ଚତୁଷ୍ପାଦ ଆତ୍ମାର ପ୍ରଥମ ପାଦ 'ବିଶ୍ବ' ବା "ଵୈଶ୍ଵାନର" ନାମକ ଆତ୍ମତତ୍ତ୍ୱ ଅଟେ। ଏହାର ଅଭେଦ ଅଧିଦୈବରେ ବିରାଟ ସହିତ ବେଦାନ୍ତ-ପ୍ରତିପାଦ୍ୟ ଅଟେ। ଏହାର ଦ୍ଵିତୀୟ ପାଦ ଅଧ୍ୟାତ୍ମ ଭୂମିରେ ତୈଜସ୍ ନାମରେ ନାମିତ ଅଟେ। ଏହାର ଅଭେଦ ଅଧିଦୈଵରେ ହୀରଣ୍ୟଗର୍ଭ ସହିତ ବେଦାନ୍ତ-ପ୍ରତିପାଦ୍ୟ ଅଟେ। ପଦ୍ୟତେ ଗମ୍ୟତେ ଇତି ପାଦଃ ଉପଲବ୍ଧିସ୍ଥାନମ୍। ଆତ୍ମତତ୍ତ୍ୱର ଦ୍ଵିତୀୟ ଉପଲବ୍ଧି ସ୍ଥାନ ହିଁ ଏହି ତୈଜସ ଅଟେ । ଏହି ଭୂମିର ପ୍ରକାର କଣ? ଏହାର ସ୍ଥାନ ସ୍ୱପ୍ନ ଅଟେ। ଜାଗ୍ରତ ଅବସ୍ଥାରେ ନାନା ସାଧନଯୁକ୍ତା ପ୍ରଜ୍ଞା ମନ ଦ୍ୱାରା ସ୍ପନ୍ଦିତ ହେଉଥିଲେ ମଧ୍ୟ ବାହ୍ୟ ବିଷୟ ସହିତ ସମ୍ବଦ୍ଧ ଭାବରେ ପ୍ରତୀତ ହୋଇ ଥାଏ। ଏବଂ ସେହି ବାହ୍ୟ ଅନୁଭବ ଗୁଡିକର ସଂସ୍କାର ସବୁକୁ ମନରେ ପ୍ରକ୍ଷିପ୍ତ କରିଥାଏ। ସେହି ସଂସ୍କାର ଦ୍ୱାରା ଯୁକ୍ତ ମନ ଚିତ୍ରିତ ପଟ୍ଟ ଭଳି ହୋଇଯାଏ। ସେହି ମନ କୌଣସି ବାହ୍ୟ ସାଧନର ଅପେକ୍ଷା ବିନା ଅବିଦ୍ୟା, କାମ ଓ କର୍ମ ଦ୍ୱାରା ପ୍ରେରିତ ହୋଇ ଜାଗ୍ରତ ଭଳି ଉଦ୍ଭାସିତ ହେବାକୁ ଲାଗେ। ସର୍ବ ସାଧନଯୁକ୍ତ ଏହି ଲୋକର ବାସନାକୁ ନେଇ ଇନ୍ଦ୍ରିୟ ମାନଙ୍କ ଠାରୁ ଉତ୍କୃଷ୍ଟ ସ୍ଵଭାବସମ୍ପନ୍ନ ମନ ମଧ୍ୟରେ ସମସ୍ତ ଇନ୍ଦ୍ରିୟ ଏକୀଭୂତ ହୋଇ ଯାଆନ୍ତି। ସିଧା ମନ ହିଁ ସଂସ୍କାରଗୁଡିକୁ ପୁନଃ ସଙ୍ଗଠିତ କରି ବାହ୍ୟ ବସ୍ତୁ ଭାବରେ ଉପଭୋଗ କରିବାକୁ ଲାଗେ। ବାହ୍ୟ ଇନ୍ଦ୍ରିୟଗୁଡିକ ଅପେକ୍ଷା ମନ ଅନ୍ତଃସ୍ଥିତ ଅଟେ। ସ୍ୱକଳ୍ପିତ ବିଷୟର ଜ୍ଞାତା ଭାବରେ ଉପଭୋକ୍ତା ମଧ୍ୟ ଅଟେ। ତେଣୁ ତାହାକୁ ଅନ୍ତଃପ୍ରଜ୍ଞ ବୋଲି କୁହାଯାଏ। ବାହ୍ୟ ବିଷୟଶୂନ୍ୟ ପ୍ରକାଶସ୍ବରୂପ ପ୍ରଜ୍ଞାରେ ବିଷୟୀ ( ଅନୁଭବ କର୍ତ୍ତା) ହୋଇ ଥିବାରୁ ଏହାକୁ ତୈଜସ କୁହାଯାଏ। ଏହାର ମଧ୍ୟ ଜାଗ୍ରତ ଅବସ୍ଥାର "ବିଶ୍ୱ" ଭଳି ସାତ ଅଙ୍ଗ ଓ ଏକୋଇଶ ମୁଖ ବିଦ୍ୟମାନ। ଦ୍ୟୁଲୋକ ଏହାର ଶିର ଅଟେ। ଅତ୍ୟନ୍ତ ତେଜସ୍ୱୀ ସୂର୍ଯ୍ୟ ଏହାର ନେତ୍ର ଅଟେ। ବିଶ୍ଵରୂପ ବାୟୁ ଏହାର ପ୍ରାଣ ଅଟେ। ଆକାଶ ଏହାର ଦେହ ଅଟେ। ଅନ୍ନର କାରଣ ଜଳ ହିଁ ଏହାର ମୂତ୍ରସ୍ଥାନ ଅଟେ। ପୃଥିବୀ ଏହାର ପାଦ ଅଟେ। ଅଗ୍ନିହୋତ୍ର କଳ୍ପନାର ଶେଷରୂପରେ ଆହବନୀୟ ଅଗ୍ନି ଏହାର ମୁଖ ଅଟେ। ଏହା ଏହି ତେଜସ୍-ର ସପ୍ତାଙ୍ଗ ଅଟେ। ଏହାର ୧୯ ମୁଖ ଗୁଡିକ କଣ? ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ, ପ୍ରାଣ ଆଦି ପଞ୍ଚ ବାୟୁ, ତଥା ମନ, ବୁଦ୍ଧି, ଅହଙ୍କାର ଓ ଚିତ୍ତ ମିଶି ୧୯ ସଂଖ୍ୟାର ପୂର୍ତ୍ତି ହୋଇ ଥାଏ।