ଜ୍ଞାତୁଂ ନ ଶକ୍ୟଂ ଚ କିମସ୍ତି ସର୍ବୈ-
ର୍ୟୋଷିନ୍ମନୋ ୟଚ୍ଚରିତଂ ତଦୀୟମ୍।
କା ଦୁସ୍ତ୍ୟଜା ସର୍ବଜନୈର୍ଦୁରାଶା
ବିଦ୍ୟାବିହୀନଃ ପଶୁରସ୍ତି କୋ ବା।।
ଶିଷ୍ୟ- ସମସ୍ତଙ୍କ ପାଇଁ କଣ ଜାଣିବା ସମ୍ଭବ ନୁହେଁ?
ଗୁରୁ- ନାରୀର ମନ ଓ ସ୍ଵଭାବ ସମସ୍ତେ ଜାଣି ପାରିବା ସମ୍ଭବ ନୁହେଁ।
ଶିଷ୍ୟ- କାହାକୁ ତ୍ୟାଗକରିବା ସମସ୍ତଙ୍କ ପାଇଁ ଦୁଷ୍କର ଅଟେ?
ଗୁରୁ- ଦୁରାଶାକୁ ତ୍ୟାଗ କରିବା ସମସ୍ତଙ୍କ ପକ୍ଷେ ଦୁଷ୍କର ଅଟେ।
ଶିଷ୍ୟ- (ମାନବ ଦେହରେ) କିଏ ପଶୁ ?
ଗୁରୁ- ଯେ ବୈଦିକ ବିଦ୍ୟା ( ଉପାସନା) ବିହୀନ ସେ ପଶୁ ଅଟେ।
ନାରୀର ମନ ଓ ସ୍ଵଭାବକୁ ଜାଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ଏହା ପଛରେ ଶରୀରତାତ୍ତ୍ବିକ, ମନସ୍ତାତ୍ତ୍ଵିକ ତଥା ସାମାଜିକ କାରଣ ମଧ୍ୟ ଅଛି। Brain Structure defences ଏହାର ଏକ ପ୍ରମୁଖ କାରଣ। ନ୍ୟୂରୋ ସାଇନ୍ସର ଅଧ୍ୟୟନରୁ ଜଣା ପଡେ ଯେ ସମସ୍ତଙ୍କ ମସ୍ତିଷ୍କର ଭାବନା ନିୟନ୍ତ୍ରଣକାରୀ ଅଂଶ Amygdala ଅଟେ। ମହିଳାଙ୍କର Amygdala ବେଳେ ବେଳେ ପୁରୁଷମାନଙ୍କ ଅପେକ୍ଷା ଅଧିକ ସମ୍ବେଦନଶୀଳ ହୋଇ ଥାଏ। ଫଳରେ ଭାବନାତ୍ମକ ପ୍ରତିକ୍ରିୟା ଅଧିକ ତୀବ୍ର ହୋଇ ପାରେ। Hipocampus ସ୍ମୃତି ଓ ଭାବନା ମାନଙ୍କ ସହିତ ଜଡିତ କ୍ଷେତ୍ର ଅଟେ। ମହିଳା ମାନଙ୍କ ଠାରେ ଏହା କେତେକ କ୍ଷେତ୍ରରେ ଅଧିକ ସକ୍ରିୟ ହୋଇ ଥାଏ, ଯାହାକି ସେମାନଙ୍କ ଅନୁଭବକୁ ଗଭୀରଭାବରେ ସଂସାଧିତ କରିବାର ଭୂମିକାର ନିର୍ବାହ କରେ।
Corpus callosum ମସ୍ତିଷ୍କର ଦୁଇ ଗୋଲାର୍ଦ୍ଧକୁ ଯୋଡୁଥିବା ଏକ ବିଶେଷ ଅଂଶ ଅଟେ। କିଛି ଅଧ୍ୟୟନ ଅନୁସାରେ ଏହା ମହିଳା ମାନଙ୍କ ଠାରେ କିଛି ଅଧିକ ବିକଶିତ ହୋଇ ପାରେ, ଯାହା ଫଳରେ ଭାବନାତ୍ମକ ଓ ତାର୍କିକ ତାର୍କିକ ବିଚାର ଗୁଡିକର ଏକୀକରଣ ଭିନ୍ନ ଢଙ୍ଗରେ ହୋଇ ଥାଏ। ଏହି ଅନ୍ତର ଅତି ସୂକ୍ଷ୍ମ ଅଟେ ଓ ସମସ୍ତ ମହିଳା ଅଥବା ପୁରୁଷଙ୍କ ଠାରେ ସମାନ ଭାବରେ ଲାଗୁ ହୁଏ ନାହିଁ, କିନ୍ତୁ ଏହା ଭାବନାତ୍ମକ ପ୍ରତିକ୍ରିୟା ଗୁଡିକରେ ଓ ବିଚାର କରିବାର ଢଙ୍ଗରେ ଭିନ୍ନତା ସୃଷ୍ଟି କରିଥାଏ, ଯାହାକୁ ବୁଝିବା କଠିନ ହୋଇ ଥାଏ ।
Hormonal influence ମଧ୍ୟ ଏଠାରେ ଏକ ମୁଖ୍ୟ ଘଟକ ଅଟେ। ମହିଳା ମାନଙ୍କଠାରେ ହର୍ମୋନ୍ ଗୁଡିକ ଯଥା Estrogen, progesterone, Oxytocin ମୂଡ୍, ଭାବନା ଏବଂ ବ୍ୟବହାରକୁ ପ୍ରଭାବିତ କରିଥାନ୍ତି। ଏହି ହର୍ମୋନ୍ ଗୁଡିକର ମାସିକ ଚକ୍ର, ଗର୍ଭାବସ୍ଥା, ରଜୋନିବୃତ୍ତି ସମୟରେ ହ୍ରାସ-ବୃଦ୍ଧି ହେତୁ ଭାବନାତ୍ମକ ଅବସ୍ଥା ବଦଳି ଥାଏ। ଦୃଷ୍ଟାନ୍ତ ସ୍ୱରୂପ, ମାସିକ ଧର୍ମ ସମୟରେ progesterone ର ସ୍ତର କମ୍ ହେଲେ ଚିନ୍ତା ଓ ମୂଡ଼୍ ସୁଇଂସ୍ ହୋଇ ପାରେ। Oxytocin, ଯାହା ସାମାଜିକ ବନ୍ଧନ ଓ ମାତୃତ୍ତ୍ୱ ସହିତ ଜଡିତ, ମହିଳା ମାନଙ୍କ ଠାରେ ଅଧିକ ପ୍ରଭାବୀ ହୋଇ ପାରେ, ଯାହାଦ୍ୱାରା ସେମାନଙ୍କର ଭାବନାତ୍ମକ ପ୍ରତିକ୍ରିୟା ଅଧିକ ଗଭୀର ହୋଇ ଥାଏ। ଏହା ଅଧିକ ଗତିଶୀଳ ଓ ପରିବର୍ତ୍ତନଶୀଳ ପ୍ରତୀତ ହୋଇ ଥାଏ।
ବିଶେଷ କହିବା ପାଇଁ ଶ୍ଳୋକର ବ୍ୟାଖ୍ୟାନ ନିୟତି ଅନୁସାରେ ଅବସର ନାହିଁ। ନାରୀ ମାନଙ୍କ ମନ ଓ ସ୍ଵଭାବ ଅତ୍ୟନ୍ତ ଅଗମ୍ୟ, ଏଥି ନିମିତ୍ତ କିଛି ବୈଜ୍ଞାନିକ ତଥ୍ୟ ଦେଲି।
ସମସ୍ତେ କର୍ମଫଳର ସ୍ଵଭାବକୁ ବୁଝି ପାରନ୍ତି ନାହିଁ। କିଛି ଲୋକେ ବୁଝି ପାରନ୍ତି ଓ ଭଲ ଭାବରେ ଅନ୍ୟକୁ ବୁଝାଇ ପାରନ୍ତି। ତଥାପି ଦୁର୍ବାର ଆଶାକୁ ତ୍ୟାଗ କରି ପାରନ୍ତି ନାହିଁ ।ଏଠାରେ ଦୁରାଶା ଶବ୍ଦର ଯଦ୍ୟପି ପ୍ରତିଷିଦ୍ଧ ବିଷୟର ଆଶା ବୋଲି ଅର୍ଥ କରାଯାଇ ପାରେ, କିନ୍ତୁ ଆଶା ହିଁ ଦୁର୍ବାର ଅଟେ। ଆଶା ହିଁ ସମସ୍ତ କର୍ମର ମୂଳ ଓ କର୍ମ ହିଁ ଜନ୍ମାନ୍ତରର ହେତୁ ଅଟେ। ଆଶା ହିଁ ସଂସାରଚକ୍ରର ମୂଳ ହେତୁ। ତଥାପି କ୍ଵଚିତ୍ ବୈରାଗ୍ୟ-ସମ୍ପନ୍ନ ମହାପୁରୁଷ ମାନେ ଏହାର ପରିତ୍ୟାଗ କରି ପାରନ୍ତି। କିନ୍ତୁ ସର୍ବସାଧାରଣ ଏହି ଆଶାର ଦାସ ଭାବରେ ଜନ୍ମ ଜନ୍ମାନ୍ତର ଘୁରି ବୁଲୁ ଥାନ୍ତି।
ପେଟ ପାଳିବା, ବଂଶ ବିସ୍ତାର କରିବା, ସୁରକ୍ଷିତ ସ୍ଥାନରେ ବସା ବାନ୍ଧି ରହିବା, ଶ୍ରମ କରୁବା ଓ ବିଶ୍ରାମ କରୁବା ବାୟା ଚଢ଼େଇ ମଧ୍ୟ ଜାଣେ। ଅଳ୍ପ ଧ୍ୟାନ ଦେଇ ଦେଖିଲେ ମନୁଷ୍ୟର ଅଦ୍ୟାବଧିକ ଭୌତିକ ବିକାଶ ବାୟା ଚଢ଼େଇର ଉପଲବ୍ଧି ଠାରୁ ଅଧିକ କିଛି ନୁହେଁ। ଆହାର, ନିଦ୍ରା, ଭୟ ଓ ମୈଥୁନର ସମାନତା ଘେନି ମନୁଷ୍ୟ ମଧ୍ୟ ପଶୁ ହିଁ ଅଟେ। ପଶୁତ୍ୱରୁ ସେ ହିଁ ମୁକ୍ତ ଯେ ଏହି ପ୍ରକୃତିଗର୍ଭର ଅନ୍ଧାରୁଆ ଗତି ଠାରୁ ମୁକ୍ତ ହୋଇ ଆଧ୍ୟାତ୍ମିକ ପ୍ରକାଶରେ ନିଜ ଅସ୍ତିତ୍ବକୁ ଆଲୋକିତ କରି ପାରିଛି । ଏହି ଭୌତିକ କାର୍ଯ୍ୟକାରଣବାଦ ଠାରୁ ଊର୍ଧ୍ବରେ ଥିବା ଜୀବବ୍ରହ୍ମର ଐକ୍ୟର ବୋଧ ହିଁ ବିଦ୍ୟା ଅଟେ। ତାହାର ଉପଲବ୍ଧି ବିନା ଏକ ସମୃଦ୍ଧ ମାନବ ଜୀବନ ମଧ୍ୟ ପଶୁତୁଲ୍ୟ ଅଟେ।