ବିଜ୍ଞାନ୍ମହାବିଜ୍ଞତମୋଽସ୍ତି କୋ ବା
ନାର୍ଯ୍ୟା ପିଶାଚ୍ୟା ନ ଚ ବଞ୍ଚିତୋ ୟଃ।
କା ଶୃଙ୍ଖଲା ପ୍ରାଣଭୃତାଂ ହି ନାରୀ
ଦିବ୍ୟଂ ବ୍ରତଂ କିଂ ଚ ସମସ୍ତଦୈନ୍ୟମ୍।।
ଶିଷ୍ୟ- ମହାନ୍ ବିଜ୍ଞଜନ ମାନଙ୍କ ମଧ୍ୟରେ ଅତିଶୟଶ୍ରେଷ୍ଠତର ବିଜ୍ଞ କିଏ?
ଗୁରୁ- ମାୟାରୂପିଣୀ ପିଶାଚିନୀ ଦ୍ୱାରା ଯେ ଠକା ଯାଇ ନାହିଁ ସେ ହିଁ ମହାବିଜ୍ଞତମ ଅଟେ।
ଶିଷ୍ୟ- ଶୃଙ୍ଖଳ ବା ବନ୍ଧନର ଜଞ୍ଜିର ଟି କଣ?
ଗୁରୁ- ପ୍ରାଣୀ-ମାତ୍ରର ବନ୍ଧନର କାରଣ ନାରୀ ଅଟେ।
ଶିଷ୍ୟ- ଦିବ୍ୟ ବ୍ରତ କଣ ?
ଗୁରୁ-ସମସ୍ତ ପ୍ରକାରର ବିନମ୍ରତା ହିଁ ଦିବ୍ୟ ବ୍ରତ ଅଟେ।
ଚିନ୍ତନ:
ଜ୍ଞ=ଜ୍ଞାନୀ, ବିଜ୍ଞ= ବିଶେଷଜ୍ଞ, ମହାବିଜ୍ଞ= ନାନା ବିଷ୍ୟୟର ବିଶେଷଜ୍ଞ ଓ ମହାବିଜ୍ଞତମ=ସମସ୍ତ ଜ୍ଞାନୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ। କଲେଜର ଅଧ୍ୟାପକ ମଧ୍ୟ ନିଜକୁ ମହାଜ୍ଞାନୀ ମନେ କରେ। ପଢିଥିବା text book ଭିତରେ ହିଁ ତା କ୍ଷମତା ସୀମିତ। ତଥାପି ସେ ନିଜକୁ ଏପରି ପ୍ରସ୍ତୁତ କରେ ଯେ ସତେ ଯେପରି ସେ ହିଁ ପୃଥିବୀର ଏକମାତ୍ର ସର୍ବଜ୍ଞ ବ୍ୟକ୍ତି ଟିଏ। IIT ଓ IIM ରେ ପଢିଥିବା ବ୍ୟକ୍ତିକୁ ଲୋକେ ମହାଜ୍ଞାନୀ ବୋଲି ଭାବି ଥାନ୍ତି। ଅବଶ୍ୟ କିଛିଦିନ ଏମାନଙ୍କ ସହିତ ବ୍ୟବହାରରେ ଆସିବା ପରେ ଏହି ଭ୍ରମ ଦୂର ହୋଇଥାଏ। ଭୌତିକ ବିଜ୍ଞାନୀ ନିଜକୁ ସର୍ବଜ୍ଞ ମନେ କରେ। ମଞ୍ଚ ଉପରର କଥା ବାଚକ ଠାରେ ସର୍ବଜ୍ଞତ୍ୱର ଭ୍ରମ ସୃଷ୍ଟି ହୁଏ। ଏବଂ ତଥା କଥିତ ବାବା ମାନଙ୍କୁ ମୂଢ ମାନେ ସର୍ବଜ୍ଞ ମନେ କରନ୍ତି। ତାହା ହେଲେ ପରାକାଷ୍ଠା ପ୍ରାପ୍ତ ଜ୍ଞାନୀ କିଏ?
ଜଗତରେ ଅତ୍ୟନ୍ତ ଅଜ୍ଞ କେହି ନାହିଁ। ଯିଏ ଯେତିକି ଜାଣିଛି ସେହି ଜ୍ଞାନରେ ତାହାର ଅଭିମାନ ମଧ୍ୟ କମ ନୁହେଁ। ସର୍ବଜ୍ଞ ମଧ୍ୟ କେହି ନାହିଁ। କିନ୍ତୁ ନାରୀ ଅଥବା ମାୟା ଏକ ଏଭଳି ପଦାର୍ଥ ଯେଉଁଠାରେ ସମସ୍ତ ଉପାର୍ଜିତ ଜ୍ଞାନ ନିଷ୍ପ୍ରଭ ହୋଇ ଯାଆନ୍ତି। କାମ ଠିକ ସମୟରେ ବ୍ୟକ୍ତିକୁ ଦିଗ୍-ଭ୍ରାନ୍ତ କରି ଦିଏ। ଯେପରି ପିଶାଚୀନୀର କବଳରେ ପତିତ ବ୍ୟକ୍ତିର ସମସ୍ତ ଜ୍ଞାନକୌଶଳ ନିଷ୍କ୍ରିୟ ହୋଇ ଯାଏ ସେହି ପରି ପ୍ରମଦାମତ୍ତ ପୁରୁଷ ଅଥବା ମାୟିକ ସଂସାରକୁ ସତ୍ୟ ଭାବି ସେଥିରେ ନିରନ୍ତର ପ୍ରବୃତ୍ତ ବ୍ୟକ୍ତିର ଉପାର୍ଜିତ ସମସ୍ତ ଜ୍ଞାନ ତାକୁ ପୁନର୍ଜନ୍ମଚକ୍ରରୁ ଉଦ୍ଧାର କରି ପାରେ ନାହିଁ।
କିଛି ଶାସ୍ତ୍ରାର୍ଥ-ଅନଭିଜ୍ଞ ବକ୍ତା ମାନେ ଏଠାରେ ନିରୀନିନ୍ଦାର ଅପ୍ରାସଙ୍ଗିକତା ବଖାଣି ଧର୍ମର ନିନ୍ଦା କରି ଥାନ୍ତି। ସେହି ମୂଢ ମାନଙ୍କ ପାଇଁ କିଛି କହିବି। ଶବରସ୍ୱାମୀ ମିମାଂସା ଭଷ୍ୟରେ କହିଛନ୍ତି ଯେ "ନ ହି ନିନ୍ଦା ନିନ୍ଦ୍ୟଂ ନିନ୍ଦୟିତୁଂ ପ୍ରୟୁଜ୍ୟତେ। ନିନ୍ଦିତାଦିତରତ୍ ପ୍ରଶଂସିତୁମ୍"। ଆହୁରି ମଧ୍ୟ "ନ ହି ନିନ୍ଦା ନିନ୍ଦ୍ୟଂ ନିନ୍ଦିତୁଂ ପ୍ରବର୍ତ୍ତତେ, ବିଧେୟଂ ସ୍ତୋତୁମେବ"। ଅର୍ଥାତ୍ ଯାହାର ନିନ୍ଦା କରାଯାଇଛି ତାହାର ନିନ୍ଦା କରିବା ପାଇଁ ବାକ୍ୟର ପ୍ରବୃତ୍ତି ହୋଇ ନାହିଁ। ବସ୍ତୁତଃ ଏହି ନିନ୍ଦା ବାକ୍ୟ ଟି ବିଧେୟ ପଦାର୍ଥର ସ୍ତୁତି ପାଇଁ ପ୍ରଯୁଜ୍ୟ।
ଏବେ ଆମେ ଶାସ୍ତ୍ରୀୟପରିପ୍ରେକ୍ଷାରେ ଏହି ସ୍ତ୍ରୀନିନ୍ଦାକୁ ଦେଖିବା। ଏଠାରେ ବିଧେୟ ମୋକ୍ଷପ୍ରୟୋଜନଯୁକ୍ତ ଆତ୍ମଜ୍ଞାନ ସ୍ତୁତ୍ୟ ଅଟେ। ଆତ୍ମଜ୍ଞାନର ପୋଷକ ଏଷଣାତ୍ରୟ ତ୍ୟାଗ ରୂପକ ସନ୍ନ୍ୟାସ ବିଧେୟ ଅଟେ। ବାର୍ଦ୍ଧକ୍ୟରେ ମଧ୍ୟ ପ୍ରମଦାସକ୍ତି ଦେଖା ଯାଏ। ତାହା ସନ୍ନ୍ୟାସର ପରିପନ୍ଥୀ ଅଟେ।
ବ୍ରାହ୍ମଣସ୍ୟ ହି ଦେହୋୟଂ
କ୍ଷୁଦ୍ରକାମାୟ ନେଷ୍ୟତେ
କୁଚ୍ଛ୍ରାୟ ତପସେ ଚେହ
ପ୍ରେତ୍ୟାନନ୍ତ ସୁଖାୟ ଚ।।
ଏହି ବ୍ରହ୍ମଣର ଶରୀର କ୍ଷୁଦ୍ର କାମ୍ୟ ପଦାର୍ଥର ଉପଭୋଗ ପାଇଁ ଈଶ୍ୱର ପ୍ରଦାନ କରି ନାହାନ୍ତି। ଏହି ଜଗତରେ କୁଚ୍ଛ୍ର ତପଶ୍ଚର୍ଯ୍ୟା କରି ପରଲୋକରେ ମୋକ୍ଷ ବା ଉତ୍ତମ ଲୋକ ପ୍ରାପ୍ତି କରିବା ପାଇଁ ଏହି ଶରୀର ଉଦ୍ଦିଷ୍ଟ। ତ୍ୟାଗ ଓ ତପଃ ସହିତ ଔପନିଷଦୀୟ ପରମସତ୍ୟର ଅନୁସନ୍ଧାନ ସନ୍ନ୍ୟାସ ଅଟେ। ଅତଃ ମୁମୁକ୍ଷୁ ସନ୍ନ୍ୟାସୀ ପାଇଁ ନିଜ ପତ୍ନୀ ପ୍ରତି ଥିବା ଆକର୍ଷଣ ମଧ୍ୟ ପ୍ରତିବନ୍ଧକ ଅଟେ। ଯାହା ପ୍ରତି ବ୍ୟକ୍ତି ଅଯଥା ଆକର୍ଷିତ ହୁଏ ଶାସ୍ତ୍ର ତାହାର ହିଁ ନିନ୍ଦା କରେ। ଯେପରି ଅଗ୍ନିମାନ୍ଦ୍ୟ ରୋଗୀ ପାଇଁ ରାବିଡ଼ିର ନିନ୍ଦା ବୈଦ୍ୟକ ଶାସ୍ତ୍ର କରି ଥାଏ। ସେଠାରେ ରାବିଡ଼ିର ନିନ୍ଦା ଦ୍ୱାରା ତାହାର ଅଭୋଜ୍ୟତାର ପ୍ରତିପାଦନ କରାଯାଏ ନାହିଁ। ବସ୍ତୁତଃ ଅଗ୍ନିମାନ୍ଦ୍ୟ ରୋଗୀର ଆରୋଗ୍ୟ ବିଧାନ ପାଇଁ ରାବିଡିର ନିନ୍ଦା କରାଯାଇ ଥାଏ। ସେହିପରି ସ୍ବେଚ୍ଛାଚାରୀ ସ୍ତ୍ରୀପୁରୁଷଙ୍କ ପାଇଁ ମଧ୍ୟ ପରସ୍ପରର ନିନ୍ଦା ଶାସ୍ତ୍ର ମଧ୍ୟ କରେ ନାହିଁ। ସନ୍ନ୍ୟାସୀ ପାଇଁ ରାଗତଃ ପ୍ରାପ୍ତ ସ୍ତ୍ରୀସମ୍ବନ୍ଧର ପ୍ରତିଷେଧ ହେତୁ ସ୍ତ୍ରୀନିନ୍ଦା କରାଯାଇଛି। ଏହା ହିଁ ଶାସ୍ତ୍ରୀୟ ରୀତି ଅଟେ।
ବିଭିନ୍ନ ଉତ୍ତମ ଲୋକପ୍ରାପ୍ତି ପାଇଁ ଅନୁଷ୍ଠେୟ ଯଜ୍ଞଇତ୍ୟାଦି ହେତୁ ସ୍ତ୍ରୀସହାୟତା ନିହାତି ଦରକାର। ସେହି ସବୁ ଯଜ୍ଞରେ ବ୍ରହ୍ମଚାରୀ ( ପତ୍ନୀରହିତ ) ଓ ବିଧୁର ( ଯାହାର ପତ୍ନୀ ମରି ଯାଇଛି ) ଅଧିକୃତ ହୁଅନ୍ତି ନାହିଁ। କିନ୍ତୁ ଏହା ଅମୋକ୍ଷ ପ୍ରସଙ୍ଗ ଅଟେ।
ସ୍ତ୍ରୀକୁ ଶୃଙ୍ଖଳା ସହିତ ତୁଳନା କରାଯାଇଛି। ଯେପରି ଶୄଙ୍ଖଳା ବା ଶିକୁଳିରେ ବନ୍ଧା ଯାଇଥିବା ବ୍ୟକ୍ତି ସ୍ୱତନ୍ତ୍ର ନୁହେଁ ସେହିପରି ସ୍ତ୍ରୀସମ୍ବନ୍ଧଯୁକ୍ତ ବ୍ୟକ୍ତି ସ୍ୱତନ୍ତ୍ର ନୁହେଁ। ବିବାହିତ ବ୍ୟକ୍ତି ପାଇଁ ତାହାର ପତ୍ନୀ ଭାର୍ଯ୍ୟା ଅର୍ଥାତ୍ ଭରଣଯୋଗ୍ୟା ଅଟେ। ତା' ପାଇଁ ତା ପତ୍ନୀର ଭରଣ ପୋଷଣ ଅବଶ୍ୟ କର୍ତ୍ତବ୍ୟ ଅଟେ। ନିଜ ପତ୍ନୀର ଅପ୍ରିୟ-ସାଧନ ପତି ପାଇଁ ଅନୁଚିତ। ବୈରାଗ୍ୟ ଉତ୍ପନ୍ନ ସନ୍ନ୍ୟାସ ପାଇଁ ହେଲେ ସ୍ତ୍ରୀର ପରିତ୍ୟାଗ ବିଧେୟ ଅଟେ। ସମସ୍ତ ସମ୍ପତ୍ତି ସ୍ତ୍ରୀକୁ ଦେଇ ଅଥବା ସ୍ତ୍ରୀର ଭରଣ-ପୋଷଣର ଦାୟିତ୍ୱ ସମର୍ଥ-ପୁତ୍ର-ହସ୍ତରେ ନ୍ୟସ୍ତ କରି ସନ୍ନ୍ୟାସରେ ଯିବା ଉଚିତ। କିନ୍ତୁ ଯଦି ଅବିବାହିତ ଅବସ୍ଥାରେ ତୀବ୍ର ବୈରାଗ୍ୟ ଉତ୍ପନ୍ନ ହୁଏ ତେବେ ସନ୍ନ୍ୟାସ ପୂର୍ବକ ଦେବକାର୍ଯ୍ୟ ଓ ପିତୃକାର୍ଯ୍ୟରୁ ମୁକ୍ତ ହୋଇ ବ୍ରହ୍ମବିଦ୍ୟା-ପରାୟଣ ହେବା ଉଚିତ। ବିଭିନ୍ନ ଅଭିଷ୍ଟ ଲାଭ ପାଇଁ ବିଭିନ୍ନ ବ୍ରତ ଲୋକେ କରି ଥାନ୍ତି। ତଦ୍ଦ୍ୱାର ବିଭିନ୍ନ ଦେବତାଙ୍କ ଉପାସନା କରି ଥାନ୍ତି। ନିଜ ଉପାସନା ଓ ଅଭିଷ୍ଟର ଅଭିମାନ ମଧ୍ୟ ବ୍ରତୀମାନଙ୍କ ଠାରେ ସମ୍ଭବ। ତଥାପି ଏହି ସମସ୍ତ ବ୍ରତ ଯଦି ଶାସ୍ତ୍ର ଅନୁସାରେ ସମ୍ପାଦିତ ହେଉ ଥାନ୍ତି ତେବେ ସେଗୁଡିକ ଅନିନ୍ଦ୍ୟ ଅଟନ୍ତି।
ସନ୍ନ୍ୟାସ ହିଁ ମହାବ୍ରତ ଅଟେ। ତାହା ପରମକୃତକୃତ୍ୟତା ରୂପକ ମୋକ୍ଷର ସହକାରୀ-କାରଣ ଅଟେ। କିନ୍ତୁ କିଛି ଲୋକ ସନ୍ନ୍ୟାସର ଚିହ୍ନ ଦଣ୍ଡ ଓ ପୁଣ୍ଡ୍ରକ ଧାରଣ କରି, ଗେରୁଆ ବସ୍ତ୍ର ପରିଧାନ କରି ନିଜକୁ ମହାନମନେ କରନ୍ତି। ଏମାନେ ଆତ୍ମଜ୍ଞାନ ପାଇଁ ଶ୍ରବଣ-ମନନ ଆଦି କରନ୍ତି ନାହିଁ। କେବଳ ବେଶକୁ ବେଉସା କରି ଜୀବନ ଯାପନ କରନ୍ତି। ଓଡ଼ିଶାର ଏହି ଭଳି ବାବା ମାନଙ୍କ ସଙ୍ଖ୍ୟା ପ୍ରବଳ। ମୁଁ ଏମାନଙ୍କ ବିପରୀତ ଆଚାର ଗୁଡିକର ପ୍ରମାଣସହିତ ପର୍ଦାଫାସ୍ କରିଥିଲି। ଏମାନେ ସଂଘବଦ୍ଧ ଭାବରେ ମୋତେ ହତ୍ୟା କରିବାର ଚେଷ୍ଟା କରି ଥିଲେ। ମୋ ବିରୁଦ୍ଧରେ ମିଥ୍ୟା ମୋକଦ୍ଦମା ମଧ୍ୟ କରି ଥିଲେ। ଏଠାରେ ସନ୍ନ୍ୟାସ ବ୍ରତର ପ୍ରଧାନ ଲକ୍ଷଣ "ସମସ୍ତ ଦୈନ୍ୟ" ବୋଲି କୁହାଯାଇଛି। ଏହାକୁ ଅକିଞ୍ଚନ ସ୍ଵଭାବ ଆମେ କହି ପାରିବା। ସନ୍ନ୍ୟାସ ଭେଷରେ ଅର୍ଥ ଉପାର୍ଜନ ବଡ଼ ବଡ଼ ମଠ ସ୍ଥାପନ କରି ବିଷୟର ଭୋଗ କରୁଥିବା ଲୋକେ ଆରୂଢ଼ ପତିତ ଅଟନ୍ତି। ଆଧୁନିକ ଭାଷାରେ ଭଣ୍ଡବାବା । ଏମାନେ ସିଧା ନରକ ଯାଉଛନ୍ତି । ପ୍ରେତ ଯୋନି ବା ନିମ୍ନଯୋନି ଲାଭ କରୁଛନ୍ତି। ଏମାନଙ୍କୁ ଆଦର୍ଶ ମାନୁଥିବା ବ୍ୟକ୍ତି ମଧ୍ୟ ସେହି ସମାନ ଲାଭ ପାଇବେ।