ପ୍ରଶ୍ନୋତ୍ତରୀ ଶ୍ଳୋକସଙ୍ଖ୍ୟା-୧୭

ବାସୋ ନ ସଙ୍ଗଃ ସହ କୈର୍ବିଧେୟୋ
ମୂର୍ଖୈଶ୍ଚ ନୀଚୈଶ୍ଚ ଖଲୈଶ୍ଚ ପାପୈଃ।
ମୁମୁକ୍ଷୁଣା କିଂ ତ୍ୱରିତଂ ବିଧେୟଂ
ସତ୍ସଙ୍ଗତିର୍ନିର୍ମମତେଶଭକ୍ତିଃ॥

ଶିଷ୍ୟ- କେଉଁ ମାନଙ୍କ ସହିତ ବାସ କରିବା ଅନୁଚିତ ଓ କେଉଁ ମାନଙ୍କ ସହିତ ସଙ୍ଗ କରିବା ଅନୁଚିତ?
ଗୁରୁ- ମୂର୍ଖ, ନୀଚ, ଝାଳ ଓ ପାପୀ ମାନଙ୍କ ସହିତ ବାସ କରିବା ଅନୁଚିତ। ସେମାନଙ୍କ ସହିତ ସଙ୍ଗ କରିବା ମଧ୍ୟ ଅନୁଚିତ।

ଶିଷ୍ୟ- ମୁମୁକ୍ଷୁମାନେ କାଳବିଳମ୍ବ ନକରି ତ୍ୱରିତ କଣ କରିବା ଉଚିତ?
ଗୁରୁ- ଉତ୍ତମ ମହାପୁରୁଷଙ୍କ ସହିତ ସଙ୍ଗତି, ମମତ୍ବହୀନତା ଓ ଈଶ୍ୱର ଭକ୍ତି ହିଁ ମୁମୁକ୍ଷୁ ମାନଙ୍କର ଅବିଳମ୍ବ କର୍ତ୍ତବ୍ୟ ଅଟେ।

ଚିନ୍ତନ:

ନୀଚ କିଏ ? ଯେଉଁ ମାନେ ନୀଚ ଜାତିର କର୍ମକୁ କରି ସେମାନଙ୍କ ଜୀବିକା ହରଣ କରିବା ସହିତ ନିଜକର୍ମର ପରିତ୍ୟାଗ କରିଥାନ୍ତି ସେମାନେ ନୀଚ। ଯେଉଁଠାରେ ସେମାନଙ୍କ ବାହୁଲ୍ୟ ଥାଏ ସେଠାରେ ମୁମୁକ୍ଷୁ ମାନଙ୍କୁ ବାସ କରିବା ଅନୁଚିତ ଓ ସେମାନଙ୍କ ସହିତ ବସାଉଠା, ଖିଆପିଆ ଓ ଦିଆନିଆ ବ୍ୟବହାର କରିବା ଅନୁଚିତ। ସ୍ୱବର୍ଣ୍ଣାଶ୍ରମ କର୍ତ୍ତବ୍ୟର ବିପରୀତ ଆଚରଣ କରୁଥିବା ଲୋକଙ୍କ ସହିତ ଆର୍ଷ ( ଅଧ୍ୟୟନ-ଅଧ୍ୟାପନ) ଓ ପ୍ରାଜାପତ୍ୟ ( ବୈବାହିକ ସମ୍ବନ୍ଧ ରଖିବା ବ୍ୟକ୍ତି ନିଜେ ପତିତ ହୋଇ ଯାଏ।

ଖଳ କିଏ? ଯେଉଁ ମାନେ ନିଜ ପ୍ରାଣର ରକ୍ଷା ପାଇଁ ଅନ୍ୟର ପ୍ରାଣହାନିରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ହେତୁ ହୁଅନ୍ତି ସେମାନଙ୍କୁ ଖଳ କୁହାଯାଏ। ମାଂସ ଖାଉଥିବା ଓ ମାଂସଉତ୍ପାଦନ କରୁଥିବା ଲୋକେ ମଧ୍ୟ ଖଳ ଅଟନ୍ତି। ଜୀବିକା ପାଇଁ ଜୀବହତ୍ୟାର ଭାଗିଦାର ମାନଙ୍କର ମୋକ୍ଷ ତ' ଦୂରର କଥା, ଏମାନଙ୍କ ସଙ୍ଗ ମାତ୍ର ମଧ୍ୟ ଅମୋକ୍ଷକାରକ ଅଟେ।

ପାଞ୍ଚଟି ମହା ପାତକର ବର୍ଣ୍ଣନା ଶାସ୍ତ୍ରରେ ଅଛି। ଅନ୍ୟ ଅନେକ ଉପପାତକ ମଧ୍ୟ ଅଛନ୍ତି। ବେଦଜ୍ଞ ବ୍ରହ୍ମନିଷ୍ଠ ବ୍ରହ୍ମଣର ହତ୍ୟା, ସୁରାପାନ, ଗୁରୁପତ୍ନୀ ସହିତ ଅବୈଧ ସମ୍ବନ୍ଧ, ବ୍ରହ୍ମଜ୍ଞ ବ୍ୟକ୍ତିଠାରୁ ଦ୍ରବ୍ୟ ଚୋରୀ ଏହି ଚାରିଟି ମହାପାତକ ଅଟେ। ଏହି ମହାପତକ ସହିତ ଲିପ୍ତ ବ୍ୟକ୍ତି ସହିତ ସମ୍ବନ୍ଧ ବା ସଖ୍ୟ ପଞ୍ଚମ ମହାପାତକ ଅଟେ। ଅନ୍ୟ ଉପପାତକ ଗୁଡିକ କରି ପ୍ରାୟଶ୍ଚିତ୍ତ କରି ନଥିବା ବ୍ୟକ୍ତି ମଧ୍ୟ ଜଘନ୍ୟ ଅଟେ। ଏମାନଙ୍କ ସହିତ ସଙ୍ଗ ବିଧେୟ ନୁହେଁ। ସର୍ବଥା ସଙ୍ଗଦୋଷ ସବୁ ଠାରୁ ଅଧିକ କ୍ଷତିକାରକ ପାପ ଅଟେ।

ତେଣୁ ମୁମୁକ୍ଷୁ ଉପରୋକ୍ତ ପାପୀ ମାନଙ୍କ ସହିତ ବସବାସ ନ କରିବା ଉଚିତ। ସର୍ବଥା ସେମାନଙ୍କ ସଙ୍ଗରୁ ଦୂରରେ ରହିବା ଉଚିତ। ନୀଚ, ଖଳ ଓ ପାପୀଙ୍କ ସଙ୍ଗ ବିଶେଷ ଭାବରେ ମୁମୁକ୍ଷୁ ମାନଙ୍କ ପାଇଁ ନିଷିଦ୍ଧ୍ୟ ବିଷୟ ଅଟେ । ଏବେ ଅନିବାର୍ଯ୍ୟ ତୁରନ୍ତ ବିଧେୟକୁ ମଧ୍ୟ ଜାଣିବା ଉଚିତ। ସତ୍ସଙ୍ଗତିର ଅର୍ଥ ଅନୁକୂଳଚନ୍ଦ୍ର କି ସାଇବାବାର ସଙ୍ଗଠନରେ ସମ୍ମିଳିତ ହେବା ନୁହେଁ। ବା କୌଣସି କଥା ପ୍ରବଚନ ମେଳାର ଭିଡରେ ସମ୍ମିଳିତ ହେବା ନୁହେଁ। କେବଳ ଶ୍ରୋତ୍ରିୟ ବ୍ରହ୍ମନିଷ୍ଠ ଗୁରୁଙ୍କ ସାନ୍ନିଧ୍ୟ ହିଁ ସତସଙ୍ଗତି ଅଟେ। ଗୁରୁଙ୍କ ସହିତ ସଙ୍ଗ ଓ ବିଷୟ ପ୍ରତି ନିର୍ମମତା ( ଅନାଶକ୍ତି) ଏକ ସହିତ ସମ୍ପାଦନୀୟ ଅଟେ। ଏହାସହିତ ଈଶ୍ୱର ଭକ୍ତି ମଧ୍ୟ ସମ୍ପାଦନୀୟା ଅଟେ। ଅନ୍ୟଥା କର୍ତ୍ତୃତ୍ୱ ଓ ଭୋକ୍ତୄତ୍ୱର ଉପଶମ ହୁଏ ନାହିଁ। ଏହା ହିଁ ମୁଖ୍ୟ ଅମୋକ୍ଷବୀଜ ଅଟେ।