ପ୍ରଶ୍ନୋତ୍ତରୀ ଶ୍ଳୋକସଙ୍ଖ୍ୟା-୧୧

ବିଦ୍ୟା ହି କା ବ୍ରହ୍ମଗତିପ୍ରଦା ୟା ବୋଧୋ ହି କୋ ୟସ୍ତୁ ବିମୁକ୍ତିହେତୁଃ। କୋ ଲାଭଃ ଆତ୍ମାବଗମୋ ହି ୟୋ ବୈ ଜିତଂ ଜଗତ୍କେନ ମନୋ ହି ୟେନ।। ଶିଷ୍ୟ- ଯଥାର୍ଥରେ ବିଦ୍ୟା କାହାକୁ କୁହାଯାଏ? ଗୁରୁ- ଯାହା ବ୍ରହ୍ମତତ୍ତ୍ୱରେ ପ୍ରତିଷ୍ଠିତ କରାଏ ସେହି ଋଗ୍ବେଦାଦି ଲକ୍ଷଣ ଅଧ୍ୟୟନ-ଅଧ୍ୟାପନଯୋଗ୍ୟ ଅପରା ସଂଜ୍ଞକ ଓ ତତ୍ତ୍ୱସାକ୍ଷତ୍କାର ଲକ୍ଷଣ ଅପରୋକ୍ଷ-ଅନୁଭବରୂପା ପରା ସଂଜ୍ଞକ ବିଦ୍ୟା ଅଟେ। ଶିଷ୍ୟ- ବୋଧ କଣ? ଗୁରୁ- ଆତ୍ମବିମୁକ୍ତିର ନିୟତ-କାରଣ ବୋଧ ଅଟେ, ଯାହାକୁ ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ କୁହାଯାଏ। ଶିଷ୍ୟ- ଲାଭ କଣ ? ଗୁରୁ- ନିଶ୍ଚୟପୂର୍ବକ ଆତ୍ମାର ବ୍ରହ୍ମତତ୍ତ୍ୱ ଠାରୁ ଅଭେଦ ଜ୍ଞାନ ଦ୍ୱାରା ଆତ୍ମଲାଭ ହିଁ ଯଥାର୍ଥ ଲାଭ ଅଟେ। ଶିଷ୍ୟ- କିଏ ସମଗ୍ରଜଗତକୁ ଜିତିପାରିଛି? ଗୁରୁ- ଯେ ନିଜ ମନକୁ ଜିତି ପାରିଛି ସେ ହିଁ ସମଗ୍ର ଜଗତକୁ ଜିତି ପାରିଛି। ଚିନ୍ତନ: ବେଦରେ ବିଦ୍ୟା ଶବ୍ଦ ପାରିଭାଷିକ ଅଟେ। ଶିଳ୍ପ ଆଦି କର୍ମକୁ ଏବେ ବିଦ୍ୟା ବୋଲି କୁହାଯାଉଛି। କିନ୍ତୁ ତାହା ସଂସ୍କୃତ ଭାଷାର ହୃଦୟ ନୁହେଁ। ବେଦ ଅନୁସାରେ ଅପରା ଓ ପରା ଭେଦରେ ବିଦ୍ୟା ଦୁଇ ପ୍ରକାରର। ଋଗ୍-ବେଦ, ୟଜୁର୍ବେଦ, ସାମବେଦ, ଅଥର୍ବବେଦ ଓ ବେଦର ଛଅ ଅଙ୍ଗ ସହିତ ସ୍ମୃତି ଶାସ୍ତ୍ର ଗୁଡିକ ଅପରା ବିଦ୍ୟା ଅଟନ୍ତି । ତତ୍ତ୍ୱ-ସାକ୍ଷାତକାର-ଲକ୍ଷଣ ବ୍ରହ୍ମଜ୍ଞାନ ପରା ବିଦ୍ୟା ଅଟେ। ବ୍ୟାବହାରିକ ଯେ କୈଣସି ଜ୍ଞାନ ଓ କର୍ମ ଅବିଦ୍ୟା ଅଟେ। ଏଠାରେ ବିଦ୍ୟା କଣ, ଏହି ପ୍ରଶ୍ନର ଉତ୍ତର ମୁଖ୍ୟତଃ ବ୍ରହ୍ମସାକ୍ଷାତ୍କାର ଲକ୍ଷଣ ବ୍ରହ୍ମଜ୍ଞାନ ଅଟେ। ତାହାର ସାଧକ ହେତୁ ବେଦାଦି ଲକ୍ଷଣ ଅପରାବିଦ୍ୟା ମଧ୍ୟ ଗ୍ରାହ୍ୟ ଅଟେ। ବୋଧ କଣ? ବିଦ୍ୟା ଓ ବୋଧ ଭିତରେ ଯେଉଁ ପାର୍ଥକ୍ୟ ଅଛି ତାକୁ ଜାଣିବାକୁ ପଡିବ। ଯଦ୍ୟପି ବିଦ୍ୟା ବ୍ରହ୍ମଜ୍ଞାନ ସମ୍ବନ୍ଧିନୀ ଅଟେ ତଥାପି ଅପରାବିଦ୍ୟାର ଇତର-ଫଳ-ସମ୍ବନ୍ଧ ମଧ୍ୟ ରହିଛି । ବ୍ରହ୍ମତେଜ, ଉତ୍ତମ ସ୍ୱାସ୍ଥ୍ୟ, ପ୍ରଭୂତ ଧନ, ଉତ୍ତମ ଭୋଗ, ଉତ୍ତମ ସନ୍ତାନ ପ୍ରାପ୍ତି, ସ୍ୱର୍ଗ ଠାରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଗତି ଇତ୍ୟାଦି ରୂପକ ଫଳ ସହିତ ବିଦ୍ୟାର ସମ୍ବନ୍ଧ ରହିଛି। ବୋଧ ଏକ ଉଚ୍ଚସ୍ତରର ଜାଗରଣ ଅଟେ। ଯେଉଁଠି ଜଡତ୍ୱ ଓ ସ୍ୱର୍ଗ ଠାରୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତ ଅନିତ୍ୟ ଭୋଗର ଲାଭ ଅତ୍ୟନ୍ତ ହେୟ। ଏଠାରେ ମୋକ୍ଷ ଠାରୁ ତଳ ସ୍ତରର କୌଣସି ପ୍ରକାରର ଲାଭ ତୁଚ୍ଛ ଅଟେ। ତେଣୁ ଅପରୋକ୍ଷ ବ୍ରହ୍ମଅନୁଭବ ରୂପକ ବିଦ୍ୟା ହିଁ ବୋଧ ଅଟେ। ତାହାର ହେତୁ ଭାବରେ ପରୋକ୍ଷବ୍ରହ୍ମଜ୍ଞାନକୁ ମଧ୍ୟ ଗ୍ରହଣ କରାଯାଏ ଯଦି ତାହା ବିବେକ ଓ ବୈରାଗ୍ୟ ଆଦି ସାଧନ ସମ୍ପନ୍ନତା ସହିତ ସମ୍ପାଦିତ ହୋଇ ଥାଏ। ଲାଭ କଣ? ସମସ୍ତ ଇହଲୌକିକ ଓ ପାରଲୌକିକ ଫଳଭୋଗରେ ଆତ୍ମାର ଯଥାର୍ଥ ସ୍ୱରୂପ କେବଳ କର୍ତ୍ତୃତ୍ୱ ଓ ଭୋକ୍ତୄତ୍ବ ବୃତ୍ତିରେ ସଙ୍କୁଚିତ ହୋଇ ନାନା ଯୋନି ଭ୍ରମଣ କରେ। ସେଠାରେ ସେ ନିଜର ପରମାର୍ଥ ସ୍ୱରୂପର ଉପେକ୍ଷାରେ ହିଁ ଉପସ୍ଥିତ ଥାଏ। ଆତ୍ମଜ୍ଞାନ ଦ୍ୱାରା ଆତ୍ମାର ବ୍ରହ୍ମସ୍ୱରୂପତାର ଲାଭ ହିଁ ପରମ ଲାଭ ଅଟେ। କାରଣ ଅନ୍ୟ ସମସ୍ତ ଲାଭ ସାତିଶୟ ଅଟେ। ପରମ ତୃପ୍ତି ଦେଇ ନଥାଏ। ସମଗ୍ର ଜଗତକୁ କିଏ ଜିତି ପାରିଛି? ଅନେକ ରାଜା, ମହାରାଜା ଓ ସମ୍ରାଟ ମାନେ ବହୁ ରାଜ୍ୟ , ବହୁ ଧନ-ସମ୍ପଦ ଜିତିଛନ୍ତି। କିନ୍ତୁ ଇତିହାସକୁ ଦେଖିଲେ ଜଣା ଯାଏ ଯେ କେହି ଅତ୍ୟନ୍ତ ତୃପ୍ତିରେ ଶେଷନିଶ୍ୱାସ ତ୍ୟାଗ କରି ନାହିଁ। ବିଜୟର ଇଚ୍ଛା ସରି ନାହିଁ କିନ୍ତୁ ଆୟୁ ସରି ଯାଇଛି। ଯଥାର୍ଥରେ ବିଜୟେଚ୍ଛା, ବିଜୟର ଆନନ୍ଦ ଓ ପରାଜୟର ଦୁଃଖ ସବୁ କିଛି ମନର ଖେଳ। ଯିଏ ଆତ୍ମଜ୍ଞାନ ଦ୍ୱାରା ମନର ପରିଧିରୁ ମୁକ୍ତ ହୋଇ ପାରିଛି ଓ ମନର ଦାସତ୍ୱରୁ ଚିରକାଳ ମୁକ୍ତ ହୋଇ ସାରିଛି। ସେ ହିଁ ଜଗତକୁ ଜିତି ପାରିଛି। ବିଷୟର କାମନା ଯେପରି ମନରୁ ଉତ୍ପନ୍ନ ସେହିପରି ସମସ୍ତ ସୁଖଦୁଃଖାତ୍ମକ ଭୋଗର ସ୍ୱରୂପ ମଧ୍ୟ ମାନସିକ ସମ୍ବେଦନା ମାତ୍ର। ତଦନୁସାରେ ବିଜିଗୀଷା ଓ ବିଜୟର କ୍ରମଚକ୍ର ଉଭୟ ମନର ଭ୍ରମ ମାତ୍ର। ମନକୁ ନଜିତିବା ପର୍ଯ୍ୟନ୍ତ ଏହି କ୍ରମଚକ୍ରର ନିରନ୍ତର ଚାଲି ଥିବ।