ବଦ୍ଧୋ ହି କୋ ୟୋ ବିଷୟାନୁରାଗୀ,
କା ବା ବିମୁକ୍ତିର୍ବିଷୟେ ବିରକ୍ତିଃ।
କୋ ବାଽସ୍ତି ଘୋରୋ ନରକଃ ସ୍ୱଦେହଃ,
ତୃଷ୍ଣାକ୍ଷୟଃ ସ୍ୱର୍ଗପଦଂ କିମସ୍ତି।।
ଶିଷ୍ୟ- ବଦ୍ଧ କିଏ?
ଗୁରୁ- ଯେ ବିଷୟରେ ଅନୁରାଗଶୀଳ ସେ ହିଁ ବଦ୍ଧ।
ଶିଷ୍ୟ- ବିମୁକ୍ତି କଣ?
ଗୁରୁ- ଇନ୍ଦ୍ରିୟ ଓ ମନର ବିଷୟଗୁଡିକରେ ଅତିଶୟ ବୈରାଗ୍ୟ ହିଁ ବିମୁକ୍ତି ଅଟେ।
ଶିଷ୍ୟ- ଘୋର ନରକ କଣ?
ଗୁରୁ- ନିଜ ଦେହ ହିଁ ଅତିଶୟ ଘୋର ନରକ ଅଟେ।
ଶିଷ୍ୟ- ସ୍ୱର୍ଗଲାଭ କଣ ?
ଗୁରୁ- ବିଷୟତୃଷ୍ଣାର କ୍ଷୟ ହିଁ ସ୍ୱର୍ଗଲାଭ ଅଟେ ।
ଚିନ୍ତନ:
ଏ ଜଗତରେ ବଦ୍ଧ କିଏ? କଣ ଯେଉଁ ମାନେ କାରାଗାରରେ ଅଛନ୍ତି ସେମାନେ ହିଁ ବଦ୍ଧ କି? ଯେଉଁମାନେ କୌଣସି ପ୍ରକାରର ଚୁକ୍ତି କରିଛନ୍ତି ସେମାନେ ହିଁ ବଦ୍ଧ କି? ଯେଉଁମାନେ ନିର୍ଦିଷ୍ଟ କର୍ତ୍ତବ୍ୟ ପାଳନ ପାଇଁ କୌଣସି ସର୍ତ୍ତଦ୍ୱାରା ଅନୁବନ୍ଧିତ ହୋଇଛନ୍ତି ସେମାନେ ହିଁ ବଦ୍ଧ କି? ଦେଶ, କାଳ, ପରିସ୍ଥିତି , ବୌଦ୍ଧିକଜ୍ଞାନର ସୀମା, ଜୈବିକ କ୍ଷମତାର ସୀମା ଓ ବୈଶ୍ବିକ-ନିୟମ ଦ୍ୱାରା ହିଁ ମନୁଷ୍ୟ ବଦ୍ଧ କି? ଏ ସମସ୍ତର ସମଷ୍ଟି ଦ୍ୱାରା ମନୁଷ୍ୟର ସ୍ୱାତନ୍ତ୍ର୍ୟ ବଦ୍ଧ ଅଟେ କି? ଏହା ଶିଷ୍ୟର ପ୍ରଶ୍ନ। ଏହା ଏକ ଦାର୍ଶନିକ ପ୍ରଶ୍ନ; ବନ୍ଧନର କାରଣ କଣ?
ଏହାର ଉତ୍ତରରେ ଗୁରୁ କହୁଛନ୍ତି- ବସ୍ତୁତଃ ଏସବୁ ବନ୍ଧନର କାରକ ଗୁଡିକ ଶୃଙ୍ଖଳ ଭଳି ଅଟନ୍ତି। କିନ୍ତୁ ଶୃଙ୍ଖଳ ଆପେ ଆପେ ଯାଇ କାହାକୁ ବାନ୍ଧେ ନାହିଁ। ଯେପରି ଦୋଷୀକୁ ପ୍ରତିହାରୀ ଶୃଙ୍ଖଳ ଦ୍ୱାରା ବାନ୍ଧେ ସେହିପରି ଇନ୍ଦ୍ରିୟ ମାନଙ୍କର ବିଷୟପ୍ରତି ଅନୁରାଗଶୀଳତା ହିଁ ମନୁଷ୍ୟର ବନ୍ଧନ ପାଇଁ ଉପରୋକ୍ତ ଘଟକଗୁଡିକୁ ଶୃଙ୍ଖଳରୂପରେ ବ୍ୟବହାର କରେ। ଯେପରି ରାଜକୀୟ ଆଦେଶ ବିନା ପ୍ରତିହାରୀ ଦୋଷୀକୁ ବାନ୍ଧିପାରେ ନାହିଁ ଠିକ ସେହିପରି ବିଷୟଅନୁରାଗ ରହିତ ନିଷ୍କାମ-କର୍ମଯୋଗୀ ଅଥବା ଅତିଶୟ ବୈରାଗ୍ୟବାନ୍ ସନ୍ନ୍ୟାସୀକୁ ଏସବୁ ଘଟକ ଶୃଙ୍ଖଳ ବାନ୍ଧି ପାରନ୍ତି ନାହିଁ। ବିମୁକ୍ତି କୌଣସି ସପ୍ତମ ଆକାଶର ଦୁର୍ଲ୍ଲଭ ବସ୍ତୁ ନୁହେଁ। କେବଳ ବିଷୟ ପ୍ରତି ଅତ୍ୟନ୍ତ ରାଗହୀନତା ହିଁ ମୁକ୍ତି ଅଟେ।
ଆମେ ବିଭିନ୍ନ ନରକର ନାମ ଶୁଣିଛୁ। ଯେପରି "ଦୁଃଖବିରୋଧୀ ସୁଖବିଶେଷଃ ସ୍ୱର୍ଗଃ" ସେହିପରି
ସୁଖାବରୋଧୀ ଦୁଃଖବିଶେଷ ନରକ ଅଟେ। ଅର୍ଥାତ୍ ଯେଉଁ ଠାରେ ଆତ୍ମସୁଖର ଅବରୋଧକ ଦୁଃଖ ହିଁ ଥାଏ ସେହିପରି ଏକ ଭୋଗଭୂମି ନରକ ଅଟେ। ଦୁଃଖର ସ୍ତର ଓ ପ୍ରକାର ଅନୁସାରେ ଏହି ନରକ ମଧ୍ୟ ଅନେକ। ସେ ସବୁ ନରକ ମଧ୍ୟରୁ ଅତିଶୟ ଘୋର ନରକ କେଉଁଟା ? ଏହା ଶିଷ୍ୟର ଏକ ପ୍ରଶ୍ନ।
ଏହାର ଉତ୍ତରରେ ଗୁରୁ ଗୋଟିଏ ମାତ୍ର ଶବ୍ଦ କହିଲେ "ସ୍ୱଦେହ"।
ନିଜ ଦେହ ହିଁ ଘୋର ନରକ। ଯଦି ଏହି କଥା ପଦକ ମନୁଷ୍ୟ-ମୁଣ୍ଡରେ ଥରେ ପଶିଯାଏ ତେବେ materialistic World ରେ ଏକ ଉଚ୍ଛନ୍ନ ପରିସ୍ଥିତି ସୃଷ୍ଟି ହେବ କିନ୍ତୁ ତାହା ବିଶ୍ୱକୁ ଶାନ୍ତି ଓ ସମତା ଦିଗରେ ନେଇଯିବ।
ବଡବଡ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ଓ ରାଜନୀତିକ ବିଜ୍ଞାପନ ତଥା motivational ideology ଗୁଡିକ ଗୋଟିଏ ମାତ୍ର ଶବ୍ଦଉପରେ ପ୍ରତିଷ୍ଠିତ; ତାହା ହେଲା "Enjoyment" । ମନୁଷ୍ୟ ଜୀବନର ମୂଳଟି ବାଲ୍ୟ କାଳରୁ ଏହି ଠାରେ ହିଁ ବନ୍ଧା ପଡିଛି। ପିଲା ଦିନେ ଚକଲେଟର ମାଧୂର୍ଯ୍ୟ ହେଉ, ଯୌବନରରେ ଲଳନାଲଳିତ ଅଧରସୁଧାର ମଧୁର୍ଯ୍ୟ ହେଉ ବା ବାର୍ଦ୍ଧକ୍ୟରେ ensured ଜୀବନ ବ୍ୟତୀତ କରିବାର ପ୍ରଲୋଭନ ହେଉ ସବୁ ହିଁ ଦେହ ସହିତ ଜଡିତ। ଏବଂ ଏହି ଦେହ ନିଜେ ସର୍ବଦା ମଳ,ମୂତ୍ର, ରୋଗ, ବାର୍ଦ୍ଧକ୍ୟ ଓ ମୃତ୍ୟୁ ଦ୍ୱାରା ନୈସର୍ଗିକ ଭାବରେ ଜଡିତ। ଇନ୍ଦ୍ରିୟ ଗୁଡିକ ଭୋଗ ଦ୍ୱରା ସମୃଦ୍ଧ ହୁଅନ୍ତି ନାହିଁ କିନ୍ତୁ ଦୁର୍ବଳ ହୋଇ ଯାଆନ୍ତି। ଏ କଥା ନଚିକେତା ହିଁ ମୃତ୍ୟୁଙ୍କୁ କହି ଥିଲେ। କିନ୍ତୁ ଆମକୁ ଦିଆ ଯାଉଥିବା ଜ୍ଞାନ ସର୍ବଦା ମୃତ୍ୟୁର ଭୟ ଉପରେ ପ୍ରତିଷ୍ଠିତ ଓ ଅକାଳରେ ମୃତ୍ୟୁର ବଶବର୍ତ୍ତୀ ହେବାର ସୁଗମ-ଉପାୟ ଗୁଡିକ ପ୍ରଦାନ କରିବାରେ ବ୍ୟସ୍ତ।
ଯିଏ ଥରେ ବୁଝିଗଲା ଯେ ତୃଷ୍ଣା ପାଇଁ ହିଁ "Enjoyment"ର ଆପାତମନୋହର ଶବ୍ଦଗୁଡିକ ସୁନ୍ଦର ଲାଗୁଛନ୍ତି ଓ ସେସବୁ ମାଛଧରାଳୀର ଥୋପ ସଦୃଶ। ଥରେ ଏଥିରେ ପଡିଲେ ଜୀବନରୁ ସ୍ୱାତନ୍ତ୍ର୍ୟ ସରିଲା। କ୍ରମଶଃ ସେ ମୁକ୍ତ ହେବାକୁ ଲାଗିବ। ବେପାରୀ, ଓକିଲ, ନେତା, ବିଜ୍ଞାପନ ଦାତା, ବୀମା କମ୍ପାନୀ, ବୃତ୍ତି ପ୍ରଦାତା ମାନଙ୍କ ଦାସତ୍ୱରୁ ତ ଅତି ସହଜରେ ମୁକ୍ତ ହୋଇ ଯିବ। ଏବଂ କ୍ରମଶଃ ନିଜ ଶରୀରର ଆଧିନ୍ୟରୁ ମଧ୍ୟ ମୁକ୍ତ ହୋଇ ସଶରୀରେ ସ୍ୱର୍ଗସୁଖର ଅନୁଭବ କରିବ।
ଅବଧୂତ ଜ୍ଞାନାନନ୍ଦ