ବିଷାଦ୍ବିଷଂ କିଂ ବିଷୟାଃ ସମସ୍ତାଃ
ଦୁଃଖୀ ସଦା କୋ ବିଷୟାନୁରାଗୀ।
ଧନ୍ୟୋଽସ୍ତି କୋ ୟୋ ପରୋପକାରୀ
କଃ ପୂଜନୀୟଃ ଶିବତତ୍ତ୍ୱନିଷ୍ଠ।।
ଶିଷ୍ୟ- ଯେ କୌଣସି ବିଷଠାରୁ ଅଧିକ ଘାତକ ବିଷ କିଏ?
ଗୁରୁ- ଇନ୍ଦ୍ରିୟ ମାନଙ୍କର ବିଷୟଗୁଡିକ ହିଁ ସମସ୍ତ ବିଷ ଠାରୁ ମଧ୍ୟ ଅଧିକ ଘାତକ ବିଷ ଅଟନ୍ତି।
ଶିଷ୍ୟ-ସର୍ବଦା ଦୁଃଖୀ କିଏ?
ଗୁରୁ-ଯେ ବିଷୟପ୍ରତି ଅନୁରକ୍ତ ସେ ସର୍ବଦା ଦୁଃଖୀ।
ଶିଷ୍ୟ- କିଏ ଧନ୍ୟ ଅଟେ?
ଗୁରୁ- କେବଳ ପରୋପକାରୀ ବ୍ୟକ୍ତି ହିଁ ଧନ୍ୟ ଅଟେ।
ଶିଷ୍ୟ-ପୂଜନୀୟ କିଏ?
ଗୁରୁ- ଶିବତତ୍ତ୍ୱନିଷ୍ଠ ଅର୍ଥାତ୍ ବ୍ରହ୍ମନିଷ୍ଠ ଏଷଣାତ୍ରୟ ତ୍ୟାଗୀ ସନ୍ନ୍ୟାସୀ ହିଁ ସର୍ବାଦୌ ପୂଜ୍ୟ ଅଟନ୍ତି।
ଚିନ୍ତନ:
ବିଷ ପ୍ରାଣଘାତୀ ଅଟେ। କିଛି ବିଷ ପ୍ରାଣଘାତୀ ନହେଲେ ମଧ୍ୟ ଶରୀରକୁ ବିକୃତ ଓ ବିକଳାଙ୍ଗ କରି ଦେଇଥାନ୍ତି। ଅନ୍ୟ କିଛି ବିଷ ଶରୀର ଉପରେ ଅଧିକ ପ୍ରଭାବ ପକାଇ ପାରନ୍ତି ନାହିଁ କିନ୍ତୁ ମାନସିକ ବିକୃତି ଉତ୍ପନ୍ନ କରନ୍ତି। କିଛି ବିଷ ତତ୍କାଳ ପରିଣାମ ଉତ୍ପନ୍ନ କରିଥାନ୍ତି। ଅନ୍ୟ କିଛି ବିଷ ଧୀରେ ଧୀରେ ପରିଣାମକୁ ପରାକାଷ୍ଠାରେ ପହଞ୍ଚେଇ ଥାନ୍ତି। ବିଭିନ୍ନ ପ୍ରକାରର ବିଷର ପରିଣାମ ଅନୁସାରେ ସେ ଗୁଡିକର ବିଷତ୍ଵର ଉତ୍କର୍ଷ ନିରୂପିତ ହୋଇ ଥାଏ। ଏହି ସମସ୍ତ ବିଷମଧ୍ୟରେ ଅତି ଘାତକ ବିଷ କିଏ ? ଏହା ଏକ ଦାର୍ଶନିକ ପ୍ରଶ୍ନ। ତଥାପି ଏହା ମଧ୍ୟରେ ବୈଜ୍ଞାନିକ ଦୃଷ୍ଟି ମଧ୍ୟ ଅଛି।
ଯମଙ୍କ ଦ୍ୱାରା ପ୍ରଦତ୍ତ ତୃତୀୟ ବରରେ ନାଚିକେତା ଯମଙ୍କ ଠାରୁ ବ୍ରହ୍ମଜ୍ଞାନ ମାଗିଥିଲେ। କିନ୍ତୁ ଯମ ତାଙ୍କୁ ପ୍ରଲୋଭନ ଦେଲେ ଯେ ଏହି ବ୍ରହ୍ମଜ୍ଞାନ ତୁମର କଣ ହେବ? ତୁମେ ସମସ୍ତ ଦୁର୍ଲଭ ଭୋଗ୍ୟ ପଦାର୍ଥ ଲାଭ କର। ଦୀର୍ଘାୟୁ ପୁତ୍ର-ପୌତ୍ର ଓ ଧନ-ସମ୍ପତ୍ତି ମାଗ। ମନୁଷ୍ୟଙ୍କ ପାଇଁ ଦୁର୍ଲଭ ସ୍ୱର୍ଗର ଏହି ଅପସରା ଓ ମନୋଗାମୀ ଅଶ୍ୱଗୁଡିକ ସହିତ ରଥ ଗୁଡିକ ନିଅ। ପୃଥିବୀରେ ଯେଉଁ ଯେଉଁ କାମ୍ୟ ପଦାର୍ଥ ଦୁର୍ଲଭ ଅଟନ୍ତି ସେ ସବୁକୁ ଶବ୍ଦ ମାତ୍ରରେ କୁହ ଓ ଏଠାରୁ ଯଥେଷ୍ଟ ପରିମାଣରେ ନେଇ ଯାଅ। ଯେତେଦିନ ବଞ୍ଚିବାକୁ ଚାହଁ ସେତେଦିନ ପର୍ଯ୍ୟନ୍ତ ସ୍ଵସ୍ଥ ଓ ସମୃଦ୍ଧ ଭାବରେ ଜୀବିତ ରୁହ।
କିନ୍ତୁ ନଚିକେତା ଏହି ପ୍ରଲୋଭନରେ ତିଳେ ମାତ୍ର ପ୍ରଭାବିତ ହେଲେ ନାହିଁ। ତାଙ୍କର ଭୋଗ୍ୟ ବିଷୟ ପ୍ରତି ଏକ ସଂକ୍ଷିପ୍ତ ଉତ୍ତର ଥିଲା , ତାହା ସମସ୍ତଙ୍କ ପାଇଁ ଶୁଣିବା ଯୋଗ୍ୟ ଅଟେ।
ସେ କହିଲେ ହେ ଯମରାଜ ! ଏହି ଭୋଗ୍ୟ ପଦାର୍ଥଗୁଡିକର ଉପଯୋଗୀତା ମାତ୍ର ଗୋଟିଏ ଦିନର ଅଟେ। ସମସ୍ତ ଭୋଗ୍ୟ ପଦାର୍ଥର ପରିସମାପ୍ତି ଭୋଗ ଦ୍ୱାରା ଯେତେବେଳେ ବି ହେବ ସେତେବେଳେ ତାହା ମାତ୍ର କାଲିଭଳି ହିଁ ଲାଗିବ। ସମୟ ମନୁଷ୍ୟ ମନର କଳ୍ପନା ବା ଏକ ଭ୍ରମ। କିନ୍ତୁ ଅନ୍ତ ହେବାର ଉପଲବ୍ଧି ଅତୃପ୍ତିକରତାକୁ ନେଇ ସମାନ ଅଟେ। ଏବଂ ଭୋଗ ଦ୍ୱାରା ଇନ୍ଦ୍ରିୟ ଗୁଡିକର ତେଜ ନଷ୍ଟ ହୋଇ ଥାଏ। ଉତ୍ତମ ସ୍ୱାଦିଷ୍ଟ ଖାଦ୍ୟର ଉପଭୋଗ ବିଭିନ୍ନ ରୋଗ ଉତ୍ପନ୍ନ କରେ। ଉତ୍ତମ ପରିଧାନୀୟ ଗୋଟିଏ ସମୟରେ ଶରୀର ପାଇଁ ଭାର ହୋଇ ଯାଏ। ଦିବ୍ୟ ଆଭୂଷଣକୁ ପିନ୍ଧିବା ପାଇଁ ଦେହରେ ବଳ ନଥାଏ। ଭୋଗ ଦ୍ୱାରା ଇନ୍ଦ୍ରିୟ ମାନେ ସମୃଦ୍ଧ ନ ହୋଇ ଦୁର୍ବଳ ହେବାକୁ ଲାଗନ୍ତି। ବ୍ରହ୍ମାଙ୍କ ଆୟୁ ମଧ୍ୟ ଅଳ୍ପ ଅଟେ। କାରଣ ମୃତ୍ୟୁ ଅନେକ କଳ୍ପର ଆୟୁକୁ ଅର୍ଦ୍ଧାର୍ଦ୍ଧ କ୍ଷଣରେ ନିଃସ୍ବ କରି ଦେଇ ଥାଏ। ତଥାପି ଜିଜୀବିଷାର ସମାପ୍ତି ହୁଏ ନାହିଁ। ଏବେ ଏହି ବିଷୟଭୋଗ ପ୍ରଲୋଭନ ଦେଇ କର୍ପୋରେଟ୍ ଗଗତ ସମଗ୍ର ମାନବ-ସମାଜକୁ ବିଜ୍ଞାପନ ଦ୍ୱାରା କବଳିତକରି ଶୋଷଣ କରି ଚାଲିଛି। ଅନ୍ତଃସାରହୀନ ଶବ୍ଦର ଚମତ୍କାରିତାରେ ସମ୍ପୂର୍ଣ୍ଣ ମାନବ ସମାଜ ବିବେକଶୂନ୍ୟ ଓ ଦିଶାହିନ ଅବସ୍ଥାରେ ଜନ୍ମରୁ ମୃତ୍ୟୁପର୍ଯ୍ୟନ୍ତ କର୍ପୋରେଟ୍ ଜଗତର ଦାସତ୍ୱକୁ ନିଜର ଜୈବିକ ବାଧ୍ୟତା ଭାବରେ ଗ୍ରହଣ କରି ନେଇଛି। ଏହି ବିଷୟ ହିଁ ମହାବିଷ ଅଟେ ଯାହା ଦାସତ୍ୱସହିତ ଅକାଳମୃତ୍ୟୁକୁ ଅନିବାର୍ଯ୍ୟ କରିଛି।
ଆଧିବ୍ୟାଧି ଗ୍ରସ୍ତ ବ୍ୟକ୍ତି, ଦୈବଦୁର୍ବିପାକ ପୀଡିତ ବ୍ୟକ୍ତି ଓ ଶତ୍ରୁ ଅଥବା ହିଂସ୍ର ପ୍ରାଣୀ ଦ୍ୱାରା କବଳିତ ବ୍ୟକ୍ତି, ନିର୍ଦ୍ଧନ ଓ ପ୍ରିୟଜନଶୂନ୍ୟ ବ୍ୟକ୍ତି ଦୁଃଖୀ ହେବା ସ୍ୱାଭାବିକ। ତଥାପି ଏହି ଦୁଃଖ ଗୁଡିକ ଅସ୍ଥାୟୀ। କିନ୍ତୁ ବିଷୟକାମୀ ବ୍ୟକ୍ତିର ଦୁଃଖ ସରେ ନାହିଁ। ବିଷୟର ଉପାର୍ଜନରେ ଦୁଃଖ? ଏହାର ଉପଭୋଗଜନ୍ୟ କ୍ଷୟରେ ଦୁଃଖ, ନୂତନ ବିଷୟର କାମନା ଓ ଅଲଭ୍ୟତା ମଧ୍ୟ ଦୁଃଖ ଦିଏ। ବିଷୟର କାମନା, ଉପଭୋଗ ଓ ପୁଣି ଅନ୍ୟ ଉତ୍କୃଷ୍ଟ ବିଷୟର କାମନାର ଅନ୍ତ ଅନେକ ଜନ୍ମରେ ମଧ୍ୟ ହୁଏ ନାହିଁ। ତେଣୁ ଏହି ଦୁଃଖର ପରମ୍ପରାର ପରିସମାପ୍ତି ଘଟେ ନାହିଁ। ଅତଃ ବିଷୟକାମୀ ସର୍ବଦା ଦୁଃଖୀ ରହିବା ପାଇଁ ବାଧ୍ୟ ହୁଏ। ଉପଭୋଗର ସାମର୍ଥ୍ୟ ନଥିବା ସତ୍ତ୍ୱେ ବିଷୟର ଅନୁରାଗର ସମାପ୍ତି ହୁଏ ନାହିଁ। ଏହି ଅନୁରାଗ ଅଭାବବୋଧ ସହିତ ନିରନ୍ତର ଦୁଃଖ ଦେଇ ଚାଲେ।
ଧନ୍ୟ କିଏ? ପ୍ରଥମେ ଧନ୍ୟ ଶବ୍ଦର ଅର୍ଥ ଜାଣିବା। ଅମରକୋଷ ଅନୁସାରେ ଧନ୍ୟ ଶବ୍ଦର ଅର୍ଥ ପୁଣ୍ୟବାନ୍ ଅଟେ। "ଧନାୟ ହିତମ୍" ଅର୍ଥ ମଧ୍ୟ ଅଛି କିନ୍ତୁ ତାହା ଏଠାରେ ପ୍ରାସଙ୍ଗିକ ନୁହେଁ।
ଅଷ୍ଟାଦଶ ପୁରାଣେଷୁ
ବ୍ୟାସସ୍ୟ ବଚନଦ୍ୱୟମ୍।
ପରୋପକାରଃ ପୁଣ୍ୟାୟ
ପାପାୟ ପରପୀଡନମ୍।।
ଅଷ୍ଟାଦଶ ପୁରାଣ ମାଧ୍ୟମରେ ଭଗବାନ୍ ବେଦବ୍ୟାସ ମାତ୍ର ଦୁଇଟି କଥା କହିଛନ୍ତି। ପରର ଉପକାର ପୁଣ୍ୟ ଅଟେ ଓ ପରକୁ ପୀଡା ପ୍ରଦାନ କରିବା ପାପ ଅଟେ।
ପର ଶବ୍ଦର ଅର୍ଥ ଅନ୍ୟ। ଅର୍ଥାତ୍ ନିଜ ପରିବାର, ପରିଜନ, କୁଟୁମ୍ବ, ବନ୍ଧୁବର୍ଗ, ମିତ୍ର, ସୁହୃଦ ଇତ୍ୟାଦିଙ୍କ ଠାରୁ ଭିନ୍ନ ବ୍ୟକ୍ତି ପର ଅଟେ। ପର ଶବ୍ଦର ଅର୍ଥ ଶତ୍ରୁ ମଧ୍ୟ ଅଟେ। ନିଜ ଲୋକଙ୍କ ଉପକାର କରିବା ତ ସ୍ଵଭାବତଃ ପ୍ରାପ୍ତ ଅଟେ। କିନ୍ତୁ ନିଜଜନଙ୍କ ଠାରୁ ଭିନ୍ନ ଏପରିକି ଶତ୍ରୁର ମଧ୍ୟ ଉପକାର କରିବା ମହାନ ପୁଣ୍ୟ ଅଟେ। ଅକାରଣ ଶତ୍ରୁକୁ ମଧ୍ୟ ପୀଡିତ କରିବା ପାପ ଅଟେ।
ତଥାପି ଏହି ପରୋପକାର ଧର୍ମ, ନ୍ୟାୟ ଓ ନୈତିକତା ଅନ୍ତର୍ଗତ ହେବା ଆବଶ୍ୟକ। ଅଧର୍ମୀ, ଅନ୍ୟାୟୀ ଓ ନୀତିହୀନ ବ୍ୟକ୍ତି ଆତ୍ମୀୟ ହୋଇ ଥିଲେ ମଧ୍ୟ ତାହାର ଉପକାର କରିବା ପାପ ଅଟେ।
ପୂଜନୀୟ କିଏ? ବୟୋଜ୍ୟେଷ୍ଠ ବ୍ୟକ୍ତି ପୂଜନୀୟ କି? ବିଶେଷ ଗୁଣବାନ୍ ବ୍ୟକ୍ତି ପୂଜନୀୟ କି? ପ୍ରସିଦ୍ଧ ବ୍ୟକ୍ତି ଅଥବା ରାଜା ପୂଜନୀୟ କି? ବସ୍ତୁତଃ ଏମାନେ ସମସ୍ତେ ଆଦରଣୀୟ ଅଟନ୍ତି। ସମ୍ମାନଯୋଗ୍ୟ ଅଟନ୍ତି କିନ୍ତୁ ପୂଜନୀୟତା ଏକ ଭିନ୍ନ କଥା। ଯାହାର ପୂଜ୍ୟତାର ଅତିକ୍ରମଣ କେହି ମଧ୍ୟ କରିବା ଅନୁଚିତ ସେ ହିଁ ପୂଜନୀୟ। ଏହି ପରିପ୍ରେକ୍ଷାରେ କେବଳ ବ୍ରହ୍ମନିଷ୍ଠ ତପସ୍ୱୀ ସନ୍ନ୍ୟାସୀ ହିଁ ପୂଜନୀୟ ଅଟନ୍ତି। ଅକାମହତ ବ୍ରହ୍ମଜ୍ଞ ସନ୍ନ୍ୟାସୀଙ୍କ ତେଜର ଅତିକ୍ରମଣ କରିବା ପାଇଁ ଦେବତା ମାନେ ମଧ୍ୟ ଅସମର୍ଥ।