ପ୍ରଶ୍ନୋତ୍ତରୀ ଶ୍ଳୋକସଙ୍ଖ୍ୟା-୧୦

କୋ ବା ଜ୍ବରଃ ପ୍ରାଣଭୃତାଂ ହି ଚିନ୍ତା
ମୂର୍ଖୋଽସ୍ତି କୋ ୟୋ ବିବେକହୀନଃ।
କାର୍ଯ୍ୟା ପ୍ରିୟା କା ଶିବ-ବିଷ୍ଣୁ-ଭକ୍ତିଃ
କିଂ ଜୀବନଂ ଦୋଷବିବର୍ଜିତଂ ୟତ୍।।

ଶିଷ୍ୟ- ପ୍ରାଣୀମାତ୍ର ପାଇଁ ଜ୍ଵରର ବିକଳ୍ପଭୂତ ଜ୍ୱର କଣ?

ଗୁରୁ- ପ୍ରତ୍ୟେକ ପ୍ରାଣୀ ଚିନ୍ତା ଦ୍ୱାରା ଆତୁର । ଏହାର ଚିକିତ୍ସା ବୈଦ୍ୟକ ଶାସ୍ତ୍ରରେ ସହଜ ନୁହେଁ। ତେଣୁ ସମସ୍ତ ସାଧ୍ୟ ଓ ଅସାଧ୍ୟ ଜ୍ୱର ଠାରୁ ମଧ୍ୟ ଏହା ବଡ଼ ଜ୍ୱର ଅଟେ।

ଶିଷ୍ୟ- ମୂର୍ଖ କିଏ?
ଗୁରୁ- ହିତ ଓ ଅହିତ, ଶ୍ରେୟ ଓ ପ୍ରେୟ, ସତ୍ୟ ଓ ମିଥ୍ୟା ତଥା ନିତ୍ୟ ଓ ଅନିତ୍ୟ ଇତ୍ୟାଦିର ଯେ ପାର୍ଥକ୍ୟ ଜାଣେ ନାହିଁ ସେ ହିଁ ମୂର୍ଖ।

ଶିଷ୍ୟ- ପ୍ରିୟ କ୍ରିୟା କେଉଁଟି ?
ଗୁରୁ- ଶିବ ଓ ବିଷ୍ଣୁଙ୍କ ଭକ୍ତି ହିଁ ପ୍ରିୟ କ୍ରିୟା ଅଟେ। ( ଏହା ସ୍ମାର୍ତ୍ତ ପଞ୍ଚଦୈବତ ଉପାସନାର ଉପଲକ୍ଷଣ ଅଟେ)। ଶିବ, ବିଷ୍ଣୁ , ଗଣେଶ, ସୂର୍ଯ୍ୟ ଓ ଦେବୀ ଭାବରେ ବିଭିନ୍ନ ନାମରୂପରେ ପରମେଶ୍ବର ହିଁ ଉପାସିତ। ପରମେଶ୍ବରଙ୍କ ଉପାସନା ହିଁ ଅତିଶୟ ପ୍ରିୟ କାର୍ଯ୍ୟ ଅଟେ।

ଶିଷ୍ୟ- ଜୀବନ କଣ ?
ଗୁରୁ- ଯାହା ଦୋଷ ବିବର୍ଜିତ ଅଟେ ବା ପ୍ରତିଷିଦ୍ଧ-କାର୍ଯ୍ୟ-ବିରହିତ ଅଟେ।

ଚିନ୍ତନ:

ବିଭିନ୍ନ ପ୍ରାଣୀ ବିଭିନ୍ନ ପ୍ରକାରର ରୋଗରେ ପୀଡିତ ହୁଅନ୍ତି ଓ ଚିକିତ୍ସା ଦ୍ୱାରା ରୋଗମୁକ୍ତ ମଧ୍ୟ ହୁଅନ୍ତି। କେହି ଦୁରାରୋଗ୍ୟ-ବ୍ୟାଧି ହେତୁ ମୃତ୍ୟୁ ମୁଖରେ ମଧ୍ୟ ପଡନ୍ତି। ପ୍ରତ୍ୟେକ ପ୍ରାଣୀ ପାଇଁ ଜ୍ୱର ( ଏକ ରୋଗ ବିଶେଷ, କିନ୍ତୁ ବ୍ୟାଧିସାମାନ୍ୟ ଅର୍ଥରେ ଉକ୍ତ ହୋଇଛି) ମାନଙ୍କ ଠାରୁ ମଧ୍ୟ ଭିନ୍ନ ଓ କୌଣସି ଅତିଶୟ ଜ୍ୱର ଭଳି କ୍ଷୋଭକ ଜ୍ୱରଟି କଣ? ଏହା ଶିଷ୍ୟର ପ୍ରଶ୍ନ।

ଏଠାରେ ଯଦ୍ୟପି ପ୍ରାଣୀମାତ୍ର କଥା କୁହାଯାଇଛି ତଥାପି ମନୁଷ୍ୟ ଉଦ୍ଦେଶ୍ୟରେ ହିଁ ପ୍ରାଣୀମାତ୍ର ଶବ୍ଦର ପ୍ରବୃତ୍ତି। ଅତିଶୟ ଚିନ୍ତାକୁଳ ମନୁଷ୍ୟ ହିତାହିତ-ବିବେକ-ଶୁନ୍ୟ ହୋଇ ଅନ୍ୟ ପ୍ରାଣଧାରୀ ପଶୁ ମାନଙ୍କ ସହିତ ତୁଲ୍ୟ ହୋଇ ଯାଏ। ବା, ଅତ୍ୟଧିକ ଚିନ୍ତା ହେତୁ ମୋହଗ୍ରସ୍ତ ହୋଇ ବୃକ୍ଷ ଇତ୍ୟାଦି ସ୍ଥାବର ତୁଲ୍ୟ ହୋଇ ଯାଇ ଥାଏ।

ଚିତା-ଚିନ୍ତା-ଦ୍ୱୟୋର୍ମଧ୍ୟେ
ଚିନ୍ତା ଏବ ଗରୀୟସୀ।
ଚିତା ଦହତି ନିର୍ଜୀବଂ
ଚିନ୍ତା ଦହତି ଜୀବିତମ୍।।

ଚିତା ଓ ଚିନ୍ତା ମଧ୍ୟରେ ଚିନ୍ତାର ପ୍ରଭାବ ଅଧିକ । ମଲା ପରେ ମନୁଷ୍ୟକୁ ଚିତା ଦହନ କରେ। କିନ୍ତୁ ଜୀବିତ ଅବସ୍ଥାରେ ଚିନ୍ତା ଦହନ କରେ। ତେଣୁ ଜ୍ୱର ଗୁଡିକ ଠାରୁ ମଧ୍ୟ ଏହା ଅଧିକ ମାରାତ୍ମକ ଜ୍ୱର ଅଟେ। IIT ରେ ପ୍ରବେଶ ପାଇଁ ଭଲ ପାଠ ପଢ଼ିବାର ଚିନ୍ତା; IIT ରେ ପ୍ରବେଶ ପରେ ଭଲ placement ର ଚିନ୍ତା; placement ପରେ ବସ୍ ମାନଙ୍କ ବ୍ୟବହାର କୁ ନେଇ ଚିନ୍ତା; ଅଧିକ ରୋଜଗାର ସତ୍ତ୍ୱେ ପରିବାରକୁ ସମୟ ଦେଇ ନପାରିବାର ଚିନ୍ତା; ସଫଳତା ପରେ ସମକକ୍ଷ ଓ ଅଧିକ ସଫଳ ବ୍ୟକ୍ତିର ଉତ୍କର୍ଷର ଚିନ୍ତା; ବିଫଳତା ତ ସହଜରେ ଚିନ୍ତାର ଆମନ୍ତ୍ରକ। ଏହି ପରି ଦେଖିଲେ ମନୁଷ୍ୟର ସମଗ୍ର ବ୍ୟବହାରିକ ଜୀବନ ହିଁ ଚିନ୍ତାକୁଳ ଅଟେ। ଏହି ଚିନ୍ତାର ବିସ୍ତାର ଭିତରେ କେତେବେଳେ ଚିତା ଅତି ନିକଟତର ହୋଇ ଯାଏ ମନୁଷ୍ୟ ଜାଣି ପାରେ ନାହିଁ। ଏହା ଆଧୁନିକ ପରିପ୍ରେକ୍ଷାରେ ଉନ୍ନତି ବା ବିକାଶର ହେତୁ ହୋଇ ପାରେ, କିନ୍ତୁ ଦାର୍ଶନିକ ପ୍ରେକ୍ଷାପଟରେ ମନୁଷ୍ୟକୁ ଏହା ପଶୁତ୍ୱ ଠାରୁ ଅଧିକ କିଛି ଦେଇ ନଥାଏ।

ମୂର୍ଖ କିଏ ? ଯେ ନିରକ୍ଷର ସେ ମୂର୍ଖ କି? ଯେ ଇଂଲିଶ ପଢି ବୁଝି ପାରେ ନାହିଁ ସେ ମୂର୍ଖ କି? କର୍ପୋରେଟ୍ ଜଗତର ଛଳପୂର୍ଣ୍ଣ ସ୍ମାର୍ଟ ବ୍ୟବହାର ଜାଣି ନଥିବା ବ୍ୟକ୍ତି ମୂର୍ଖ କି? ଭାଷଣଦାତାଙ୍କ ଆଗରେ ଜୋଡ-ହସ୍ତ-ହୋଇ ଦଣ୍ଡାୟମାନ ଓ କଳ୍ପିତ କାହାଣୀକୁ ମନକର୍ଣ୍ଣ ଦେଇ ଶୁଣୁ ଥିବା ବ୍ୟକ୍ତିଟି ମୂର୍ଖ କି? ନେତାଙ୍କ ରାଲିରେ ସ୍ଲୋଗାନ ଦେଉଥିବା ବ୍ୟକ୍ତିଟି ମୂର୍ଖ କି? କୌଣସି ସ୍ବର୍ଗୀୟ ପୁସ୍ତକ ଓ ରାଜନୀତିକ ବ୍ୟବସ୍ଥାକୁ ପରମାର୍ଥ ସତ୍ୟ ଭାବୁଥିବା ବ୍ୟକ୍ତିଟି ମୂର୍ଖ କି? ବେଶଧାରୀ ପ୍ରଚାରକ ମାନଙ୍କୁ ଧର୍ମଗୁରୁ ଭାବୁଥିବା ବ୍ୟକ୍ତିଟି ମୂର୍ଖ କି? ଏହି ପରି ମୂର୍ଖତ୍ୱ ସମ୍ବନ୍ଧରେ ଅନେକ ପ୍ରାସଙ୍ଗିକ ପ୍ରଶ୍ନ ମନରେ ଉଠିଥାଏ। ଏହାର ଉତ୍ତର ଏକଦମ୍ ଶବ୍ଦଶଃ କହିବା ନାହିଁ। "ଆମେ କାହିଁ ପାଇଁ କହିବା? କହିଲେ କଳି କଜିଆ ଲାଗିବ"? ତଥାପି ସତ୍ୟ ଜାଣି ମୌନ ରହିବା ମଧ୍ୟ ମହା ପାପ। ତେଣୁ ସଂକ୍ଷେପରେ କହିଲେ ବିବେକହୀନ ପ୍ରାଣୀ ହିଁ ମୂର୍ଖ ଅଟେ। ବିବେକର ଅର୍ଥ ପାର୍ଥକ୍ୟ ଜ୍ଞାନ । ଅବିବେକର ଅର୍ଥ ପାର୍ଥକ୍ୟର ଅନବଗାହନ ବା ସାମନ୍ୟୀକରଣ। ଯେ ଶିକ୍ଷା ଓ ବିଦ୍ୟାର ପାର୍ଥକ୍ୟ ଜାଣେ ନାହିଁ ଉଭୟକୁ ସମାନ ବୋଲି ଭାବେ ସେ ମୂର୍ଖ। ଯେ ବ୍ୟବସ୍ଥା ଓ ଧର୍ମର ପାର୍ଥକ୍ୟ ଜାଣେ ନାହିଁ ସେ ମୂର୍ଖ ଅଟେ। ସେହିପରି ଆଢ୍ୟ ଓ ଈଶ୍ବର, ନେତା ଓ ଦ୍ରଷ୍ଟା, ଅଧ୍ୟାପକ ଓ ଗୁରୁ, ସମ୍ବନ୍ଧୀ ଓ ହିତକାରୀ, ବକ୍ତୃତା ଓ ଉପଦେଶ, ପୁସ୍ତକ ଓ ଶାସ୍ତ୍ର, ଯୋଗ୍ୟତା ଓ ପ୍ରତିଭା, ବେଶଧାରୀ ଓ ସାଧୁ, ଅଭିନୟ ଓ ବିନୟ , ସିଦ୍ଧି ଓ ପ୍ରସିଦ୍ଧି, ଜଡ ଓ ଚୈତନ୍ୟ, ଆତ୍ମା ଓ ଅହନ୍ତା, ନିତ୍ୟ ଓ ମର୍ତ୍ତ୍ୟ ଇତ୍ୟାଦି ମଧ୍ୟରେ ଯେ ପାର୍ଥକ୍ୟ ଦେଖି ପାରେ ନାହିଁ ସେ ହିଁ ମୂର୍ଖ-ଶବ୍ଦ-ବାଚ୍ୟ।

ପ୍ରିୟ କାର୍ଯ୍ୟ କଣ ? ଏହା ମଧ୍ୟ ଏକ ଦାର୍ଶନିକ ପ୍ରଶ୍ନ। ଯାଜ୍ଞବଳ୍କ୍ୟଙ୍କ ମତରେ "ଆତ୍ମାନଃସ୍ତୁ କାମାୟ ସର୍ବଂ ପ୍ରିୟଂ ଭବତି'। ସମସ୍ତଙ୍କ ପକ୍ଷରେ ଆତ୍ମା ବା ନିଜେ ହିଁ ନିଜ ପାଇଁ ଅତିଶୟ ପ୍ରିୟ। ସ୍ତ୍ରୀ, ପୁତ୍ର, ଧନ ଇତ୍ୟାଦି ମଧ୍ୟ ଆତ୍ମପ୍ରିୟତା ପାଇଁ ପ୍ରିୟ ଅଟନ୍ତି। ଅତଃ ଏହି ଆତ୍ମା ସମସ୍ତଙ୍କର ଅତିଶୟ ପ୍ରିୟ ଅଟେ। କିନ୍ତୁ ଆତ୍ମା ଓ ଅହନ୍ତା ଅହଙ୍କାର ବା (ମୁଁତ୍ବ ବୋଧ) ମଧ୍ୟରେ ଯେଉଁ ସାମାନ୍ୟୀକରଣଟି ରହିଛି ତାହା ଆତ୍ମାର ଯଥାର୍ଥ ସ୍ୱରୂପକୁ ଆଚ୍ଛାଦିତ କରି ରଖିଛି। ଏହି ଆତ୍ମା ମଧ୍ୟରେ ବିଶ୍ବାତ୍ମା ପରମେଶ୍ବର ନିଜେ ବିରାଜମାନ କରିଛନ୍ତି। କିନ୍ତୁ ବୁଦ୍ଧିର ଜଡତା ଜନ୍ମ-ଜନ୍ମ ଧରି ଏହା ବୁଝିବାକୁ ଅସମର୍ଥ । ସେହି ବୌଦ୍ଧିକ ଜଡତାର ଉଚ୍ଛେଦ ପାଇଁ ଅପୌରୁଷେୟ ବୈଦିକପ୍ରବୃତ୍ତି ଅଟେ। କିନ୍ତୁ ସେଥିରେ ଅସମର୍ଥତା ହେତୁ ସ୍ମାର୍ତ୍ତ କର୍ମ ଓ ଉପାସନା ମଧ୍ୟ ବୁଦ୍ଧିର ବୈଶାରଦ୍ୟ ପାଇଁ ଋଷି ମାନେ ପ୍ରବର୍ତ୍ତିନ କରିଛନ୍ତି। ସମସ୍ତ ଉପାସନା ମଧ୍ୟରେ ଈଶ୍ୱର ଉପାସନା ଅଧିକ ଶ୍ରେୟ ପ୍ରଦାନ କରେ। ରୁଚିର ବିବିଧତା ହେତୁ ଈଶ୍ୱରଙ୍କ ସ୍ୱରୂପକୁ ପଞ୍ଚବିଧ ଉପାସ୍ୟ ଦେବତ୍ଵ ଭାବରେ ନିରୁପିତ କରାଯାଇଛି। ଗଣପତି, ନାରାୟଣ (ବିଷ୍ଣୁ) , ରୁଦ୍ର ( ଶିବ ), ଅମ୍ବିକା ( ପରାଶକ୍ତି ଓ ଅପରାଶକ୍ତି ), ସୂର୍ଯ୍ୟ ଭାବରେ ଈଶ୍ବରଙ୍କ ସ୍ମାର୍ତ୍ତ ଉପାସନା ବିହିତ ଅଟେ। କିନ୍ତୁ ଏସବୁ ସେହି ପରମେଶ୍ବରଙ୍କ ବିଭିନ୍ନ ନାମରୂପ ହିଁ ଅଟେ । ସେହି ପରମେଶ୍ବର ଉପାସକର ଆତ୍ମା ଠାରୁ ପୃଥକ୍ ନୁହନ୍ତି। ତେଣୁ ଈଶ୍ୱର ଭକ୍ତି ହିଁ ଯଥାର୍ଥ ପ୍ରିୟତା ସମ୍ପାଦନ ଅଟେ। ନାସ୍ତିକ୍ୟ ଆତ୍ମହିଂସା ଅଟେ। କାରଣ ଆତ୍ମପ୍ରିୟତାକୁ ସମର୍ପିତ ସେହି ନାସ୍ତିକ୍ୟ ଆତ୍ମଜ୍ଞାନ ଶୂନ୍ୟ ଅଟେ।

ଯଥାର୍ଥ ଜୀବନ କଣ ? ଦୋଷ-ବର୍ଜିତ ଜୀବନ ହିଁ ଯଥାର୍ଥ ଜୀବନ। ତାହା ହେଲେ ଦୋଷ ଗୁଡିକ କଣ? ତାହାର ବର୍ଜନା କିପରି? କାମ, କ୍ରୋଧ ଇତ୍ୟାଦି ପୌରୁଷ ଦୋଷ ଅଟନ୍ତି। ଅଜ୍ଞାନ ସବୁ ଦୋଷର ମୂଳ ଦୋଷ ଅଟେ। ପ୍ରତିଷିଦ୍ଧ କର୍ମ କରି ସାରି "ମୁଁ ବିଧି ନିଷେଧ ଜାଣି ନାହିଁ" କହିଲେ କ୍ଷମା ହୁଏ ନାହିଁ। ଅବଶ୍ୟ କର୍ମଫଳ ଭୋଗ କରିବାକୁ ପଡେ। ଅଜ୍ଞାନକର୍ତୃକ ଅହନ୍ତା ଓ ମମତା ଅନ୍ତର୍ଗତ ଅନ୍ୟ ସମସ୍ତ ଦୋଷ ଅଟନ୍ତି। ଏହା ଦ୍ୱାରା ହିଁ ମହାପତକ ଓ ଉପପାତକ ଗୁଡିକରେ ପ୍ରବୃତ୍ତି ହୋଇଥାଏ । କୌଣସି ଅନିବାର୍ଯ୍ୟ ପରିସ୍ଥିତିରେ ଯଦି ପାପ ହୋଇ ଥାଏ ତାହା ପ୍ରାୟଶ୍ଚିତ୍ତ ଯୋଗ୍ୟ ଅଟେ। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବରେ ବା ଅଭ୍ୟାସଗତ ଭାବରେ ପାପ କଲେ ତାହା ପ୍ରାୟଶ୍ଚିତ୍ତ ଯୋଗ୍ୟ ନ ହୋଇ ଦୁର୍ଗତିକୁ ସୁନିଶ୍ଚିତ କରେ। ଅଧ୍ୟାତ୍ମ ଦୃଷ୍ଟିରୁ ସକାମତା ପ୍ରତିଷିଦ୍ଧ ଅଟେ। ତେଣୁ ବିହିତ ସକାମ କର୍ମ ମଧ୍ୟ ଦୋଷଯୁକ୍ତ ହେତୁ ବର୍ଜ୍ୟ ଅଟେ।

ଅତଏବ ଅଧ୍ୟାତ୍ମ ପାଇଁ ପ୍ରତିଷିଦ୍ଧ କର୍ମ ଓ ସକାମ କର୍ମ ପ୍ରଥମରୁ ହିଁ ବର୍ଯ୍ୟ ଅଟନ୍ତି । ପାପକରି ତାହାର ପ୍ରାୟଶ୍ଚିତ୍ତ କରିବା ମଧ୍ୟ କାଳକ୍ଷେପକାରୀ ପ୍ରକ୍ରିୟା ଅଟେ । ମୁମୁକ୍ଷୁ ମାନେ ପ୍ରତିଷିଦ୍ଧ କର୍ମ କରନ୍ତି ନାହିଁ ଓ ସେଥିପାଇଁ ପ୍ରାୟଶ୍ଚିତ୍ତ ମଧ୍ୟ କରନ୍ତି ନାହିଁ। କାମ୍ୟ କର୍ମ କରି ଫଳରେ ଲିପ୍ତ ମଧ୍ୟ ହୁଅନ୍ତି ନାହିଁ। ବୈରାଗ୍ୟ ଉତ୍ପତ୍ତି ପର୍ଯ୍ୟନ୍ତ କେବଳ ବିହିତ ନିତ୍ୟ ଓ ନୈମିତ୍ତିକ କର୍ମ ହିଁ ନିଷ୍କାମ ଭାବରେ ମୁମୁକ୍ଷୁ ମାନେ କରି ଥାନ୍ତି। ବିହିତର ପରିତ୍ୟାଗ ଓ ପ୍ରତିସିଦ୍ଧର ସେବନ ହିଁ ମାନବଜୀବନର ମହତ୍ତ୍ୱକୁ ଗୌଣ କରି ଦିଏ। ଫଳରେ ବିଭିନ୍ନ ନୀଚ ଯୋନିରେ ବା ପ୍ରେତ ଯୋନିରେ ନିପତିତ ହେବାକୁ ହୁଏ। ତେଣୁ କାମ୍ୟ ଓ ପ୍ରତିଷିଦ୍ଧ-ଆଚରଣ-ବିହୀନ ନିଷ୍କଳଙ୍କ ଜୀବନ ହିଁ ଯଥାର୍ଥ ମାନବ ଜୀବନ ଅଟେ।