ପାଶୋ ହି କୋ ୟୋ ମମତାଭିମାନଃ
ସମ୍ମୋହୟତ୍ୟେବ ସୁରେବ କା ସ୍ତ୍ରୀ।
କୋ ବା ମହାନ୍ଧୋ ମଦନାତୁରୋ ୟୋ
ମୃତ୍ୟୁଶ୍ଚ କୋ ବାପଯଶଃ ସ୍ଵକୀୟମ୍।।
ଶିଷ୍ୟ- ପାଶ କଣ?
ଗୁରୁ- ଯେଉଁ ମମତ୍ୱ ଅଭିମାନ ଦ୍ୱାରା ମନୁଷ୍ୟ ସବୁକିଛି ବିପରୀତ କରି ବସେ ତାହା ହିଁ ପାଶ (ଫାସ) ଅଟେ।
ଶିଷ୍ୟ- ସୁରା ଭଳି କିଏ ସମ୍ମୋହନ କରିଥାଏ?
ଗୁରୁ– ସ୍ତ୍ରୀ
ଶିଷ୍ୟ - କିଏ ମହା ଅନ୍ଧ ?
ଗୁରୁ- ଯେ ମଦନ ( ଯୌନ କାମନା) ଦ୍ୱାରା ଅତ୍ୟନ୍ତ ଆତୁର ଭାବକୁ ପ୍ରାପ୍ତ ହୋଇଛି।
ଶିଷ୍ୟ- ବୈକଳ୍ପିକ ମୃତ୍ୟୁ ଟି କିଏ ?
ଗୁରୁ- ନିଜର ଅପଯଶ ହିଁ ସେହି ବୈକଳ୍ପିକ ମୃତ୍ୟୁ।
ପାଶ କଣ? ପାଶ ଏକ ଅସ୍ତ୍ର ଅଟେ ଯାହା ଦ୍ୱାରା ଶତ୍ରୁକୁ ଏପରି ବାନ୍ଧି ଦିଆ ଯାଏ ସେ ସେ ସେଥିରୁ ସହଜରେ ମୁକୁଳି ପାରେ ନାହିଁ। ଏହା ଇସ୍ପାତ୍ ଲୁହାର ସରୁତାର, ଚମଡା ଓ କାର୍ପାସଦ୍ୱାରା ବଳା ଯାଇଥିବା ଦଉଡି ଦ୍ୱାରା ପ୍ରସ୍ତୁତ ହେଉଥିଲା। ସେଥିରେ ସୀସାର ଗୁଳି ଗୋଜିଆ ଗୁଳି ହୁଡିକ ଖଞ୍ଜା ଯାଇଥିଲା, ଯାହା ଫଳରେ ସେଥିରୁ ଯେ ମୁକ୍ତ ହେବାପାଇଁ ଟାଣିଭିଡି ହେବ ତାହା ଦେହ ସେହି ଗୁଳି ଗୁଡିକରେ ଖଣ୍ଡିଆଖାବରା ହୋଇ ଯିବ। ଏହା ଅନେକ ଦେବତାଙ୍କ ଆୟୁଧ ଭାବରେ ଦେଖା ଯାଇ ଥାଏ, ବିଶେଷ କରି ଦେବୀ ଓ ବରୁଣ ଦେବତାଙ୍କ ଆୟୁଧ ଭାବରେ। ପାଶ ଗଣେଶ ଓ ଯମଙ୍କ ବିଶେଷ ଆୟୁଧ ମଧ୍ୟ ଅଟେ। ଏଠାରେ ଏହି ପାଶକୁ ଉପମା ଭାବରେ ଗ୍ରହଣ କରି ପ୍ରଶ୍ନ କରାଯାଇଛି ଯେ ଏହି ଭଳି ସାଂଘାତିକ ଅସ୍ତ୍ର ପାଶ ଅଧ୍ୟାତ୍ମଜଗତରେ କିଏ? ଏହାର ଉତ୍ତରରେ ଗୁରୁ କହନ୍ତି ମମତ୍ୱର ଅଭିମାନ ହିଁ ପାଶ ଅଟେ।
ସ୍ତ୍ରୀ, ପୁତ୍ର, ସ୍ୱଜନ କୁଟୁମ୍ବ, ଧନ ଓ ଐଶ୍ୱର୍ଯ୍ୟରେ ମମତ୍ୱ ଅଭିମାନ ହିଁ ମନୁଷ୍ୟକୁ ଏପରି ବାନ୍ଧି ରଖେ ସେ ସେଥିପାଇଁ ସମ୍ପୂର୍ଣ୍ଣ ଅବୈଧ ମାର୍ଗରେ ଯାଇ ନିଜର ସର୍ବନାଶ କରେ। ପାଶ ଏକ ଏପରି ଅସ୍ତ୍ର ଯେଉଁଥିରୁ ବାହାରିବା ପାଇଁ ଯେତେ ଚେଷ୍ଟା କରିବ ତାହା ସେତେ ଅଧିକ ଦୃଢତର ଭାବରେ ବାନ୍ଧି ହେଉଥିବ। ଧୃତରାଷ୍ଟ୍ରଙ୍କର ଯୁଧିଷ୍ଠିରପ୍ରତି ମମତ୍ୱ ଅଭିମାନ ମହାଭାରତ ଯୁଦ୍ଧର ଏକ ବିଶେଷ କାରଣ ଅଟେ। ଧନାଢ୍ୟ ବ୍ୟକ୍ତି ଓ ଉଚ୍ଚପଦସ୍ଥ ବ୍ୟକ୍ତି ଏହି ମମତ୍ବ ଅଭିମାନ ହେତୁ ଏପରି କିଛି କର୍ମ କରି ଦିଅନ୍ତି ଯାହା ପାଇଁ ସେମାନେ ପତିତ ହୁଅନ୍ତି। ଅନେକ ମଠମନ୍ଦିରର ଉତ୍ତରାଧିକାର ଏହି ମମତ୍ୱ ଭିତ୍ତିରେ ସ୍ଥରୀକୃତ ହୋଇ ଠେଉଥିବାରୁ ଧର୍ମର ହାନି ହୋଇ ଚାଲିଛି।
ଆଚାର୍ଯ୍ୟ ଦ୍ରୋଣ ମମତ୍ୱ-ଅଭିମାନ ହେତୁ ଅଶ୍ୱତ୍ଥାମାର ଅଯୋଗ୍ୟତା ସତ୍ତ୍ୱେ ତାକୁ ବ୍ରହ୍ମାସ୍ତ୍ର ବିଦ୍ୟା ପ୍ରଦାନ କରିଥିଲେ। ସେହି ଅଶ୍ୱତ୍ଥାମା ସେହି ଅସ୍ତ୍ରର ଅନୈତିକ ପ୍ରୟୋଗ ମହାଭାରତରେ କରିଥିବା ଦେଖା ଯାଏ।
ମଦ୍ୟ ଠାରୁ ଅଧିକ ସମ୍ମୋହକ ପଦାର୍ଥ ସ୍ତ୍ରୀ ଅଟେ। ବଡ଼ ବଡ଼ ନେତା ଓ ଅଫିସର୍ ମାନଙ୍କୁ ବଶ କରିବାର ଅମୋଘ ଅସ୍ତ୍ର ସ୍ତ୍ରୀ ଅଟେ। ଏହି ଅସ୍ତ୍ରର ପ୍ରୟୋଗ କରି ସେମାନଙ୍କ ଠାରୁ ସମସ୍ତ ପ୍ରକାରର ଅନୈତିକ ଲାଭ ଅନ୍ୟମାନେ ନେଇଥାନ୍ତି। ଏଠାରେ ସ୍ତ୍ରୀର ଅର୍ଥ ଧର୍ମପତ୍ନୀ ନୁହେଁ। କାମୁକଭାବାପନ୍ନ ବ୍ୟକ୍ତି ଯେଉଁ ସ୍ତ୍ରୀର ବଶବର୍ତ୍ତୀ ହୋଇ ଯାଏ ଏଠାରେ ସେହି ସ୍ତ୍ରୀ ଉଦ୍ଦେଶ୍ୟରେ ଏହା କୁହାଯାଇଛି। କ୍ଵଚିତ ପତ୍ନୀ ଧର୍ମାନୁକୂଳ ନ ହୋଇ ଯଦି ଅର୍ଥକାମ ହେତୁ ନିଜ ପତିକୁ ପ୍ରେରିତ କରେ ଓ ସେହି ସ୍ତ୍ରୀପରାଧୀନ ପୁରୁଷ ସେହିଭଳି ଜୀବନଯାପନ କରେ ତେବେ ସେ ମଦ୍ୟପପରି ନିଶାଗ୍ରସ୍ତ ଓ ତାହାର ପତ୍ନୀ ମଦ୍ୟପରି ମୋହନକାରିଣୀ ଅଟେ।
ଆଖି ନଥିବା ବ୍ୟକ୍ତି ଅନ୍ଧ। କିନ୍ତୁ ଅନ୍ଧ ଠାରୁ ମଧ୍ୟ ଅଧିକ ଅନ୍ଧତ୍ୱରେ କିଏ ଅଛି? ଯାହାକୁ ମହାନ୍ଧ କୁହାଯାଏ। ଯେ ମଦନ ଦ୍ୱାରା ଆତୁର ଚିତ୍ତ ଅଟେ ସେ ହିଁ ବଡ଼ ଅନ୍ଧ। ସାଧାରଣତଃ ଯୌନ କାମନା ଏକ ପ୍ରାକୃତିକ ଘଟଣା। ମନୁଷ୍ୟ ଠାରେ ଏହା କେବଳ ପ୍ରଜନନତାନ୍ତ୍ରିକ ନୁହେଁ ବୋଲି କେବଳ ବର୍ତ୍ତମାନର ବିଜ୍ଞାନ ନୁହେଁ ପୁରାଣରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖା ଯାଏ। ସୀତାଙ୍କ ପ୍ରତି ରାବଣର ଆକର୍ଷଣ, ଶୁମ୍ଭ-ନିଶୁମ୍ଭ ଓ ମହିଷାସୁରର ଦେବୀଙ୍କ ପ୍ରତି ଆକର୍ଷଣ କେବଳ ପ୍ରଜନନ ତାନ୍ତ୍ରିକ ନଥିଲା। ଆଜିକାଲି LGBTQ ଆଦି ଯୌନସବନ୍ଧକୁ ଅଧିକ ପ୍ରଚାର କରାଯାଉଛି। ଏସବୁ ପ୍ରଜନନ ତାନ୍ତ୍ରିକ ନୁହେଁ।
ବାବା ରାମ ଦେବ ନିଜକୁ ସର୍ବଜ୍ଞ ପ୍ରମାଣିତ କରିବା ପାଇଁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଲାଗିଲେ। ଏହି କ୍ରମରେ ସେ ପ୍ରଚାର କଲେ ଯେ ନଖ ସହିତ ନଖ ଘଷିଲେ ଧଳା ବାଳ ଗୁଡିକ କଳା ହୋଇ ଯିବ। ତେଣୁ ୮୫ ବର୍ଷର ବୃଦ୍ଧ ମାନେ ମଧ୍ୟ ପୁନର୍ଯୌବନ ଲାଭ ପାଇଁ ମର୍ନିଂ ବାକ୍ ବେଳେ ନଖ ଘଷୁଥିବା ମୁଁ ଦେଖିଲି। ମିଛୁଆ ବେପାରୀ ବାବା ଟି ଅଯଥା ବଦନାମ। କିନ୍ତୁ ମୁଁ ଏଥିରୁ ଶିଖିଲି ଲେ ଯୌନକ୍ଷୁଧା ଟି ଶାରୀରିକ ସାମର୍ଥ୍ୟକୁ ଦେଖେ ନାହିଁ। ଏହି ଅତିଶୟ ଯୌନକ୍ଷୁଧା ମଦନାତୁରତା ଅଟେ। ଅଧିକାଂଶ ସମୟରେ ସେ ସାମାଜିକ, ନୈତିକ ଓ ଆଇନିଗତ ବନ୍ଧବାଡ଼କୁ ଭାଙ୍ଗି ପକାଏ। ସେତେବେଳେ ତାହାର ଯାହା ସବୁ ପରିଣାମ ହୁଏ ତାହା ସମସ୍ତଙ୍କୁ ଜଣା ।
ମୃତ୍ୟୁ ସଧାରଣତଃ ପ୍ରାଣପାତ କୁ କୁହାଯାଏ। ତାହା ସ୍ୱାଭାବିକ, ରୋଗଜନ୍ୟ, ହତ୍ୟା ଓ ଆତ୍ମହତ୍ୟା ତଥା ଦୁର୍ଘଟଣା ବସାତ୍ ଆଦି ଅନେକ ନାମରେ ଖ୍ୟାତ। କିନ୍ତୁ ପ୍ରାଣ ଶରୀରରେ ଥାଇ ସଚଳ ବ୍ୟବହାରିକ ଅବସ୍ଥାରେ କଣ ମୃତ୍ୟୁର ସହାବସ୍ଥାନ ସମ୍ଭବ? ଯଦି ସମ୍ଭବ ତେବେ ତାହା ଏକ ବୈକଳ୍ପିକ ମୃତ୍ୟୁ ଅଟେ। ତାହା କଣ?
ନିଜର ଅପଯଶଃ। ମୃତ୍ୟୁ ଦ୍ୱାରା ମୃତକର ଜ୍ଞାତି କୁଟୁମ୍ବ ମାନେ ଦୁଃଖ ଓ ଶୋକ ପ୍ରକାଶ କରନ୍ତି। କିନ୍ତୁ ମୃତକ ପାଇଁ ମୃତ୍ୟୁ ସୁଖକର ବା ଦୁଃଖକର ତାହା ଜାଣିବା ପାଇଁ ବିଜ୍ଞାନ ଓ ଦର୍ଶନରେ କୈଣସି ନିଶ୍ଚିତ ବିଧା ନାହିଁ। କିନ୍ତୁ ନିଜର ଅପଯଶ ମୃତ୍ୟୁଭଳି ଆତ୍ମୀୟ ସ୍ଵଜନଙ୍କ ଠାରୁ ଦୂରେଇ ଦିଏ। ନିଜକୁ ସମାଜ ଓ ସଂହତି ଠାରୁ ପୃଥକ୍ କରି ଦିଏ। ନିଜ ବିବେକ ଓ ବ୍ୟକ୍ତିତ୍ୱ ପରସ୍ପର ପୃଥକ୍ ହୋଇ ରହନ୍ତି। ନିଜ ଉପସ୍ଥିତି ଅପେକ୍ଷା ଆତ୍ମଗୋପନ ଅଧିକ ଶ୍ରେୟସ୍କର ଲାଗେ। ଅପଯଶ ନିଜ କୁକର୍ମ ପାଇଁ ହେଉ ଅଥବା ଅନ୍ୟର ବା ବହୁଜନଙ୍କ ମିଥ୍ୟା ଆରୋପ ହେତୁ ହେଉ ତାହା ଅପଯଶ ହିଁ ଅଟେ। ଶ୍ରୀକୃଷ୍ଣଙ୍କ ଉପରେ ସ୍ୟମନ୍ତକ ମଣିହରଣର ଆରୋପ ମାତ୍ରରେ ଅପଯଶ ଲାଗି ଗଲା। ଶ୍ରୀକୃଷ୍ଣ ସମର୍ଥ ଥିଲେ । ସେଥିପାଇଁ ସେ ମଣିହରଣର ଯଥାର୍ଥ ତଥ୍ୟ ସମସ୍ତଙ୍କୁ ପ୍ରମାଣ ସହିତ ଜଣେଇ ଦେଲେ। କିନ୍ତୁ ସୀତା ପରଆରୋପିତ ଅପବାଦ ହେତୁ ପ୍ରାଣତ୍ୟାଗ କଲେ। ପରଦ୍ୱାରା ଆରୋପିତ କୁତ୍ସାର ଚିକିତ୍ସା ସର୍ବଦା ସମ୍ଭବ ନୁହେଁ। କିନ୍ତୁ ନିଜେ କୌଣସି ଅବୈଧ କାର୍ଯ୍ୟରେ ଥାଇ ଅପଯଶ ଉପାର୍ଜନ ନ କରିବା ଉଚିତ।