କୋ ବା ଦରିଦ୍ରୋ ବିଶାଳତୃଷ୍ଣଃ
ଶ୍ରୀମାଂଶ୍ଚ ୟସ୍ୟ ସମସ୍ତ ତୋଷଃ।
ଜୀବନ୍ମୃତଃ କସ୍ତୁ ନିରୁଦ୍ୟମୋ ୟଃ
କିଂ ବାମୃତଂ ସ୍ୟାତ୍ ସୁଖଦା ନିରାଶା।।
ଶିଷ୍ୟ– ଦରିଦ୍ର କିଏ ? କଣ ଯେଉଁ ମାନେ ଧନହୀନ, ଭୂମିହୀନ ଅଥବା ବୃତ୍ତିହୀନ ସେମାନେ ଦରିଦ୍ର? ଯେଉଁମାନେ ଖାଦ୍ୟ, ବସ୍ତ୍ର ଓ ଔଷଧ ଇତ୍ୟାଦି ଅତ୍ୟାବଶ୍ୟକ ବସ୍ତୁ ପାଇଁ ଅନ୍ୟର ଅନୁଦାନର ପ୍ରତୀକ୍ଷା କରି ଥାନ୍ତି ସେମାନେ ଦରିଦ୍ର କି? କର୍ପୋରେଟ୍ ଜଗତରେ ତାଳ ଦେଇ ଚଳି ପରିବାକୁ ନିତାନ୍ତ ଅସମର୍ଥ ବ୍ୟକ୍ତି ହିଁ ଦରିଦ୍ର କି? ବସ୍ତୁତଃ ଦାରିଦ୍ୟର ଅନେକ ସାପେକ୍ଷ କାରଣରୁ କେଉଁ ମୂଳକାରଣ ହେତୁ ଦାରିଦ୍ର୍ୟ ବିଶେଷ ଭାବରେ ଗଣ୍ୟ ଅଟେ?
ଯାହାର ତୃଷ୍ଣାର ଅନ୍ତ ଦିଶେ ନାହିଁ ସେ ହିଁ ପ୍ରକୃତରେ ଦରିଦ୍ର। ଦାରିଦ୍ର୍ୟର ସୀମାରେଖା ସରକାର ନିର୍ଦ୍ଧାରିତ କରି ପାରନ୍ତି; କିନ୍ତୁ ତାହା କେବଳ ଆର୍ଥିକ ତାରତମ୍ୟ ସ୍ଥିତି। କିନ୍ତୁ ଯେଉଁ ମାନେ ଆଢ୍ୟତାର ଚରମ ସୀମାରେ ଅଛନ୍ତି ସେମାନଙ୍କୁ ଦେଖ। ବିଶାଳ କର୍ପୋରେଟ୍ ମାନେ ସରକାର ସହିତ ସମ୍ବନ୍ଧ ବାନ୍ଧି ଝୋପଡି ବସ୍ତିକୁ ଧ୍ୱଂସ କରି ଦିଅନ୍ତି। ଗରିବ ମାନଙ୍କ ନିକଟରେ ହାତଯୋଡି ଭୋଟ ଭିକ୍ଷା କରୁଥିବା ନେତା ମାନେ ହିଁ ପ୍ରଶାସନ ପଛରେ ଥାଇ ସେହି ଗରିବ ମାନଙ୍କୁ ରାସ୍ତାରେ ଠିଆ କରି ଦିଅନ୍ତି। ଏହାକୁ ବିକାଶ କୁହାଯାଏ। ନେତା, ଅଫିସର୍ ଓ କର୍ପୋରେଟ୍ ତାଙ୍କ ଦୁନିଆଁରେ ବ୍ୟସ୍ତ। ଝୋପଡି ବସ୍ତି ରେ ରହୁଥିବା ବ୍ୟକ୍ତି ଟି ପୁଣି ବାତ୍ୟାପରେ ଯେପରି ବାୟା ଛଡେଇ ନୂଆ ବସା ଟିଏ ଆରମ୍ଭ ରେ ଠିକ ସେହିପରି ଅପନ୍ତରା ଜାଗାରେ କୁଡ଼ିଆଟିଏ କରି ନିଜ ଜୀବିକା ସଜାଡେ। ତା ପିଲା ମାନେ ପୁଣି ପୁରୁଣା ସାଇକେଲ ଟାୟାରକୁ ପିଟି ପିଟି ଦଉଡି ହସି ହସି ଖେଳୁ ଥାନ୍ତି। ତୃଷ୍ଣାରେ ତୃପ୍ତି ନାହିଁ, ଆବଶ୍ୟକତାର ସୀମା ନାହିଁ। ସେହି ଅସୀମ ଆବଶ୍ୟକତାର ନିତ୍ୟବର୍ଦ୍ଧମାନ ତୃଷ୍ଣା ପୀଡିତ ବ୍ୟକ୍ତି ହିଁ ଦରିଦ୍ର।
ଶ୍ରୀମାନ୍ କିଏ? କଣ ଯାହାର ପାରିବାରିକ ଉତ୍ସବରେ ଧନୀ-ମାନୀ ବ୍ୟକ୍ତିମାନେ ମହାର୍ଘ୍ୟ ଉପହାର ଓ ଖାଦ୍ୟ ପେୟ ଦ୍ୱାରା ତୃପ୍ତ ହୁଅନ୍ତି? ଯାହା ଦୁଆରେ ଜୀବିକା ପାଇଁ , ଦାନ ପାଇଁ, ସାହାଯ୍ୟ ସହଯୋଗ ଆଶାରେ ଲୋକଙ୍କ ଧାଡି ଲାଗିଥାଏ କଣ ସେହିମାନେ ଶ୍ରୀମାନ୍ ? କଣ ଯେ ଭୌତିକ ଜଗତରୁ ଯାହା ଯେତେବେଳେ ଚାହେଁ ତାହା ସେତେବେଳେ ତୁରନ୍ତ ପ୍ରାପ୍ତ କରିଥାଏ ସେ ହିଁ ଶ୍ରୀମାନ୍, କଣ ଯେ କଳେ ବଳେ କୌଶଳେ ଜଗତକୁ ଭାଗ୍ୟବାଦ ଭିତରକୁ ଠେଲି ଦେଇ ସମସ୍ତଙ୍କ ଭାଗ୍ୟବିଧାତା ହୋଇ ପାରେ ସେ ହିଁ ଶ୍ରୀମାନ୍ ?
ଯଥାର୍ଥରେ ଯେଉଁଠି ସନ୍ତୋଷ ନାହିଁ ସେଠାରେ ଶ୍ରୀନାହିଁ। ଧନ, ପଦ ଓ ଐଶ୍ୱର୍ଯ୍ୟର ପ୍ରାଚୁର୍ଯ୍ୟରେ ଯେଉଁଠି ସନ୍ତୋଷ ନାହିଁ ସେଠାରେ ଶ୍ରୀନାହିଁ। ଆପେକ୍ଷିକ ସନ୍ତୋଷ ତ ସମସ୍ତଙ୍କୁ ମିଳେ। କିନ୍ତୁ ସର୍ବାଙ୍ଗସନ୍ତୋଷ କେବଳ ବ୍ରହ୍ମଜ୍ଞ ହିଁ ଲାଭ କରିଥାନ୍ତି। ସେ ହିଁ ଯଥାର୍ଥରେ ଶ୍ରୀମାନ୍।
ବଞ୍ଚି ଥାଇ ମୃତ କିଏ? କଣ ଯେ ଦୀର୍ଘକାଳ କୋମାରେ ଥାଏ? ବସ୍ତୁତଃ ଯେ ପୁରୁଷାର୍ଥଶୂନ୍ୟ ସେ ହିଁ ଜୀବନ୍ମୃତ। କିନ୍ତୁ ଉଦ୍ୟମ କିଏ କରୁ ନାହିଁ ? ସମସ୍ତେ ବଞ୍ଚିବା ଓ ଚଳିବା ପାଇଁ ଉଦ୍ୟମ କରୁଛନ୍ତି। କାମ (ଇନ୍ଦ୍ରିୟ ମାନଙ୍କ ବିଷୟର ଇଚ୍ଛା) ଓ ଅର୍ଥ (ବିବିଧ ପ୍ରୟୋଜନ ) ପାଇଁ ସମସ୍ତେ ଚେଷ୍ଟିତ। ଏହା ମଧ୍ୟ ପୁରୁଷାର୍ଥ। ଏହି ପୁରୁଷାର୍ଥ ପଶୁଠାରେ ମଧ୍ୟ ତୁଲ୍ୟ ଅଟେ। ଧର୍ମ ଓ ମୋକ୍ଷ ମନୁଷ୍ୟ ପାଇଁ ବିଶେଷ ପୁରୁଷାର୍ଥ। ଯଦି ଏଥିପାଇଁ ବିଶେଷ ଯତ୍ନ ଓ ଚେଷ୍ଟା ନାହିଁ ସେ ମନୁଷ୍ୟ ପଶୁ ବା ସ୍ଥାବରତୁଲ୍ୟ ଅଟେ। ସେ ହିଁ ଜୀବନ୍ମୃତ ଅଟେ।
ବିଜ୍ଞାନ ହେଉ ବା ଧର୍ମ ସବୁ କିଛି ମୃତ୍ୟୁ ବିପକ୍ଷରେ ହିଁ ଦଣ୍ଡାୟମାନ ଜୀବନର ସମ୍ବର୍ଦ୍ଧନ ଓ ମୃତ୍ୟୁର ଅପସାରଣ ପାଇଁ ମନୁଷ୍ୟର ଆପ୍ରାଣଚେଷ୍ଟା ସବୁ କ୍ଷେତ୍ରରେ ଜାରି ରହିଛି। କିନ୍ତୁ ସମ୍ଭାବିତ ସମସ୍ତ ଜୀବନ ସାଧନ ସତ୍ତ୍ୱେ ଅକସ୍ମାତ୍ ଜୀବନଟି ତିରୋହିତ ହୋଇ ଯାଉଛି। ତେବେ ଏହି ମର ଜଗତରେ ଅମୃତ ଓ ଅମୃତତ୍ୱ କଣ? ଆଶାର ରାହିତ୍ୟ ହିଁ ଅମୃତ ଅଟେ। କାରଣ ଆଶା ବର୍ତ୍ତମାନର ଅସ୍ତିତ୍ବକୁ ସର୍ବଦା ଭବିଷ୍ୟତର ଏକ ସାଧନ ଭାବରେ ବ୍ୟବହାର କରେ। ପ୍ରତ୍ୟେକ ଆଶାରେ ବର୍ତ୍ତମାନଠାରୁ ଅସ୍ତିତ୍ବକୁ ପୃଥକ୍ କରି ଭବିଷ୍ୟତକୁ ନିକ୍ଷେପିତ କରାଯାଇ ଥାଏ। ତେଣୁ ଅସ୍ତିତ୍ବ ବିହୀନ ବର୍ତ୍ତମାନ ଏକ ଅଭାବବୋଧ ଛଡା କିଛି ନଥାଏ। ଅଭାବବୋଧ ହିଁ ମୃତ୍ୟୁ। ପ୍ରକ୍ଷିପ୍ତଅସ୍ତିତ୍ବ ଟି ଭବିଷ୍ୟତର ଅଭାବୀ ଶରୀର ସହିତ ଜଡିତ ହୋଇ ଏକ ପ୍ରେତାତ୍ମା ଭଳି ଘୁରି ବୁଲୁଥାଏ। ତାହା ମଧ୍ୟ ମୃତ୍ୟୁ। ଏହି ଆଶା ଟି ଉଚ୍ଛିନ୍ନ ହେବା ପରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ କେବଳ ଅସ୍ତିତ୍ବର ଏକାଧାରରେ ବ୍ୟବସ୍ଥିତ ଥାନ୍ତି। ତାହା ହିଁ ଅମୃତତ୍ୱ।