କେ ହେତବୋ ବ୍ରହ୍ମଗତେସ୍ତୁ ସନ୍ତି
ସତ୍ସଙ୍ଗତିର୍ଦାନ-ବିଚାର-ତୋଷାଃ।
କେ ସନ୍ତି ସନ୍ତୋ ଖିଲ ବୀତରାଗା
ଅପାସ୍ତମୋହାଃ ଶିବତତ୍ତ୍ୱନିଷ୍ଠାଃ ।।
ଶିଷ୍ୟ- ବ୍ରହ୍ମଜ୍ଞାନର ହେତୁ ଗୁଡିକ କଣ?
ଗୁରୁ-ସତ୍ସଙ୍ଗତି, ଦାନ ଓ ବିଚାର ତଥା ସନ୍ତୋଷ ହିଁ ବ୍ରହ୍ମଜ୍ଞାନର ପ୍ରଧାନ ହେତୁ।
ଶିଷ୍ୟ-କେଉଁ ମାନଙ୍କୁ ସନ୍ତ (ସନ୍ଥ) କୁହାଯାଏ ?
ଗୁରୁ- ନିଶ୍ଚିତ ଭାବରେ ଯେଉଁମାନେ ଅତିଶୟ-ବୈରାଗ୍ୟ-ସମ୍ପନ୍ନ, ସମସ୍ତ ନୈସର୍ଗିକ ମୋହକୁ ଦୂର କରି ପାରିଛନ୍ତ ଓ ନିତ୍ୟ ପରଂବ୍ରହ୍ମତତ୍ତ୍ୱରେ ପ୍ରତିଷ୍ଠିତ ଅଟନ୍ତି ସେମାନଙ୍କୁ ସନ୍ତ (ସନ୍ଥ) କୁହାଯାଏ।
ଚିନ୍ତନ:
ବ୍ରହ୍ମ ସର୍ବତ୍ର ସର୍ବଭାବରେ ପରିପୂର୍ଣ୍ଣ । ଜୀବ ନିଜେ ବାସ୍ତବରେ ବ୍ରହ୍ମସ୍ୱରୂପ। ବ୍ରହ୍ମ ମଧ୍ୟ ଚିନ୍ମାତ୍ରତତ୍ତ୍ବ ହୋଇ ଥିବାରୁ ଜ୍ଞାନ ସ୍ୱରୂପ ଅଟନ୍ତି। ସେ କଦାପି ଅଜ୍ଞାନ ପରାହତ ନୁହନ୍ତି। ତଥାପି ବ୍ରହ୍ମଜ୍ଞାନ ସମସ୍ତଙ୍କୁ ହୁଏ ନାହିଁ କାହିଁକି? କୋଟିକଳ୍ପରେ କେବଳ ଅଳ୍ପ କେତେକ ଦିବ୍ୟତ୍ମା ମାନେ ହିଁ ବ୍ରହ୍ମଜ୍ଞାନ ଲାଭ କରିପାରନ୍ତି କାହିଁକି? ବ୍ରହ୍ମଜ୍ଞାନର ସୁନିଶ୍ଚିତ ହେତୁ ଗୁଡିକ କଣ?
ବସ୍ତୁତଃ ଅନାଦି-ଅବିଦ୍ୟାର ବଶବର୍ତ୍ତୀ ଜୀବ ନିଜ ପରାମାର୍ଥିକ ସ୍ୱରୂପକୁ ଭୁଲି ଯାଇ ବିଭିନ୍ନ ଯୋନିରେ ଭ୍ରମଣ କରେ। ବିଭିନ୍ନ ଯୋନିଗୁଡିକର ପ୍ରିୟାପ୍ରିୟ ଭୋଗ ଦ୍ୱାରା ବୁଦ୍ଧିର ପାରଦର୍ଶିତା ଆହୁରି କୁଣ୍ଠିତ ହୋଇ ଯାଇଥାଏ। ସ୍ଥୂଳଭୋଗ-ଲିପ୍ତ ଚିତ୍ତର ସୂକ୍ଷ୍ମଗ୍ରାହକତା ଲୁପ୍ତ ପ୍ରାୟ ହୋଇ ଯାଇ ଥାଏ। ଯେପରି ସୂକ୍ଷ୍ମ ଅଣୁ ଓ ପରମାଣୁକୁ ସ୍ଵସ୍ଥ ଚକ୍ଷୁର ସ୍ଥୂଳଗ୍ରାହୀ ଲେନ୍ସରେ ଦେଖି ହୁଏ ନାହିଁ କିନ୍ତୁ ସୂକ୍ଷ୍ମଗ୍ରାହୀ ଲେନ୍ସରେ ଦେଖି ହୁଏ। ସାଧାରଣ ମାଇକ୍ରୋସ୍କୋପରେ ବ୍ୟବହୃତ ଅପ୍ଟିକାଲ ଲେନ୍ସ ଦୃଶ୍ୟମାନ ଆଲୋକ (Visible Light) ଉପରେ ନିର୍ଭର କରେ। ପରମାଣୁର ଆକାର (~0.1 ନାନୋମିଟର) ଦୃଶ୍ୟମାନ ଆଲୋକର ତରଙ୍ଗଦୈର୍ଘ୍ୟ (~400-700 ନାନୋମିଟର) ତୁଳନାରେ ଅତ୍ୟନ୍ତ ଛୋଟ। ଏହା ହେତୁ ଅପ୍ଟିକାଲ ଲେନ୍ସ ଦ୍ୱାରା ପରମାଣୁକୁ ସିଧାସଳଖ ଦେଖିବା ଅସମ୍ଭବ, କାରଣ ଏହାର ରେଜୋଲ୍ୟୁସନ ସୀମା (Diffraction Limit) ପରମାଣୁର ଆକାରଠାରୁ ବହୁତ ବଡ଼। ଟ୍ରାନ୍ସମିସନ ଇଲେକ୍ଟ୍ରୋନ ମାଇକ୍ରୋସ୍କୋପ (TEM) ଓ ସ୍କାନିଂ ଟନେଲିଂ ମାଇକ୍ରୋସ୍କୋପ (STM) ଭଳି ଉପକରଣ ପରମାଣୁକୁ "ଦେଖିବା" ପାଇଁ ବ୍ୟବହୃତ ହୁଏ।ଏହି ଉପକରଣଗୁଡ଼ିକ ଆଲୋକ ବଦଳରେ ଇଲେକ୍ଟ୍ରୋନ ବ୍ୟବହାର କରେ, ଯାହାର ତରଙ୍ଗଦୈର୍ଘ୍ୟ ଅତ୍ୟନ୍ତ ଛୋଟ (De Broglie Wavelength)। ଏହା ପରମାଣୁ ସ୍ତରରକୁ ରେଜୋଲ୍ୟୁସନ କରିବା ସମ୍ଭବ କରେ। STM ବିଶେଷ ଭାବେ ପରମାଣୁର ଉପରିଭାଗର ଚିତ୍ର ସୃଷ୍ଟି କରେ, ଯାହା ପରମାଣୁକୁ "ଦୃଶ୍ୟମାନ" କରାଏ। ସେହି ପରି ବ୍ରହ୍ମତତ୍ତ୍ୱ ମଧ୍ୟ "ଦୃଶ୍ୟତେ ତ୍ବଗ୍ରୟା ବୁଦ୍ଧ୍ୟା ସୂକ୍ଷ୍ମୟା ସୂକ୍ଷ୍ମଦର୍ଶୀଭିଃ" ଅର୍ଥାତ୍ ବ୍ରହ୍ମସାକ୍ଷାତ୍କାର ପାଇଁ ସୂଚ୍ୟଗ୍ରସୂକ୍ଷ୍ମବୁଦ୍ଧି ଦ୍ୱାରା ସୂକ୍ଷ୍ମଦର୍ଶୀ ମାନେ ବ୍ରହ୍ମତତ୍ତ୍ୱର ସାକ୍ଷାତ୍କାର କରିଥାନ୍ତି। ଅନେକ ଭୌତିକ ତତ୍ତ୍ୱକୁ ଦେଖିବା ପାଇଁ ଅଦ୍ୟାବଧି ଲେନ୍ସ ଉତ୍ପନ୍ନ ହିଁ ହୋଇ ପାରି ନାହିଁ କିନ୍ତୁ ସେ ସବୁ physics ରେ ଜ୍ଞେୟ ପଦାର୍ଥ ଭାବରେ ଗୃହୀତ ଅଟନ୍ତି। ସେସବୁର ଗ୍ରହଣ ବିନା physics ର ସଂଶୟ ଗୁଡିକର ସମାଧାନ ସମ୍ଭବ ନୁହେଁ ସେହି ପରି ଆଧାର ଆଧେୟ ଭାବରେ ପରଂବ୍ରହ୍ମତତ୍ତ୍ୱର ସ୍ୱୀକୃତି ବିନା ପ୍ରପଞ୍ଚର ଅସ୍ତିତ୍ବକୁ ମଧ୍ୟ ପ୍ରମାଣିତ କରି ହେବ ନାହିଁ। ଏହି ଭଳି ପରୋକ୍ଷ ଭାବରେ ବି ଯଦି କେହି ବ୍ରହ୍ମତତ୍ତ୍ୱର ଅନୁସନ୍ଧାନ କରେ ସେ ଉତ୍ତମକର୍ମ ଓ ଉପାସନା ବଳରେ ସୂକ୍ଷ୍ମଦୃଷ୍ଟି ଲାଭ କରି ଅପରୋକ୍ଷ ସାକ୍ଷାତ୍କାର ଲାଭ କରି ପାରେ। କିନ୍ତୁ ବ୍ରହ୍ମଜ୍ଞାନର ପ୍ରଥମ ସମ୍ପାତ ସତ୍ସଙ୍ଗତିରୁ ଉତ୍ପନ୍ନ ହୁଏ।
ଏହି ସତ୍ସଙ୍ଗତି ପ୍ରଚଳିତ ତଥାକଥିତ ସତ୍ସଙ୍ଗ ଠାରୁ ଭିନ୍ନ ଅଟେ। ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ ଗୁଡିକ ଦ୍ୱାରା କେବଳ ଲୋକର ବ୍ରେନ୍-ୱାସ୍ କରି ଚତୁର ଲୋକେ ସେମାନଙ୍କୁ ନିଜର ସ୍ୱାର୍ଥସାଧନରେ ଲଗାନ୍ତି। ଅନେକ ସମୟରେ ଏହି ସତ୍ସଙ୍ଗ ଅନ୍ତର୍ଗତ କୁକର୍ମ ଓ ଶୋଷଣର ପର୍ଦାଫାସ୍ ମଧ୍ୟ ହୋଇ ଥାଏ। ଏଠାରେ ସତ୍ସଙ୍ଗର ଅର୍ଥ ଗୁରୂପସତ୍ତି ଅଟେ। ଶ୍ରୋତ୍ରିୟ-ବ୍ରହ୍ମନିଷ୍ଠ-ଗୁରୁଙ୍କ ସମ୍ବନ୍ଧ ହିଁ ସତ୍ସଙ୍ଗତି ଅଟେ। ପର୍ଶୁରାମ କିପରି ସମ୍ବର୍ତ୍ତଙ୍କୁ ଭେଟିବା ପରେ ତାଙ୍କ ପରାମର୍ଶ କ୍ରମେ ଦତ୍ତାତ୍ରେୟଙ୍କୁ ଭେଟି ବ୍ରହ୍ମଜ୍ଞାନ ଲାଭ କଲେ ଏହା "ତ୍ରିପୁରାରହସ୍ୟମ୍" ଗ୍ରନ୍ଥରୁ ଜଣା ଯାଏ। ଜନକ ଯାଜ୍ଞବଳ୍କ୍ୟଙ୍କ ସଙ୍ଗତିରୁ ଓ ଶ୍ରୀରାମ ବଶିଷ୍ଠଙ୍କ ସଙ୍ଗତିରୁ ବ୍ରହ୍ମତତ୍ତ୍ୱଜ୍ଞାନ ଲାଭ କରିଥିବା କଥା ଶାସ୍ତ୍ରରେ ଦୃଶ୍ୟମାନ। କିନ୍ତୁ ଅଧୁନାତନ କୋଳାହଳପୂର୍ଣ୍ଣ ସତ୍ସଙ୍ଗ, ପ୍ରବଚନ, ପାଲା ଓ ସମାଗମ ଇତ୍ୟାଦି ପାଇଁ ବେଦାନ୍ତରେ ନିଷେଧ ରହିଛି। ନାନୁଧ୍ୟାୟେଦ୍ ବହୂନ୍ ଶବ୍ଦାନ୍, ବାଚୋ ହ ବିଗଲାପନମେତତ୍। ଅର୍ଥାତ୍ ଅନେକ ଶବ୍ଦର ଅନୁଚିନ୍ତନ କର ନାହିଁ। ତାହା ବାଣୀର ବିଗଲାପନ= ଅସ୍ତବ୍ୟସ୍ତତା ଅଟେ। ନ ହି ନରେଣାବରେଣ ପ୍ରୋକ୍ତ ଏଷ ଆତ୍ମା ସୁବିଜ୍ଞେୟଃ। ଅବର ( ନୀଚ ) ଲୋକ ଦ୍ୱାରା ପ୍ରକୃଷ୍ଟ ଭାବରେ କଥିତ ହେଲେ ଆତ୍ମା ଉତ୍ତମ ଭାବରେ ଜ୍ଞେୟ ହୁଏ ନାହିଁ, ଆତ୍ମଜ୍ଞାନ ହିଁ ହୁଏ ନାହିଁ। ବାବାଜୀ, ପ୍ରବଚକ, ଅଧ୍ୟାପକ, ବେଦନ୍ତୀ ମିଶନାରୀ , ମଠାଧୀଶ, ଭାଟ ଓ ତଥାକଥିତ ସତ୍ସଙ୍ଗୀ ମାନେ ହିଁ ଏଠାରେ ଅବର-ଶବ୍ଦିତ ଅଟନ୍ତି।
ଜୀବର ବ୍ୟଷ୍ଟି ଭାବର ନିମଜ୍ଜନ ଓ ଈଶ୍ୱରୀୟ ସମଷ୍ଟିସ୍ୱଭାବର ଉନ୍ମଜ୍ଜନ ପାଇଁ ଏକ ସରଳତର ମାର୍ଗ 'ଦାନ' ଅଟେ। ଦାନ ଦ୍ୱାରା ନିଜ-ପର-ଭାବର ସଙ୍କୋଚ ଦୂର ହୋଇ ବ୍ୟକ୍ତିର ଦୃଦୟ ବିଶାଳ ହେବାକୁ ଲାଗେ। ହୃଦୟର ବିଶାଳତା ହିଁ ଈଶ୍ୱରଙ୍କୁ ଆତ୍ମସାତ୍ କରିବାରେ ସମର୍ଥ ହୁଏ। ବ୍ରହ୍ମାଙ୍କ ନିକଟକୁ ଉପଦେଶ ପାଇଁ ଅସୁର, ଦେବତା ଓ ମନୁଷ୍ୟ ମାନେ ଏକସହିତ ଗଲେ। ବ୍ରହ୍ମା ସେମାନଙ୍କୁ 'ଦ' ଅକ୍ଷର ମାତ୍ରର ଉପଦେଶ କଲେ। ଅସୁର ମାନେ କ୍ରୂର ଥିଲେ ସମାନେ ଜାଣିଲେ ଯେ ଆମକୁ ଦୟାବାନ୍ ଦେବା ପାଇଁ ବିଧାତା 'ଦ' ଅକ୍ଷରରେ ଉପଦେଶ କଲେ। ଦେବତା ମାନେ ଭୋଗୀ ଓ ବିଳାଶୀ ଥିଲେ ସେମାନେ ଗ୍ରହଣ କଲେ ଯେ ପରମେଷ୍ଠୀ ଆମକୁ "ଇନ୍ଦ୍ରିୟ-ନିଗ୍ରହ"= 'ଦମ' ର ଉପଦେଶ କଲେ। ମନୁଷ୍ୟ ସ୍ୱଭାବରେ କୃପଣ ଥିଲେ ତେଣୁ ସେମାନେ 'ଦ' ର ଅର୍ଥକୁ 'ଦାନ' ଅର୍ଥରେ ଗ୍ରହଣ କଲେ। ତେଣୁ ମନୁଷ୍ୟର ବିଶେଷ ଧର୍ମ ଦାନ ଅଟେ। ଦାନ ହିଁ ପଞ୍ଚଯଜ୍ଞର ସ୍ୱରୂପ। ଦେବତାଙ୍କୁ ହବ୍ୟ, ପିତରଙ୍କୁ କବ୍ୟ, ଅତିଥିଙ୍କୁ ଆଶ୍ରୟ, ଭୋଜ୍ୟ ଓ ବସ୍ତ୍ର ଆଦି, ଭୂତଗଣଙ୍କୁ କାଉ ଓ କୁକୁର ଇତ୍ୟାଦିଙ୍କୁ ବଳି= ସେମାନଙ୍କ ଖାଦ୍ୟ, ସ୍ୱାଧ୍ୟାୟ ଅଧ୍ୟୟନ ରୂପକ ବ୍ରହ୍ମଯଜ୍ଞ ଦ୍ବାରା ଋଷିଙ୍କୁ ତୃପ୍ତ କରାଯାଏ, ଅଧ୍ୟୟନ ଓ ଶାସ୍ତ୍ର ଚିନ୍ତନ କାଳ-ଦାନ ଅଟେ। ଯେ କାଳର ଦାନ କରେ ନାହିଁ ସେ ନିଜେ କାଳ ଦ୍ୱାରା କବଳିତ ହୋଇ ଦୁଃଖରେ ବୁଡି ରହେ ରହେ।
ତତ୍=ଈଶ୍ୱର, ତ୍ୱମ୍=ଜୀବ ଓ ଅସି= ଉଭୟଙ୍କ ଐକ୍ୟର ଶ୍ରୁତି-ସ୍ମୃତି ଓ ଗୁରୁବାକ୍ୟ ଦ୍ୱାରା ନିରନ୍ତର ମନନ ହେତୁ ବ୍ରହ୍ମଜ୍ଞାନ ଉତ୍ପନ୍ନ ହୁଏ। ଏହା ମଧ୍ୟ ପ୍ରକୃଷ୍ଟ ସାଧନ ଅଟେ। ଯେଉଁ ମାନେ କେବଳ ଶ୍ରୁତମୁଗ୍ଧ ଅଟନ୍ତି, ନିଜେ ମନନ କରନ୍ତି ନାହିଁ ତେଣୁ ତାତ୍ପର୍ଯ୍ୟଜ୍ଞାନ ଲାଭ କରି ନପାରି ଶବ୍ଦଜାଲରେ ନିପତିତ ହୁଅନ୍ତି। କୌଣସି ଏକ ଶୃତବାକ୍ୟରେ ସତ୍ୟତାର ଅବଧାରଣା ନେଇ ବସି ଯାଆନ୍ତି। ସେମାନେ ତତ୍ତ୍ୱର ଅନୁଭବ କରି ପାରିବେ ନାହିଁ। ମନନ ହିଁ ମନର ଜଡତାର ଉଛେଦକ ଅଟେ।
ସନ୍ତୋଷ ହିଁ ପରମ ସମ୍ପତ୍ତି ଅଟେ। ସନ୍ତୋଷ ବିନା ନିବୃତ୍ତି ସମ୍ଭବ ନୁହେଁ। ନ ଜାତୁ କାମଃ କାମାନା-
ମୁପଭୋଗେନ ଶାମ୍ୟତି।
ହବିଷା କୃଷ୍ଣବର୍ତ୍ମେନ
ଭୂୟ ଏବାଭିବର୍ଦ୍ଧତେ।।
ଅର୍ଥାତ୍ ବିଷୟକାମନା ବିଷୟ ମାନଙ୍କ ଉପଭୋଗ ଦ୍ୱାରା ଶାନ୍ତ ହୁଏ ନାହିଁ। ଯେପରି ଘିଅ ଢାଳିବା ଦ୍ୱାରା ଅଗ୍ନିର ଶମନ ସମ୍ଭବ ନୁହେଁ, ବରଂ ଅଗ୍ନି ବଢି ବଢି ଚାଲେ, ସେହିପରି। ବିଷୟ ଭୋଗର ସୀମା ଜାଣି ସନ୍ତୋଷ ଦ୍ୱାରା ହିଁ ମନୁଷ୍ୟ ଆତ୍ମଜ୍ଞାନର ପଥିକ ହୋଇ ପାରେ।
ସନ୍ତ ବା ସନ୍ଥ କେଉଁମାନେ, ଯେଉଁ ମାନଙ୍କର ସଙ୍ଗତି ସତ୍ସଙ୍ଗତି ଅଟେ? ଜୀବିକା ଅର୍ଜନ ପାଇଁ ବିଚିତ୍ର ବେଶଭୁଷା ଓ ବିଭିନ୍ନ ଅସ୍ୱାଭାବିକ କଥା କହି ଅନେକ ଲୋକ ବୁଲୁଛନ୍ତି। କ୍ଵଚିତ୍ ଏମାନେ ସଂଘବଦ୍ଧ ମଧ୍ୟ। ଏମାନଙ୍କୁ ସନ୍ଥ କୁହାଯାଉଛି। କ'ଣ ଏମାନେ ହିଁ ସନ୍ଥ?
ସନ୍ଥର ଲକ୍ଷଣ ଜାଣିବାକୁ ହେବ। ଅନ୍ୟଥା ଅଭିନୟକାରୀଙ୍କ ହାତରୁ ନିସ୍ତାର ନାହିଁ। ଯେଉଁମାନେ ବିଷୟରାଗରହିତ ବ୍ୟକ୍ତି, ବିଷୟଲାଭ ପାଇଁ କୌଣସି ପ୍ରକାରର ଆରମ୍ଭ ସହିତ ଜଡିତ ନୁହନ୍ତି, ଯେଉଁମାନଙ୍କର ସମସ୍ତ ମୋହ ଦୁରୀଭୂତ ହୋଇ ଯାଇଛି, ଯେଉଁମାନେ କେବଳ ଶିବତତ୍ତ୍ୱ ବା ପରଂବ୍ରହ୍ମ ତତ୍ତ୍ୱରେ କାୟମନୋବାକ୍ୟରେ ନିଷ୍ଠାବାନ ଅଟନ୍ତି ସେମାନେ ହିଁ ସନ୍ଥ-ଶବ୍ଦବାଚ୍ୟ। ଅନ୍ୟଥା ବଳିଆ ବାବା ଭଳି ହୁକୁମ, ଯାତ୍ରାପାର୍ଟି, NGO ମାଧ୍ୟମରେ ପରିବେଶ ସଚେତନତା, ସ୍ୱାସ୍ଥ୍ୟ ସେବା , ସଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଦ୍ୱାରା ସରକାରୀ ଟଙ୍କା ପାଇଁ କାଗଜ ଚାଷ ସହିତ ଭକ୍ତଙ୍କ ଠାରୁ ଚାନ୍ଦାଧନ୍ଦା କରି ବିଷ୍ୟୟଭୋଗରେ ଲିପ୍ତ ବ୍ୟକ୍ତି ମାନେ ଶାସ୍ତ୍ରୀୟ ସନ୍ଥ ଶବ୍ଦର ଅଭିଧେୟ ନୁହନ୍ତି। ଡ୍ରାମାର ରାଜା-ରାଣୀ ଭଳି ଏମାନେ ସାଧୁତା ଓ ସନ୍ତତ୍ବର ଅଭିନେତା ହୋଇ ପାରନ୍ତି।