ପ୍ରଶ୍ନୋତ୍ତରୀ ଶ୍ଳୋକସଙ୍ଖ୍ୟା-୧୨

ଶୂରାନ୍-ମହାଶୂରତମୋଽସ୍ତି କୋ ବା
ମନୋଜବାଣୈର୍ବ୍ୟଥିତୋ ନ ୟସ୍ତୁ।
ପ୍ରାଜ୍ଞୋଽଥ ଧୀରଶ୍ଚ ସମୋଽସ୍ତି କୋ ବା
ପ୍ରାପ୍ତୋ ନ ମୋହଂ ଲଲନାକଟାକ୍ଷୈଃ।।

ଶିଷ୍ୟ- ବୀରମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ମହାବୀର କିଏ?
ଗୁରୁ- ଯେ କାମଦେବଙ୍କ ବାଣଗୁଡିକ ଦ୍ୱାରା ଆଦୌ ବ୍ୟଥିତ ହୁଏ ନାହିଁ ସେ ବୀର ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ମହାବୀର ଅଟେ।

ଶିଷ୍ୟ- କିଏ ପ୍ରଜ୍ଞାବାନ୍? କିଏ ଧୀର? କିଏ କିଏ ସମବୁଦ୍ଧିସମ୍ପନ୍ନ ଅଟେ?
ଗୁରୁ- ଯିଏ ଅତ୍ୟନ୍ତ ସୁନ୍ଦରୀ ସ୍ତ୍ରୀର କଟାକ୍ଷଛଟା ମୋହଜାଲରେ ପତିତ ହୁଏ ନାହିଁ ସେ ହିଁ ଏହି ସମସ୍ତ ସଂଜ୍ଞାର ଅଧିକାରୀ ଅଟେ।

ଚିନ୍ତନ:

ପୁରାଣ ଓ ଇତିହାସରେ ବଡ଼ ବଡ଼ ବୀରଙ୍କ କଥା ଉଲ୍ଲେଖ ଅଛି ଏମାନେ ଯୁଦ୍ଧ ଭୂମିରେ ପତିପକ୍ଷ ବୀର ମାନଙ୍କର ବିଭିନ୍ନ ଅସ୍ତ୍ରଶସ୍ତ୍ରର ଆଘାତକୁ ସହନ କରି ବିଜୟ ଲାଭ ଅନ୍ତତଃ କରିଥିବା କଥା ଶୁଣାଯାଏ। ତଥାପି ଏହି ମହାବୀର ମାନେ କାମ ଦେବଙ୍କ ପୁଷ୍ପବାଣକୁ ସହନ କରି ନପାରି ଅତି ଅଲକ୍ଷରେ ପତିତ ହୁଅନ୍ତି। ଯେ କାମଦେବଙ୍କ ଦ୍ୱାରା ଘନଘନ ପ୍ରେଷିତ ପୁଷ୍ପବାଣଗୁଡିକର ଆଘାତକୁ ଭ୍ରୁକ୍ଷେପ ନକରି ପରାମର୍ଥ ପଥରେ ଦୃଢ଼ ଭାବରେ ଗତି କରେ ସେ ହିଁ ଶ୍ରେଷ୍ଠ ମହାବୀର ଅଟେ।

ପ୍ରାଜ୍ଞ ଅର୍ଥାତ୍ ପ୍ରକୃଷ୍ଟ ଜ୍ଞାନୀ କିଏ? ନିଭିନ୍ନ ବିଷୟରେ ବିଶେଷଜ୍ଞତା ଅର୍ଜନ କରିଥିବା ଓ ନିରନ୍ତର ନବାଚାରର ପ୍ରୟୋଗରେ ସଫଳ ବ୍ୟକ୍ତି ପ୍ରକୃଷ୍ଟ ଜ୍ଞାନୀ କି? ବସ୍ତୁତଃ ଏହି ଜ୍ଞାନୀ ମାନଙ୍କ ମେଧା ମଧ୍ୟ ଏକ ସମୟରେ ନିଷ୍କ୍ରିୟ ହୋଇ ଯାଏ ଯେତେବେଳେ କୌଣସି ସୁନ୍ଦରୀ ରାମଣୀର କଟାକ୍ଷଛଟା ଦୃଦୟସହିତ ମସ୍ତିଷ୍କକୁ ବିଦ୍ୟୁତ୍ ଭଳି ସ୍ପର୍ଶ କରେ। ସେ ସମୟରେ ସମସ୍ତ ପ୍ରକାରର ଧୈର୍ଯ୍ୟ ତିରୋହିତ ହୋଇ ଯାଏ। ଏକ ନୈତିକ ଓ ଆଧ୍ୟାତ୍ମିକ ବିଷମତା ମଧ୍ୟରେ ବ୍ୟକ୍ତି ଚଳିବାକୁ ବାଧ୍ୟ ହୁଏ। ଏଠାରେ ନିଜର ମାନସ୍ତାତ୍ଵିକ ବ୍ୟକ୍ତିତ୍ୱ ଦୁଇଟି ପରସ୍ପର ବିପରୀତ ଧର୍ମୀ ଭାଗରେ ଦ୍ଵିଧା ବିଭାଜିତ ହୁଏ।

ପରିଣତ ବୟସରେ ମଧ୍ୟ ଏହି ଲଳନାକଟାକ୍ଷ ଦ୍ୱାରା ପୀଡିତ ବଡ଼ ବଡ଼ ଜ୍ଞାନୀମାନେ ମଧ୍ୟ ପତିତଦଶାର ଅନୁଭବ କରିଛନ୍ତି। ତେଣୁ ବସ୍ତୁତଃ ସେ ହି ପ୍ରଜ୍ଞାବାନ୍ ଧୈର୍ଯ୍ୟସମ୍ପନ୍ନ ଓ ସମତ୍ତ୍ୱବୁଦ୍ଧିଯୁକ୍ତ ଅଟେ ଯେ ଲଳନା କଟାକ୍ଷଛଟା ଦ୍ୱାରା କ୍ଷଣକାଳପାଇଁ ମଧ୍ୟ ମୋହଗ୍ରସ୍ତ ହୁଏ ନାହିଁ।

ନାରୀର ଅନେକ ରୂପ ଅଛି। ସେ ଜନନୀ, ଭଗିନୀ ଓ ସହଧର୍ମିଣୀ ଭାବରେ ଶକ୍ତି ସ୍ୱରୂପା ହୋଇ ପୂରୁଷକୁ ଜୀବନର ସମସ୍ତ ଉତ୍କର୍ଷ ପ୍ରଦାନ କରି ପାରେ। ପୁଣି ସେ କାମିନୀ ମଧ୍ୟ ହୋଇ ଥାଏ। ଏବଂ ଏହି କାମିନୀ ସ୍ୱଭାବରେ ସେ ପ୍ରଳୟ କାଳର ଦାମିନୀ ଭଳି ପୁରୁଷର ସମସ୍ତ ଉତ୍କର୍ଷକୁ ଭସ୍ମୀଭୂତ କରି ଦେଇଥାଏ। ବୈଦିକ ବ୍ୟବସ୍ଥାର ସହଧର୍ମିଣୀ ହିଁ ବଂଶବିସ୍ତାର ହେତୁ ଉତ୍ତମ କୁଳସନ୍ତତି ପ୍ରଦାନ କରିଥାଏ, ପୁରୁଷକୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ଗତି ଦେବା ପାଇଁ ଯଜ୍ଞ ବେଦୀରେ ଦର୍ଭମୁଷ୍ଟି ଧାରଣ କରି ପତିର ଅନୁଷ୍ଟେୟ ଧର୍ମରେ ସହଭାଗିନୀ ହୁଏ। କିନ୍ତୁ କେବଳ କାମବାସନା ପୀଡିତା କାମିନୀ, ଅଥବା ଧର୍ମ-ରହିତା, କେବଳ ଅର୍ଥ-କାମ-ସମ୍ବନ୍ଧୀନୀ ସ୍ତ୍ରୀର ମାୟାରେ ପତିତ ବ୍ୟକ୍ତି ଶିବଙ୍କ ଭଳି ଜ୍ଞାନୀ ଓ ତପସ୍ବୀ ହେଲେ ମଧ୍ୟ ଅଚିରେ ଗର୍ତ୍ତପତିତ ହୁଏ।