ବୀଜତ୍ବ

ପ୍ରଣବେ ତତ୍ତ୍ୱ-ପ୍ରକାଶ,
ବ୍ୟାହୃତିରେ ବିଶ୍ୱ-ବାସ।
ମନ୍ତ୍ରର ଏ ମୂଳତତ୍ତ୍ୱ,
ଶବ୍ଦବ୍ରହ୍ମର ମହତ୍ଵ।।୧

ନମଃ ଆତ୍ମ ସମର୍ପଣ
ଜୀବେ ଶିବତ୍ଵ-କଳ୍ପନ।
ଚତୁରାଶ୍ରମେ ଏ ସାଧ୍ୟ
ଅଧିକାର-ଅବିଚ୍ଛେଦ୍ୟ।।୨

ସ୍ୱାହାକାରେ ଦେବାର୍ପଣ
ସର୍ବକର୍ମ-ଶିବାର୍ପଣ।
ଅନ୍ୟଥା ହିଁ ସ୍ତ୍ୟେନଭାବ
ଧର୍ମେ କାର୍ପଣ୍ୟ-ପ୍ରଭାବ।।୩

ସ୍ୱଧାକାରରେ ତର୍ପଣ;
ପିତୃତୃପ୍ତି-ବିଭାବନ।
ପୂର୍ବେ ଉତ୍ତର-ସଂଯୁତି
ଯେ ଜାଣେ ମନ୍ତ୍ରଜ-ମତି।।୪

ହୁଙ୍କାରେ ଦ୍ରଷ୍ଟୄତ୍ବ-ଭାବ
ଭୋଗ୍ୟ-ସଂଯୋଗ-ନିର୍ଭାବ।
ଫଡନ୍ତେ ଏକ-ଚିତ୍ତତା
ଧୀବୃତ୍ତି ଧ୍ୟେୟ-ନିରତା।।୫

ବଷଟ୍-କାରେ ବଶୀକୃତି,
ତତ୍ତ୍ୱରେ ଚିତ୍ତସନ୍ତତି।
ଗୁରୁଚରଣାଗ୍ରମତି
ଲଭେ ନିର୍ବାଣ-ସମ୍ପତ୍ତି।।୬

ସଙ୍କେତରେ ଅବଧୂତ
କହେ ବୀଜର ମହତ୍ଵ
ବୀଜେ ଅପ୍ରଧାନ-ଭାବ
ମାୟାକାୟାର ସ୍ଵଭାବ।।୭