ସନ୍ନ୍ୟାସକୁ ହିଁ ମୋକ୍ଷ ହେତୁ ବ୍ରହ୍ମଜ୍ଞାନର ଅଙ୍ଗ ଭାବରେ ଶାସ୍ତ୍ରରେ ମହତ୍ତ୍ୱ ପ୍ରଦାନ କରାଯାଇଛି। କାରଣ ଶାସ୍ତ୍ରୀୟ ସକାମ କର୍ମମାର୍ଗ ମଧ୍ୟ ମୋକ୍ଷର ସମ୍ପାଦନ କରିପାରେ ନାହିଁ। ଶାସ୍ତ୍ରୀୟ ନିଷ୍କାମ କର୍ମ ବିବେକ ଓ ବୈରାଗ୍ୟର ଉତ୍ପାଦନ ଦ୍ୱାରା ସନ୍ନ୍ୟାସର ହେତୁ ହୋଇ ବ୍ରହ୍ମଜ୍ଞାନର ସହାୟକ ହୋଇ ଥାଏ। ସେଥିପାଇଁ ମୋକ୍ଷଶାସ୍ତ୍ରରେ ନିଷ୍କାମ କର୍ମ ଗୁଡିକର ପ୍ରସଂଶା କରାଯାଇଛି। କିନ୍ତୁ ପ୍ରମାଦ ଓ ଆଳସ୍ୟ ହେତୁ ବିହିତ କର୍ମର ତ୍ୟାଗ ଜଘନ୍ୟ ଅଟେ।
ସାମାନ୍ୟ ବିଷୟୀ ବ୍ୟକ୍ତି ବିଷୟର ପ୍ରଗାଢ centripetal force ଦ୍ୱାରା ପ୍ରଭାବିତ ଥାଇ ଜଡଟା ଓ ଅଧୋଗତି ଲାଭ କରି ଥାଏ। ଶାସ୍ତ୍ରୀୟ ସକାମ କର୍ମୀ କିଛି ମାତ୍ରାରେ ଜଡତାରୁ ଅଳ୍ପକାଳ ପାଇଁ ମୁକ୍ତ ହେଲେ ମଧ୍ୟ ପୁଣ୍ୟକ୍ଷୟ ହେବାରେ ସେଥିରେ ପୁନଃ ପତିତ ହୁଏ। ଅଶାସ୍ତ୍ରୀୟ ସ୍ୱଭାବିକୀ ପ୍ରବୃତ୍ତି ଘନ ଅଜ୍ଞାନ, ଅବିବେକ, ଓ ଭୋଗଲିପ୍ସା ହେତୁ ଅତ୍ୟନ୍ତ ଜଘନ୍ୟ ଅଟେ। ସେଥିରେ ଜଡାତାର centripetal force ତାକୁ ପ୍ରବଳ ଭାବରେ ବାନ୍ଧି ରଖେ। ନିଷ୍କାମ କର୍ମ ଦ୍ୱାରା ଚିତ୍ତମଳ କ୍ଷୀଣ ହେବା ପରେ ବିବେକ ଓ ବୈରାଗ୍ୟ ଘଟିତ ହୁଏ। ତାହା ହିଁ ସନ୍ନ୍ୟାସର ସମ୍ପାଦକ ଅଟେ। ପ୍ରବ୍ରଜ୍ୟା ଦ୍ୱାରା ଗୃହ୍ୟ କର୍ମର ଓ ଲୋକ ହେତୁକ ଅନ୍ୟାନ୍ୟ ପ୍ରବୃତ୍ତିର ଅଭାବ ଓ ଅନାସକ୍ତି ହେତୁ ବିଷୟ ନିବନ୍ଧନର ଶିଥିଲତା ବିଷ୍ୟଗତ centripetal force କୁ ନ୍ୟୂନ କରି ବ୍ରହ୍ମଉପାସନା ଜନ୍ୟ centrifugal force କୁ ବଳବତ୍ତର କରି ଥାଏ। ଫଳତଃ ବ୍ରହ୍ମଜ୍ଞାନ ସଫଳ ହେବା ଦ୍ୱାରା ସାଧକ ମୋକ୍ଷର ଅନୁଭବ କରି ଥାଏ।
ସନ୍ନ୍ୟାସ ଆଶ୍ରମର ବାହ୍ୟ ଅବଲମ୍ବନ ଯୁକ୍ତ ମଠାଧୀଶ ମାନେ ସାମାନ୍ୟ ଗୃହୀଙ୍କ ଠାରୁ ମଧ୍ୟ ଅଧିକ ବିଷୟୀ ଅଟନ୍ତି ତେଣୁ ସେମାନେ ବିଷୟର centripetal force ର କବଳରୁ ମୁକ୍ତ ହୋଇ ପାରନ୍ତି ନାହିଁ। ଅତଃ ଶାସ୍ତ୍ରରେ ଏମାନଙ୍କୁ ଆରୂଢ଼ ପତିତ ମଧ୍ୟ କୁହାଯାଏ।
ବଦ୍ଧୋ ହି କୋ ୟୋ ବିଷୟାନୁରାଗୀ।
କା ବା ବିମୁକ୍ତିର୍ବିଷୟେ ବିରକ୍ତିଃ।।