କୋ ବା ଗୁରୁର୍ୟୋ ହି ହିତୋପଦେଷ୍ଟା
ଶିଷ୍ୟସ୍ତୁ କୋ ୟୋ ଗୁରୁଭକ୍ତ ଏବ।
କୋ ଦୀର୍ଘରୋଗୋ ଭବ ଏବ ସାଧୋ
କିମୌଷଧଂ ତସ୍ୟ ବିଚାର ଏବ।।
ଶିଷ୍ୟ- ଗୁରୁ କିଏ?
ଗୁରୁ- ଯେ ହିତ (ଶ୍ରେୟ)ର ଉପଦେଶ କରନ୍ତି।
ଶିଷ୍ୟ- ଶିଷ୍ୟ କିଏ?
ଗୁରୁ- ଯେ ଗୁରୁଶୁଶ୍ରୁଷା ପରାୟଣ ସେ ହିଁ ଶିଷ୍ୟ
ଶିଷ୍ୟ- ଦୀର୍ଘ ରୋଗ କଣ?
ଗୁରୁ- ଜନ୍ମମୃତୁର ଚକ୍ର ରୂପକ ସଂସାର ହିଁ ଦୀର୍ଘରୋଗ ଅଟେ।
ଶିଷ୍ୟ- ଏହାର ଔଷଧ କଣ?
ହେ ସୁଶୀଳ! ଏହାର ଔଷଧ ହେଲା ବ୍ରହ୍ମ-ସାକ୍ଷାତ୍କାର-ଲକ୍ଷଣ ଅପରୋକ୍ଷ-ତତ୍ତ୍ଵଜ୍ଞାନ-ପର୍ଯ୍ୟବସାୟୀ ପରମାର୍ଥ ସମ୍ବନ୍ଧିତ ବେଦାନ୍ତ ବକ୍ୟର ବିଚାର।
ଚିନ୍ତନ:
ଏବେ ଗୁରୁସଂଜ୍ଞକ ପ୍ରାଣୀଙ୍କ ବାହୁଲ୍ୟ ଦେଖିବାକୁ ମିଳୁଛି। କିନ୍ତୁ ସମାନ ସଂଜ୍ଞା ସତ୍ତ୍ୱେ ବିଭିନ୍ନ ପରସ୍ପର ବିରୁଦ୍ଧ ଗୁଣ-ଲକ୍ଷଣ ଗୁଡିକର ଉପସ୍ଥିତି ହେତୁ ମନରେ ସଂଶୟ ଆସେ ଯେ ଗୁରୁ କିଏ? ଅତଃ ଯେପରି ପ୍ରତ୍ୟେକ ଶବ୍ଦ ଏକ ନିର୍ଦିଷ୍ଟ ସନ୍ଦର୍ଭରେ ଏକ ନିର୍ଦିଷ୍ଟ ଅର୍ଥର ପ୍ରକାଶକ ଅଟନ୍ତି ଓ ତଦନୁସାରୀ ବ୍ୟବସ୍ଥିତ-ପରିଭାଷା-ଯୋଗ୍ୟ ଅଟନ୍ତି ଠିକ ସେହିପରି ଅଧ୍ୟାତ୍ମ-କ୍ଷେତ୍ରରେ ଗୁରୁଶବ୍ଦର ନିର୍ଦିଷ୍ଟ-ଲକ୍ଷଣ ଓ ବ୍ୟବସ୍ଥିତ-ପରିଭାଷା ଆବଶ୍ୟକ।
ମାନବ-ସମାଜରେ ପ୍ରଚଳିତ ଶିକ୍ଷା ଓ ବ୍ୟାବହାରିକ-ସ୍ୱାତନ୍ତ୍ର୍ୟ ଅଧିକ ଅନାବଶ୍ୟକ ବାଚାଳତା ସୃଷ୍ଟି କରିଛି। ସମସ୍ୟାଟି କହୁକହୁ ବାଚାଳ ମାନେ ସମାଧାନର ବକ୍ତୃତା ତୁରନ୍ତ ଆରମ୍ଭ କରି ଦେଉଛନ୍ତି। ଠିକ ଭାବରେ ମାତୃଭାଷାର ଉଚ୍ଚାରଣ କରିବାକୁ ଅସମର୍ଥ ଶିଶୁ ଟିଏ ମଧ୍ୟ ସାମାଜିକ ଗଣମାଧ୍ୟମରେ ଧର୍ମ ଓ ଅଧ୍ୟାତ୍ମର ଉପଦେଶ ଦେଉଛି। ଏହାକୁ ଅତି ଆଶ୍ଚର୍ଯ୍ୟ ବୋଲି ଭାବି ଲୋକେ ତାହାର ଅନୁଗମନ କରୁଛନ୍ତି। ଗୁଡିଏ motivational speaker ମଧ୍ୟ ଗୁରୁ ନାମରେ ପ୍ରସିଦ୍ଧ । ସେମାନେ ନିର୍ଦିଷ୍ଟ ଗୁପ୍ତ ଏଜେଣ୍ଡା ଦ୍ୱାରା ଲୋକଙ୍କୁ ଶବ୍ଦ ଜାଲରେ ମୋହିତ କରି ନିଜର ଉଦ୍ଦେଶ୍ୟ ସାଧନ କରୁଛନ୍ତି।
ଧାର୍ମିକ-ସାହିତ୍ୟ-ଚର୍ଚ୍ଚା ଏକ ଭଲ ଫଳପ୍ରସୂ-ବ୍ୟବସାୟ ପାଲଟିଛି। ଜ୍ୟୋତିଷ, ବାସ୍ତୁ, ଯୋଗ, ଭାଗ୍ୟବାଦ ଆଦି ମଧ୍ୟ ଉଚ୍ଚଶିକ୍ଷିତ, ଧନୀ-ମାନୀ ଲୋକଙ୍କ ମନକୁ ମୋହିତ କରି ପାରୁ ଥିବାରୁ ଏହାର ବକ୍ତା ମଧ୍ୟ ଗୁରୁସଂଜ୍ଞକ ହୋଇ ସମାଜରେ ନିଜ ପାଇଁ ଏକ ଉଚ୍ଚସ୍ଥାନ ସଂରକ୍ଷିତ କରି ପାରିଛନ୍ତି। ଉଚ୍ଚଶିକ୍ଷିତ-ଯୁବକ ମାନେ କର୍ପୋରେଟ୍ ଅଧୀନରେ କାମ କରି ସୀମିତ-ରୋଜଗାର କରିବା ଅପେକ୍ଷା ଧର୍ମ ଓ ଅଧ୍ୟାତ୍ମର ଚର୍ଚ୍ଚା ଦ୍ୱାରା ଅଧିକ ଭୌତିକ ଓ ଆର୍ଥିକ ଉପଲବ୍ଧି ହାସଲ କରିପାରୁଛନ୍ତି। ଏହି ଶାବ୍ଦିକ-ମାୟାଜାଲରୁ ଆମେ ମୁକ୍ତ ହେବା ପାଇଁ ଗୁରୁତତ୍ତ୍ୱକୁ ଜାଣିବା ଉଚିତ।
ତଦ୍ ବିଜ୍ଞାନାୟ ସ ଗୁରୁମେବାଭିଗଛେତ୍ ସମିତ୍ପାଣିଃ ଶ୍ରୋତ୍ରିୟଂ ବ୍ରହ୍ମନିଷ୍ଠମ୍ (ଉପନିଷଦ୍ )। ଜ୍ଞାନୀନଃ ତତ୍ତ୍ୱଦର୍ଶନଃ (ଗୀତା)। ଶ୍ରୁତି ଓ ସ୍ମୃତିର ପ୍ରମାଣ ସ୍ୱରୂପ ଏହି ଦୁଇଟି ସଂକ୍ଷିପ୍ତ ଉକ୍ତି ହିଁ ଗୁରୁତତ୍ତ୍ବକୁ ଜାଣିବାରେ ପର୍ଯ୍ୟାପ୍ତ। ଉପନିଷଦ୍ ର ପ୍ରେକ୍ଷାରେ ଗୁରୁ ଶ୍ରୋତ୍ରିୟ ଓ ବ୍ରହ୍ମନିଷ୍ଠ ଅଟନ୍ତି। ଗୀତା ଅନୁସାରେ ଗୁରୁ ଜ୍ଞାନୀ ଓ ତତ୍ତ୍ୱଦର୍ଶୀ ଅଟନ୍ତି। ଶ୍ରୋତ୍ରିୟ= ବେଦାଧ୍ୟୟନ ଅନୁରତ ବ୍ୟକ୍ତିକୁ ଶ୍ରୋତ୍ରିୟ କୁହାଯାଏ ( ଅମରକୋଷ) । ବେଦର ଅନ୍ୟୁନ ଗୋଟିଏ ଶାଖାକୁ କଳ୍ପ ସହିତ ଅଥବା ଛଅ-ଅଙ୍ଗ ସହିତ ପଢିଥିବା ଓ ଧର୍ମଶାସ୍ତ୍ରର ପୂର୍ଣ୍ଣାଙ୍ଗ ଜ୍ଞାନ ଥିବା ବ୍ୟକ୍ତି ହିଁ ଶ୍ରୋତ୍ରିୟ ଅଟନ୍ତି। ସେହି ଶ୍ରୋତ୍ରିୟ ଯଦି କେବଳ କର୍ମ ଓ ତାହାର ଫଳସ୍ୱରୂପ ସ୍ୱର୍ଗ ଇତ୍ୟାଦି ବିଷୟରେ ନିଷ୍ଠା ରଖି ଥାନ୍ତି ସେମାନେ ଗୁରୁ ସଂଜ୍ଞକ ହୁଅନ୍ତି ନାହିଁ। ଗୁରୁସଂଜ୍ଞା ପାଇଁ ଶ୍ରୋତ୍ରିୟତା ସହିତ ବିବେକ ଓ ବୈରାଗ୍ୟ ଆଦି ସାଧନସମ୍ପନ୍ନତା ସହିତ ଅପରୋକ୍ଷ ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ଏଷଣାତ୍ରୟର ତ୍ୟାଗୀ ସନ୍ନ୍ୟାସସମ୍ପନ୍ନ ବ୍ୟକ୍ତି ହେବା ଉଚିତ। ତେଣୁ ବାୟା ବାବା, ବଳିଆ ବାବା, ସାରଥୀ ବାବା, ମାଳିକା ବାବା, ଚମତ୍କାରୀ ବାବା, ସ୍ୱୟଂଭୁ ବାବା, ଦୀକ୍ଷାଦାତା ମଠ ମହନ୍ତ, କର୍ମକାଣ୍ଡୀ ପୁରୋହିତ, ଦେଉଳିଆ ପୂଜାରୀ, ବ୍ୟାସଗଦ୍ଦୀରେ ବସି ଭାଷଣ ଦେଉଥିବା ପ୍ରବକ୍ତା, ହେତୁବାଦୀ ଓ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଷୟର ଅଧ୍ୟାପକ ମାନେ ଗୁରୁ ନୁହନ୍ତି।
ବ୍ରହ୍ମନିଷ୍ଠା ଏଷଣାତ୍ରୟ ସନ୍ନ୍ୟାସ ଦ୍ୱାରା ହିଁ ସମ୍ପନ୍ନ ହୋଇ ଥାଏ । ଶଙ୍କରାଚାର୍ଯ୍ୟ ଇଶାବାସ୍ୟ ଭଷ୍ୟରେ "ତେନ ତ୍ୟକ୍ତେନ ଭୁଞ୍ଜୀଥା" ର ବ୍ୟାଖ୍ୟା ଅବସରରେ ଓ ବୃହଦାରଣ୍ୟକ ଉପନିଷଦ୍-ରେ ଯାଜ୍ଞବଳ୍କ୍ୟ ଓ ମୈତ୍ରେୟୀ ସମ୍ବାଦର ବ୍ୟାଖ୍ୟା ଅବସରରେ ତଥା ସମସ୍ତ ଅନ୍ୟ ଉପନିଷଦ୍ ଗୁଡିକର ଭାଷ୍ୟ ଅବସରରେ ଏଷଣାତ୍ରୟ ସନ୍ନ୍ୟାସକୁ ବ୍ରହ୍ମଜ୍ଞାନର ଅଙ୍ଗ ଭାବରେ ପ୍ରତିପାଦିତ କରିଛନ୍ତି।
'ଜ୍ଞାନୀନଃ ତତ୍ତ୍ୱଦର୍ଶିନଃ' ପଦର ବ୍ୟାଖ୍ୟା ମଧ୍ୟ ଏତାବତା ଶ୍ରୋତ୍ରିୟ ବ୍ରହ୍ମନିଷ୍ଠ ପଦର ବ୍ୟାଖ୍ୟାନ ଦ୍ୱାରା ସମ୍ପନ୍ନ ଅଟେ।
ଶିଷ୍ୟ କିଏ ? ଏଠାରେ ଶିଷ୍ୟର ଏକ ମାତ୍ର ଲକ୍ଷଣ ଗୁରୁଭକ୍ତି ବା ଗୁରୁ- ଶୁଶ୍ରୁଷା-ପରାୟଣତା ଅଟେ। ବିଭିନ୍ନ ଉଦ୍ଦେଶ୍ୟରେ ବିଭିନ୍ନ ଧାର୍ମିକ ସଂସ୍ଥା ଓ ଧାର୍ମିକ ସଙ୍ଗଠନରେ ଯୋଗ ଦେଇଥିବା ଲୋକେ ଅଥବା ବିଭିନ୍ନ ବକ୍ତାଙ୍କ ଭାଷଣ ସ୍ଥଳରେ ଓ ବିଭିନ୍ନ ଶୋଭାଯାତ୍ରାରେ ଭିଡରେ ସମ୍ମିଳିତ ଲୋକେ ଅଥବା ଉପଚାରମାତ୍ରତଃ ଉପନାୟନ-ସମ୍ପନ୍ନ ଓ ଦୀକ୍ଷିତ ଲୋକେ , ଅଥବା ମଠ ଓ ମନ୍ଦିରର ଉତ୍ତରାଧିକାର ପାଇଁ ଅନ୍ତେବାସୀ ଭାବରେ ରହୁଥିବା ମଠାଧୀଶମାନଙ୍କ ଅଧସ୍ତନ ବ୍ୟକ୍ତିଗଣଙ୍କର ଶିଷ୍ୟ ସଂଜ୍ଞା ମଧ୍ୟ ହୁଏ ନାହିଁ। ଶିଷ୍ୟ ସଂଜ୍ଞା ପାଇଁ ଗୁରୁସଂଜ୍ଞାର ସମ୍ବନ୍ଧ ଜରୁରୀ। କେବଳ ପୂର୍ବୋକ୍ତ ଗୁରୁଙ୍କର ନିତ୍ୟଶୁଶ୍ରୁଷା-ପରାୟଣ ବ୍ୟକ୍ତି ହିଁ ଶିଷ୍ୟ ଅଟେ।
ଗୁରୁଶୁଶ୍ରୁଷୟା ବିଦ୍ୟା
ପ୍ରଭୂତେନ ଧନେନ ବା।
ବିଦ୍ୟୟା ଲଭ୍ୟତେ ବିଦ୍ୟା
ଚତୁର୍ଥଂ ନୋପଲଭ୍ୟତେ।।
ଗୁରୁଙ୍କ ଶୁଶ୍ରୁଷାଦ୍ୱାରା ଗୁରୁଙ୍କ ପ୍ରସନ୍ନତା ଲାଭ କରି ବେଦାନ୍ତର ଗୂଢାର୍ଥଭେଦନ ପୂର୍ବକ ବ୍ରହ୍ମବିଦ୍ୟା ଲାଭ କରାଯାଇ ପାରେ। ବଡ଼ବଡ଼ ରାଜା ମାନେ ଋଷି ମାନଙ୍କ ଶାଳାର ପରିଚାଳନା ପାଇଁ ପ୍ରଭୂତ-ଧନ-ଦାନ କରି ବିଭିନ୍ନ ଗୂଢ-ବିଦ୍ୟା ଗ୍ରହଣ କରୁଥିଲେ। ଜଣେ ନିଜେ ଜାଣି ଥିବା ବିଶେଷ ବିଦ୍ୟାକୁ ଦେଇ ଅନ୍ୟର ବିଶେଷ ବିଦ୍ୟା ଗ୍ରହଣ କରିପାରୁଥିଲା। ତେବେ ଅନ୍ୟାନ୍ୟ ଉପାସନା ସମ୍ବନ୍ଧିତ ବିଦ୍ୟାର ଉପାର୍ଜନ କ୍ଷେତରେ ନିମ୍ନୋକ୍ତ ଉପାୟ ଦ୍ୱୟ ସାର୍ଥକ ଅଟନ୍ତି। କିନ୍ତୁ ବ୍ରହ୍ମବିଦ୍ୟା ପାଇଁ ଗୁରୁଶୁଶ୍ରୁଷା ହିଁ ମୁଖ୍ୟ ଘଟକ ଅଟେ। ତେଣୁ ସେ ଗୁରୁ ଭକ୍ତ ସେ ହିଁ ଯୋଗ୍ୟଶିଷ୍ୟ ଓ ସେ ହିଁ ବ୍ରହ୍ମବିଦ୍ୟା ଉପପାର୍ଜନର ଉପଯୁକ୍ତ ଅଧିକାରୀ।
ଯେତେ ବଡ଼ ରୋଗ ହେଉ ତାହାର ଅନ୍ତ ରୋଗୀର ମୃତ୍ୟୁ ସହିତ ହୋଇ ଯାଏ। କିନ୍ତୁ ସଂସାର ଏକ ଏପରି ରୋଗ ତାହାର ଅନ୍ତ ଅନେକ ଥରର ମୃତ୍ୟୁ ମଧ୍ୟ କରି ପାରେ ନାହିଁ। ପୁନରପି ଜନନଂ ପୁନରପି ମରଣଂ
ପୁନରପି ଜନନୀଜଠରେ ଶୟନମ୍।
ଇହ ସଂସାରେ ଖଲୁ ଦୁସ୍ତାରେ
କୃପୟା ପାରେ ପାହି ମୁରାରେ! ।।
ବାରମ୍ବାର ବିଭିନ୍ନ ଶରୀରରେ ଜନ୍ମ ଓ ବାରମ୍ବାର ମୃତ୍ୟୁ ପୁଣି ବାରମ୍ବାର ଜନନୀ-ଗର୍ଭ-ଅନ୍ତର୍ଗତ ଅସହାୟତା ଅଭାବ, ରୋଗ, ବାର୍ଦ୍ଧକ୍ୟ ଆଦି ଅନେକ ଦୁଃଖର ମୂଳ ଭବ ଅଟେ। ଭବ=ଜନ୍ମ ବା ଆତ୍ମାର ଶରୀର-ଧାରଣ। ଏହା ସହିତ ସବୁ କ୍ଳେଶକର ପରିସ୍ଥିତି ଜଡିତ। ସେଥିପାଇଁ ଏହା ସବୁଠାରୁ ଅଧିକ ଦୀର୍ଘ-କାଳିକ ରୋଗ ଅଟେ।
ଯଦି ଏହା ଏକ ରୋଗ ତେବେ ଏହାର ନିବାରଣ ପାଇଁ କୌଣସି ଉପାୟ ଥିବା ଆବଶ୍ୟକ। ନିଶ୍ଚୟ ଉପାୟ ଅଛି। ତାହା ହେଲା ବିଚାର। ମୂଳ-ଅଜ୍ଞାନ-ହେତୁ ଆତ୍ମାର ଦେହ-ସମ୍ବନ୍ଧ ହୋଇ ଥାଏ। ବିଚାର ଦ୍ୱାରା ଆତ୍ମଜ୍ଞାନ ଲାଭ କରି ଜୀବ ପୁନର୍ଜନ୍ମରୁ ମୁକ୍ତ ହୋଇ ଥାଏ।
ବେଦାନ୍ତ ବାକ୍ୟ ଦ୍ୱାରା ତତ୍ପଦାର୍ଥର ଶୋଧନ ଅର୍ଥାତ୍ ଈଶ୍ୱର ପଦାର୍ଥର ସ୍ୱରୂପ ନିର୍ଦ୍ଧାରଣ ଓ ସେହି ପରମେଶ୍ବର କାର୍ଯ୍ୟରୂପ ଜଗତ୍ ଓ କାରଣରୂପା ମାୟା ତଥା କଯ୍ୟକାରଣ-ବ୍ୟାପାର ରୂପକ ସୃଷ୍ଟିସଙ୍କଳ୍ପନା ଆଦି କ୍ରିୟାରେ ଅସଂଶ୍ଳିଷ୍ଟ, ପୃଥକ୍ ଓ ସ୍ୱତନ୍ତ୍ର ଅଟନ୍ତି। ଏହାକୁ ଜାଣିବା ତତ୍ପଦାର୍ଥର ଶୋଧନ ଅଟେ। ତ୍ୱମ୍ ପଦାର୍ଥ ଜୀବାତ୍ମା ଅଟେ। କିନ୍ତୁ ଆତ୍ମାର ଅଜ୍ଞାନକର୍ତୃକ ଦେହାଦି-ସମ୍ବନ୍ଧ ମିଥ୍ୟା ହିଁ ଅଟେ। ମିଥ୍ୟା= ଅନିର୍ବଚନୀୟ। ଜାଗ୍ରତ୍, ସ୍ୱପ୍ନ ଓ ସୁସୁପ୍ତି ଅବସ୍ଥାରେ ଯେପରି ତୁରୀୟ ଆତ୍ମା ଅବସ୍ଥା ଗୁଡିକ ଭଙ୍ଗ ହେବା ପରେ ବି ସ୍ୱୟଂ ଏକ ହିଁ ଥାଏ ସେହି ପରି ଅନେକ ଦେହସମ୍ବନ୍ଧରୁ ସମସ୍ତ ଜନ୍ମରେ ଆତ୍ମତତତ୍ତ୍ୱ ଏକ ହିଁ ଥାଏ। ତେଣୁ ସେ ସ୍ଵଭାବତଃ ଦେହାଦି ବିକ୍ରିୟା ଠାରୁ ପୃଥକ୍ ସଚ୍ଚିଦାନନ୍ଦ ସ୍ୱରୂପ ଅଟେ। ଏହି ପରି ବିଚାର ତ୍ୱମ୍ ପଦାର୍ଥର ଶୋଧନ ଅଟେ। ବ୍ରହ୍ମ ମାୟା କର୍ତୃକ ସୃଷ୍ଟି ଆଦି ବ୍ୟାପାର ଠାରୁ ପୃଥକ୍ ବ୍ୟାପକ ସର୍ବଉପାଧିବିନିର୍ମୁକ୍ତ ସଚ୍ଚିଦାନନ୍ଦଘନ ପଦାର୍ଥ ଅଟେ। ଜୀବ-ଭାବରେ ବିଦ୍ୟମାନ ଆତ୍ମା ମଧ୍ୟ ସ୍ଵୀୟ ଅଜ୍ଞାନକର୍ତୃକ ଉପାଧି ଠାରୁ ପୃଥକ୍ ବ୍ରହ୍ମଙ୍କ ଠାରୁ ଅଭିନ୍ନ ଅଟେ। ଏହି ପରି ବିଚାର ତତ୍ ଓ ତ୍ୱମ୍ ପଦାର୍ଥର ଐକ୍ୟ ଅଟେ। ଏହା ଅସି ପଦାର୍ଥ ଅଟେ। ଏହି ଭଳି "ତତ୍ତ୍ୱମସି" ମହା ବାକ୍ୟର ତାତ୍ପର୍ଯ୍ୟର ବିଚାର ହିଁ ବ୍ରହ୍ମଜ୍ଞାନର ସମୁଦୟ ଦ୍ୱାରା ଭବରୋଗର ଉଚ୍ଛେଦ କରିଥାଏ।