ୍ପଷ୍ଟ ଦେଖା ଯାଉଥିଲେ ମଧ୍ୟ ତାହା ଏକ ଭ୍ରମ ଅଟେ। କାରଣ ଏହି ବର୍ତ୍ତମାନ କର୍ମ ଓ ବର୍ତ୍ତମାନଫଳକୁ ଆମେ ଯୋଡି କରି ଦେଖୁଛୁ। ବସ୍ତୁତଃ ବର୍ତ୍ତମାନ କର୍ମରର ଫଳ ଉତ୍ପନ୍ନ ହୋଇ ନାହିଁ ଓ ଉତ୍ପନ୍ନ ଫଳ ଗୁଡିକ ପୂର୍ବ ଅନୁଷ୍ଠିତ କର୍ମ ଗୁଡିକର ଅଟନ୍ତି। ଅତଃ ଭ୍ରମରେ ପଡି ବିହିତ କର୍ତ୍ତବ୍ୟ କର୍ମର ଅନୁଷ୍ଠାନ ରୂପକ ଧର୍ମର ପରିତ୍ୟାଗ କରିବା ଅନୁଚିତ। ଲୋଭବଶତଃ ପ୍ରତିଷିଦ୍ଧ କର୍ମ କରିବା ଅନୁଚିତ। ଅନ୍ୟଥା ଉଚିତ ସମୟରେ ଏହାର ଫଳକୁ କର୍ତ୍ତା ନିଜେ ହିଁ ଭୋଗ କରିବାକୁ ବାଧ୍ୟ ହେବ ।
ସମସ୍ତ ପରିସ୍ଥିତିରେ ମଧ୍ୟ ନିରନ୍ତର ଶାସ୍ତ୍ରଗୁଡିକର ଅଧ୍ୟୟନ ଉଚିତ। ଏହା ଦ୍ୱାରା କର୍ତ୍ତବ୍ୟ-ବ୍ୟାମୋହ ହୁଏ ନାହିଁ। ଅତ୍ୟନ୍ତ ସୁଖକର ପରିସ୍ଥିତି ଓ ଅତିଶୟ ଦୁଃଖକର ପରିସ୍ଥିତିରେ କର୍ତ୍ତବ୍ୟ-ବ୍ୟାମୋହ ଉପସ୍ଥିତ ହୋଇ ଥାଏ। ସେଥିପାଇଁ ମନୁଷ୍ୟ ବିହିତର ପରିତ୍ୟାଗ ଓ ପ୍ରତିଷିଦ୍ଧର ସେବନ କରି ବିପଥଗାମୀ ହୁଏ। ସୁଖ-ଦୁଃଖ ଓ ହାନି-ଲାଭ ଆଦି ଦ୍ବନ୍ଦ୍ୱରେ କେବଳ ଆର୍ଷ ଶାସ୍ତ୍ର ହିଁ ସମତ୍ତ୍ୱବୁଦ୍ଧି ପ୍ରଦାନ କରି ଥାନ୍ତି।
ଧର୍ମର ପ୍ରଧାନ ଅଙ୍ଗ ହେଲା ସଂଵିଭାଗ। ଯେତେବେଳେ ଯେଉଁ ପରିସ୍ଥିତି ଆସୁ, ଯାହା ବି ଜୀବନ ଧାରଣ ପାଇଁ ଉପାର୍ଜିତ ବା ଉପସ୍ଥିତ ଥିବ ତାହାର ଉପଭୋଗ ପକ୍ଷପାତ ପୂର୍ବକ ନକରି ସଂଵିଭାଗ ପୂର୍ବକ କରିବା ଉଚିତ। ପଞ୍ଚଯଜ୍ଞ ବିନା ସମସ୍ତ ଦିବ୍ୟ ଭୋଗ ମଧ୍ୟ ବିଷଠାରୁ ଅଧିକ ବିଷାକ୍ତ ହୋଇ ଯାଏ। ଈଶ୍ୱରାର୍ପଣ-ବୁଦ୍ଧି ବିନା କର୍ତ୍ତୃତ୍ୱ ଓ ଭୋକ୍ତୄତ୍ବ ବନ୍ଧନର କାରଣ ହୋଇ ଥାଆନ୍ତି। ତେଣୁ ବିହିତ କର୍ମ ଓ ଉପାସନା ଗୁଡିକ ମଧ୍ୟ ଈଶ୍ୱରାର୍ପିତ-ବୁଦ୍ଧିରେ ଅନୁଷ୍ଠିତ ହେଲେ ଅହନ୍ତା ଓ ମମତ୍ବ ଶିଥିଳ ହୋଇ ଚିତ୍ତ ଶୁଦ୍ଧି ହୁଏ। ବିବେକ-ବୋଧ ଲାଭ ହୁଏ। ଆତ୍ମଜ୍ଞାନ ପାଇଁ ଯୋଗ୍ୟତା ଉତ୍ପନ୍ନ ହୁଏ। ଅତଃ ଈଶ୍ୱରାର୍ପଣବୁଦ୍ଧି ମଧ୍ୟ ଧର୍ମର ପ୍ରଧାନ ଅଙ୍ଗ ଅଟେ। ଏହାର ପରିତ୍ୟାଗ କଦାପି କରିବା ଅନୁଚିତ।
ଚିନ୍ତା ହିଁ ସଂସାରର ହେତୁ। ଅପ୍ରାପ୍ତର ପ୍ରାପ୍ତି ପାଇଁ ଚିନ୍ତା, ପ୍ରାପ୍ତିର ରକ୍ଷଣପାଇଁ ଚିନ୍ତା, ଗତପାଇଁ ଚିନ୍ତା, ଅନାଗତ ପାଇଁ ଚିନ୍ତା ଓ ବର୍ତ୍ତମାନ ଲବ୍ଧର ସଂରକ୍ଷଣ ପାଇଁ ଚିନ୍ତା ଇତ୍ୟାଦି ଦ୍ୱାରା ମନୁଷ୍ୟ ନିରନ୍ତର ଜଡିତ। ରାଗ, ଆଶା ଓ ଚେଷ୍ଟା ସହିତ ଅପରିତୋଷ ଏହି ଚିନ୍ତାର ବୃଦ୍ଧିରେ କାରଣ ଭାବରେ ରହି ଥାନ୍ତି। ଚିନ୍ତା ହିଁ ବିଭିନ୍ନ ଶୁଭାଶୁଭକର୍ମର ଘଟକ ଓ ଚିତ୍ତବିକ୍ଷେପର ହେତୁ ହୋଇ ମନୁଷ୍ୟକୁ କର୍ତ୍ତବ୍ୟବିମୂଢ କରାଇ ଥାଏ ଓ ଶୁଭାଶୁଭ କର୍ମବଶତଃ ବିଭିନ୍ନ ଯୋନିରେ ନିକ୍ଷେପ କରେ। ତେଣୁ ଏହି ଚିନ୍ତା ସଂସାରବୃକ୍ଷର ମୂଳ ଅଟେ।