ସଂସାରହୃତ୍କଃ ଶ୍ରୁତିଜାତ୍ମବୋଧଃ
କୋ ମୋକ୍ଷହେତୁଃ କଥିତ ସ ଏବ।
ଦ୍ୱାରଂ କିମେକଂ ନରକସ୍ୟ ନାରୀ
କା ସ୍ୱର୍ଗଦାପ୍ରାଣଭୃତାମହିଂସା।।
ଶିଷ୍ୟ- ସଂସାର = ସଂସରଣ ( ଜନ୍ମମୃତ୍ୟୁର ଚକ୍ର ) ର ହରଣକାରୀ ବା ଉପଶମକାରୀ କିଏ?
ଗୁରୁ- ବେଦାନ୍ତ ବାକ୍ୟରୁ ଉତ୍ପନ୍ନ ଅପରୋକ୍ଷ ଆତ୍ମଜ୍ଞାନ ହିଁ ସଂସାରଚକ୍ରର ଉଚ୍ଛେଦକାରୀ ଅଟେ।
ଶିଷ୍ୟ- ମୋକ୍ଷର ହେତୁଟି କଣ?
ଗୁରୁ- ତାହା ପୂର୍ବରୁ କହି ଦିଆ ଯାଇଛି। ଅର୍ଥାତ୍ ଜନ୍ମମୃତ୍ୟୁର ଅଲାତଚକ୍ର ରୂପକ ସଂସାରର ଉଚ୍ଛେଦ ଓ ପରମାନନ୍ଦ-ଲାଭ-ଲକ୍ଷଣ ମୋକ୍ଷ କେବଳ ବେଦାନ୍ତ ବକ୍ୟ ଅନୁସାରୀ ଆତ୍ମଜ୍ଞାନ ଦ୍ୱାରା ହିଁ ସମ୍ଭବ ହୋଇ ଥାଏ।
ଶିଷ୍ୟ-କିଏ ସ୍ୱର୍ଗ ପ୍ରଦାନ କରେ?
ଗୁରୁ- ପ୍ରତ୍ୟେକ ପ୍ରାଣଧାରୀ ପ୍ରତି ଅହିଂସା ହିଁ ସ୍ୱର୍ଗ ପ୍ରଦାନ କରେ।
ଚିନ୍ତନ:
ଏହି ଶ୍ଳୋକଟିକୁ ବିକୃତକରି ବ୍ୟାଖ୍ୟା କରି ଶଙ୍କରାଚାର୍ଯ୍ୟଙ୍କୁ ନାରୀ ପ୍ରତି ତୁଚ୍ଛ ଭାବନା ରଖିଥିବା ବ୍ୟକ୍ତି ଭଳି Ultra communist ମାନେ କହି ଥାନ୍ତି। ଯଦି ଶଙ୍କରାଚାର୍ଯ୍ୟ ନାରୀ ବିରୋଧୀ ହୋଇ ଥାନ୍ତେ ତେବେ ମଣ୍ଡନମିଶ୍ର ସହିତ ଶାସ୍ତ୍ରର୍ଥକରିବା ଅବସରରେ ତାଙ୍କ ପତ୍ନୀକୁ ମଧ୍ୟସ୍ତ କରିବା ପାଇଁ ପ୍ରସ୍ତାବ ଦେଇ ନଥାନ୍ତେ। ଉପନିଷଦରେ ଗାର୍ଗୀର ମହିମା ଥିବା ଶାସ୍ତ୍ରଭାଗର ବ୍ୟାଖ୍ୟା ହିଁ କରି ନଥାନ୍ତେ। ବସ୍ତୁତଃ ଶାସ୍ତ୍ରର୍ଥ ନିୟତିକୁ ଜାଣି ନଥିବା ଏହି ମୂଢ ମାନେ ବୈଦିକ ବ୍ୟବସ୍ଥାକୁ ଦମନ କରି ନିଜ ଅଭିଷ୍ଟ ସାଧନ କରିବା ଉଦ୍ଦେଶ୍ୟରେ ଏପରି କଦର୍ଥ କରି ଥାନ୍ତି।
ଏଠାରେ ପ୍ରଶ୍ନ କୌଣସି ସାମାଜିକ ସନ୍ଦର୍ଭରେ ହିଁ ନାହିଁ। ତେଣୁ ସାମାଜିକ ପରିପ୍ରେକ୍ଷାରେ ଏହାର ବ୍ୟାଖ୍ୟା କରିବା ମୁର୍ଖତା ହିଁ ଅଟେ। ପ୍ରଶ୍ନ ହେଲା ସଂସାରର ଉପଶମ କାରୀ କିଏ? ବିଜ୍ଞାନ ଅନୁସାରେ ଶକ୍ତିର ବିନାଶ ନାହିଁ ତେଣୁ ତାହା ବିଭିନ୍ନ ଭାବରେ ପରିବର୍ତ୍ତିତ ହୁଏ। କିନ୍ତୁ ଆତ୍ମାର ପୁନର୍ଜନ୍ମ ବିଷୟରେ ବିଜ୍ଞାନରେ ଅସ୍ତି-ନାସ୍ତି କିଛି ହିଁ ନାହିଁ। କାରଣ ବିଜ୍ଞାନର ସୀମା ଭୂତ-ଭୌତିକ କାର୍ଯ୍ୟକାରଣ ବ୍ୟବସ୍ଥା ପର୍ଯ୍ୟନ୍ତ, ତାହା ପୁଣି ଆମ ଉପଲବ୍ଧିର କ୍ଷମତା ଅନ୍ତର୍ଭୂତ ବିଶ୍ୱ ପର୍ଯ୍ୟନ୍ତ।
କିନ୍ତୁ ମନୁଷ୍ୟର ଅନ୍ୟ ଏକ ପକ୍ଷ ଯାହାକୁ ଆମେ ଅଧ୍ୟାତ୍ମ ବୋଲି କହୁ ତାହା ଅଦ୍ୟାବଧି ବିଜ୍ଞାନର ଦୃଷ୍ଟିପଥଠାରୁ ବହୁ ଦୂରରେ। ବିଗ୍-ବ୍ୟାଙ୍ଗ୍ ଥିଓରୀ, ଏକ୍ସପାଣ୍ଡିଙ୍ଗ୍ ଇୟୁନିଭର୍ସ ଥିଓରୀ, Darwin ର କ୍ରମବିକାଶବାଦର ଥିଓରୀ ଦ୍ୱାରା ମନୁଷ୍ୟ ତାହାର ଦୁଃଖର ମୂଳ କାରଣକୁ ଜାଣି ପାରୁ ନାହିଁ ଓ ଦୁଃଖର ସମୂଳ ଉଚ୍ଛେଦର ଉପାୟକୁ ଅସମ୍ଭବ ଭାବରେ ଦେଖୁଛି। ବିଜ୍ଞାନରେ ସୁଖଦୁଃଖ ଭଳି ସମ୍ବେଦନା ଗୁଡିକ ସ୍ନାୟୁର କମ୍ପନ, କେତେକ ହର୍ମୋନ୍ ର ପ୍ରଭାବ ଅଥବା ମସ୍ତିଷ୍କର ପ୍ରିଫ୍ରଣ୍ଟାଲ୍ ଲୋବ୍ ରେ ଘଟୁଥିବା ସ୍ନାୟବୀୟ ସମ୍ବେଦନା ଜନ୍ୟ କ୍ରିୟା-ପ୍ରତିକିୟା ଛଡା ଅଧିକ କିଛି ନୁହେଁ।
ଅତଃ ବେଦାନ୍ତତତ୍ତ୍ୱଜ୍ଞାନ ଦ୍ୱାରା ଜନ୍ମମୃତ୍ୟୁର ଅଲାତଚକ୍ରର ଉପଶମ ପାଇଁ ବେଦାନ୍ତ ପ୍ରତିପାଦିତ ତତ୍ତ୍ଵଜ୍ଞାନ ଜରୁରୀ। Albert Einstein,
Niels Bohr,
Erwin Schrödinger
J. Robert Oppenheimer ଇତ୍ୟାଦି ବୈଜ୍ଞାନିକ ମାନେ ବେଦାନ୍ତର ଉତ୍କର୍ଷକୁ ସ୍ୱୀକାର କରିଛନ୍ତି ଓ ସେମାନେ ହିଁ କହିଛନ୍ତି ଯେ ବେଦାନ୍ତର ପ୍ରତିପାଦ୍ୟ ତତ୍ତ୍ୱଗୁଡିକ ବୈଜ୍ଞାନିକ ପ୍ରକ୍ରିୟା ଦେଇ ବୁଝି ହେବ ନାହିଁ। ସେଥି ପାଇଁ ତାହାର ଭିନ୍ନ ପ୍ରକ୍ରିୟା ଆବଶ୍ୟକ। ବୈଜ୍ଞାନିକ ପ୍ରକ୍ରିୟା ଗୁଡିକ ଦ୍ୱାରା ସମଗ୍ର ଭୌତିକ ଜଗତର ସାମଗ୍ରିକ ରହସ୍ୟ ଉଦ୍ଘାଟନ କରିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ବେଦାନ୍ତବୋଧ ହିଁ ଅଧ୍ୟାତ୍ମର ରହସ୍ୟ ଭେଦନ ପାଇଁ ଜରୁରୀ।
ସଂସାରର ଉପଶମ ହିଁ ମୋକ୍ଷ ଅଟେ। ଏହାର ପୃଥକ୍ ବ୍ୟାଖ୍ୟା ଆବଶ୍ୟକ ନାହିଁ। ସେଥିପାଇଁ "କଥିତଃ ସ ଏବ" କହି ଗୁରୁ ପୁନରୁକ୍ତି କଲେ ନାହିଁ।
ନାରୀ ନିଜ ପାଇଁ ନରକ ବା ନରକର ଦ୍ୱାର ବୋଲି କୁହାଯାଇ ଥିଲେ ନାରୀଙ୍କ ଅବଜ୍ଞା ହୋଇ ଥାନ୍ତା। ଅଥବା ନାରୀକୁ ସିଧା ନରକ ବୋଲି କୁହାଯାଇ ଥିଲେ ଅବଜ୍ଞା ହୋଇ ପାରି ଥାନ୍ତା। ତାହା ନାହିଁ। ଦ୍ବାର କାହାକୁ ନିଜେ ଭର୍ତ୍ତି କରେ ନାହିଁ କି ବାହାର କରେ ନାହିଁ। ସେ ନିରପେକ୍ଷ। ଯେ ପ୍ରବେଶ କରିବା ପାଇଁ ବା ବାହାରିବା ପାଇଁ ଚାହେଁ ସେ ଦ୍ୱାରର ବ୍ୟବହାର କରେ। କର୍ତ୍ତା ସ୍ୱତନ୍ତ୍ର। ତେବେ ଏକମାତ୍ର ଦ୍ୱାର ନାରୀକୁ କୁହାଯିବା ପଛରେ ରହସ୍ୟ କଣ? ବସ୍ତୁତଃ ଜୀବତ୍ଵର ଉତ୍ପତ୍ତିର ମାର୍ଗ ନାରୀ ହିଁ ଅଟେ। ଜୀବତ୍ଵ ହିଁ ମୂଳ ଦୁଃଖର ହେତୁ। ସମସ୍ତ ପ୍ରାଣୀ ମାନଙ୍କ ଜୈବିକ ବ୍ୟବହାର ପ୍ରଜନନ-ତାନ୍ତ୍ରିକ ଅଟେ। ମନୁଷ୍ୟ ପ୍ରଜନନର ଆବଶ୍ୟକତା ଅପେକ୍ଷା ଅତ୍ୟଧିକ ଯୌନତୃପ୍ତିର କାମୀ ଅଟେ। ଏହା ବୈଜ୍ଞାନିକ ଦୃଷ୍ଟିରୁ ମନୁଷ୍ୟ ମସ୍ତିଷ୍କର ସଂରଚନା, ଶିକ୍ଷା ଓ ସାମାଜିକ ପ୍ରଭାବ ହେତୁ ହୋଇ ଥାଇ ପାରେ। କିନ୍ତୁ ଯୌନତା କେନ୍ଦ୍ରିକ ଜୀବନ ଆତ୍ମଜ୍ଞାନର ପରିପନ୍ଥୀ ଅଟେ। ତେଣୁ ଏହି ପରିପ୍ରେକ୍ଷାରେ ନାରୀଙ୍କ ପାଇଁ ପୁରୁଷ ଓ ପୁରୁଷ ପାଇଁ ନାରୀ ନରକର ଦ୍ୱାରା ହିଁ ଅଟନ୍ତି। ଏଠାରେ ନାରୀ କହିବା ଏକ ଉପଲକ୍ଷଣ ମାତ୍ର।
ସ୍ୱର୍ଗ କିଏ ପ୍ରଦାନ କରେ ? ପ୍ରତ୍ୟେକ ପ୍ରାଣୀପ୍ରତି ଆଚାରିତ ଅହିଂସା ହିଁ ସ୍ୱର୍ଗ ପ୍ରଦାନ କରେ। ଅନ୍ୟଥା ହିଂସା ଓ ସେଥିରୁ ଉତ୍ପନ୍ନ ପ୍ରତିହିଂସା ପ୍ରତ୍ୟେକକୁ ଦୁଃଖ ପ୍ରଦାନ କରେ। ବୁଦ୍ଧ ଅହିଂସାର ପ୍ରଚାର କରିଥିଲେ କିନ୍ତୁ ସେ ମାଂସ ଖାଇ ପ୍ରାଣତ୍ୟାଗ କଲେ। ଆଜି ପୃଥିବୀର ସମସ୍ତ ବୌଦ୍ଧ ଧର୍ମାବଲମ୍ବୀ ମାନେ ମାଂସସୀ। ଶଙ୍କରାଚାର୍ଯ୍ୟଙ୍କର ଆବିର୍ଭାବ ପରେ ବାମାଚାର ପ୍ରତିବନ୍ଧିତ ହେଲା। ହିଂସା ଓ ବ୍ୟଭିଚାରବହୁଳ ବୌଦ୍ଧ ବଜ୍ରଯାନ ଓ ସହଜଯାନ ଆଦି ମଧ୍ୟ ଅଧର୍ମ ସଂଜ୍ଞକ ହେଲେ। ବୈଦିକ ଅହିଂସା ହିଁ ଯଥାର୍ଥ ଅହିଂସା ଅଟେ।
ଅବଧୂତ ଜ୍ଞାନନନ୍ଦ