ମଠଗୁଡ଼ିକର ନିଷିଦ୍ଧ ଅନ୍ନ

ମଠେଷ୍ବଭୋଜ୍ୟମନ୍ନଂ ସ୍ୟାଦ୍ ଭୁକ୍ତ୍ବା ଚାନ୍ଦ୍ରାୟଣଞ୍ଚରେତ୍।
ଶ୍ପୄଷ୍ଟ୍ବା ମଠପତିଂ ଚୈବ ସବାସା ଜଳ ମାବିଶେତ୍।।

"ମଠର ଅନ୍ନ ସନ୍ନ୍ୟାସୀଙ୍କ ପାଇଁ ନିଷିଦ୍ଧ। ଯଦି କେହି ସନ୍ନ୍ୟାସୀ ତାହା ଖାଇଥା'ନ୍ତି, ତେବେ ଚାନ୍ଦ୍ରାୟଣ ଦ୍ୱାରା ପ୍ରାୟଶ୍ଚିତ୍ତ କରିବାକୁ ହେବ। ଏପରିକି ମଠାଧୀଶଙ୍କୁ ସ୍ପର୍ଶ କଲେ ମଧ୍ୟ ସନ୍ନ୍ୟାସୀ ସମ୍ପୂର୍ଣ୍ଣ ବସ୍ତ୍ର ସହ ଜଳରେ ପ୍ରବେଶ କରି ଶୁଦ୍ଧ ହେବା ଉଚିତ।"

ଏହି ଶ୍ଲୋକ "ଯତିଧର୍ମ-ସଂଗ୍ରହ" ନାମକ ଗ୍ରନ୍ଥରେ ପ୍ରାପ୍ତ ଅଟେ। ଏହା ସନ୍ନ୍ୟାସ ଅନୁଶାସନ ବିଷୟକ ଏକ ଗ୍ରନ୍ଥ । ଏହି ଶ୍ଳୋକଟି ଆନନ୍ଦଆଶ୍ରମ ଦ୍ୱାରା ପ୍ରକାଶିତ ଏହି ପୁସ୍ତକର ୧୧୬ ପୃଷ୍ଠାରେ, ପଦ୍ମ ପୁରାଣରୁ ଉଦ୍ଧୃତ ରୂପେ ସଂକେତିତ।

ପ୍ରସଙ୍ଗ ଅନୁସାରେ, ଏହି ଶ୍ଲୋକ ସନ୍ନ୍ୟାସୀଙ୍କ ଭୋଜନ ଅନୁଶାସନ ବିଷୟରେ କହିଛି ଏବଂ ମଠର ଅନ୍ନ ଓ ମଠାଧୀଶଙ୍କୁ ଅପବିତ୍ର ଭାବରେ ତ୍ୟାଜ୍ୟ ବୋଲି ଘୋଷଣା କରିଛି।

ଶ୍ଳୋକର ଅର୍ଥ ହେଲା:
ମଠର ଅନ୍ନ ସନ୍ନ୍ୟାସୀଙ୍କ ପାଇଁ ନିଷିଦ୍ଧ। ଯଦି ଅତ୍ୟନ୍ତ କ୍ଷୁଧାର୍ତ୍ତ ଅବସ୍ଥାରେ ଅନ୍ୟ ଉପାୟ ନ ଥାଇ କୌଣସି ସନ୍ନ୍ୟାସୀ ମଠର ଅନ୍ନ ଖାଇ ନିଏ, ତେବେ ତାକୁ ପ୍ରାୟଶ୍ଚିତ୍ତ ସ୍ୱରୂପ ଏକ ଚାନ୍ଦ୍ରାୟଣ ବ୍ରତ ଅବଶ୍ୟ କରିବାକୁ ହେବ। ଏବଂ ଯଦି ଭୁଲ୍‌ବଶତଃ ମଠାଧୀଶଙ୍କୁ ସ୍ପର୍ଶ କରି ଦିଏ, ବା ମଠାଧୀଶ ଆଦର ସହ ତାକୁ ସ୍ପର୍ଶ କରିଦିଏ, ତେବେ ମଧ୍ୟ ସେ ସନ୍ନ୍ୟାସୀ ଶୁଦ୍ଧି ନିମନ୍ତେ ବସ୍ତ୍ର ସହ ଜଳରେ ପ୍ରବେଶ କରିବା ଉଚିତ।

---

*ସମାଜରେ ଦୁଇଟି ବଡ଼ ଭ୍ରାନ୍ତି ରହିଛି:*

 ମନ୍ଦିରର ପ୍ରସାଦ ପରମ ପବିତ୍ର ହୋଇଥାଏ।
 ମଠାଧୀଶ ଉଚ୍ଚ କୋଟୀର ସନ୍ନ୍ୟାସୀ ହୋଇଥାନ୍ତି।

ଶାସ୍ତ୍ରୀୟ ବିଧି ବୁଝିବା ବିନା ଏହି ଭ୍ରାନ୍ତି ଦୂର ହୋଇ ପାରିବ ନାହିଁ।

ମଠ ମନ୍ଦିରର ମୁଖ୍ୟ ପୁଜାରୀଙ୍କୁ ଗୋସ୍ୱାଇଁ ବା ଗୋସ୍ୱାମୀ କୁହାଯାଏ — ସେମାନେ ଆରୂଢ଼ପତିତ ଅଟନ୍ତି। ଯେପରି ଦେବତାମାନେ ଶ୍ରେଷ୍ଠ, ତଥାପି ସେମାନଙ୍କ ବଡ଼ ଭାଇ ଭାବରେ ଅସୁରମାନେ ନିଜକୁ ଶ୍ରେଷ୍ଠ ମନେ କରନ୍ତି — ସେହିପରି ସମସ୍ତ ଆଶ୍ରମ ମଧ୍ୟରେ ସନ୍ନ୍ୟାସ ଆଶ୍ରମ ଶ୍ରେଷ୍ଠ; ଏବଂ ଯେଉଁମାନେ ନିଜକୁ ସନ୍ନ୍ୟାସୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ଭାବନ୍ତି ସେମାନେ ହେଉଛନ୍ତି ଗୋସାଇଁ ବା ଗୋସ୍ୱାମୀ (ଆରୂଢ଼ପତିତ)। ଆଜିକାଲି ଏମାନଙ୍କୁ ସମ୍ପ୍ରଦାୟାଚାର୍ଯ୍ୟ, ମହନ୍ତ, ମଣ୍ଡଳେଶ୍ୱର, ଅଧିକାରୀ, ପୂଜାରୀ ଓ ମହାମଣ୍ଡଳେଶ୍ୱର ଆଦି ନାମରେ ଡାକାଯାଏ।

*ସେମାନଙ୍କ ପତନର ତିନୋଟି କାରଣ:*

ପରିଗ୍ରହ — ମଠ ପରିଚାଳନା ନିମନ୍ତେ ଉଚିତ ବା ଅନୁଚିତ ଉପାୟରେ ଧନ ସମ୍ପଦ ସଙ୍ଗ୍ରହ, ଯାହା ସନ୍ନ୍ୟାସ ଧର୍ମର ବିରୋଧୀ।

ପଙ୍କ୍ତିଭେଦ — ଅନ୍ୟ ସନ୍ନ୍ୟାସୀଙ୍କ ଠାରୁ ଉଚ୍ଚ ଆସନରେ ବସିବା ଓ ଅଲଗା ଭୋଜନ କରିବା — ଏକ ଆସୁରିକ ପାପ।

ଲୋକଯାଜିତା— ସାମାଜିକ ଖ୍ୟାତି ଓ ପ୍ରଭୁତ୍ୱ ନିମନ୍ତେ ଅନୁଷ୍ଠାନ ପରିଚାଳନା।

---

କେହି ପ୍ରଶ୍ନ କରିପାରନ୍ତି: ଯେପରି ଇନ୍ଦ୍ର ଓ ବୃହସ୍ପତିଙ୍କ ଉଚ୍ଚ ଆସନ ଓ ଶ୍ରେଷ୍ଠ ଭୋଗ ମାନ୍ୟ, ସେହିପରି ମଠାଧୀଶଙ୍କ ବିଶେଷ ମର୍ଯ୍ୟାଦା କାହିଁକି ଗ୍ରାହ୍ୟ ନୁହେଁ?

ଉତ୍ତର ହେଲା: ଦେବତାମାନଙ୍କ ଉଚ୍ଚ ସ୍ଥାନ ଓ ଭୋଗ ବିଭାଗ ଅସନ୍ନ୍ୟାସ ପ୍ରସଙ୍ଗ ରେ ଅଛି। ସନ୍ନ୍ୟାସରେ ଗୁରୁ ମଧ୍ୟ — ନମସ୍ୟ ହୋଇଥାଇ — ତାଙ୍କ ସନ୍ନ୍ୟାସୀ ଶିଷ୍ୟଙ୍କ ସମକକ୍ଷ ହିଁ ଅଟନ୍ତି। ଆସନ ବା ଭୋଜନରେ ଭେଦ ତାଙ୍କ ପାଇଁ ମଧ୍ୟ ବୈଧ ନୁହେଁ। ପରିଗ୍ରହ ତ ସନ୍ନ୍ୟାସର କୌଣସି ଭୂମିରେ ବୈଧ ହୋଇ ନ ଥାଏ।

---

*ମନ୍ଦିରର ଭୋଗ ବିଷୟରେ* ସଙ୍କ୍ଷେପରେ କହିଲେ — ଭୋଗ ଲଗାଇ ଦେଲା ମାତ୍ରେ ଅନ୍ନ ପବିତ୍ର ହୋଇ ଯାଏ ନାହିଁ। ବିଧିପୂର୍ବକ ଭୋଗ ଲଗାଗଲେ ହିଁ ତାହା ପ୍ରସାଦ ହୋଇ ପାରିବ।

*ଲୁଣ ଓ ଲଙ୍କା* ମିଶ୍ରିତ ଅନ୍ନ ବଳିବୈଶ୍ୱଦେବ ନିମନ୍ତେ ମଧ୍ୟ ଯୋଗ୍ୟ ନୁହେଁ, ଦେବ ପ୍ରସାଦ ହେବା ତ ଦୂରର କଥା। ଜଗନ୍ନାଥ ମହାପ୍ରଭୁଙ୍କ ଭୋଗରେ କୌଣସି ଅନ୍ନ ବା ବ୍ୟଞ୍ଜନରେ ଲୁଣ, ଲଙ୍କା ବା ଛୁଙ୍କ ପଡ଼େ ନାହିଁ। ଆରୂଢ଼ପତିତ ଲୋକ ନିଜ ତୃପ୍ତି ଅନୁସାରେ କିଛି ମଧ୍ୟ କରିପାରନ୍ତି, ଯେଉଁ ପ୍ରକାରେ ଯାହା ମଧ୍ୟ ରାନ୍ଧି ପାରନ୍ତି, ଓ ଭୋଗ ଲାଗିଥିବା ହେତୁ ତାହା ପବିତ୍ର ବୋଲି ଘୋଷଣା କରନ୍ତି। ଏହା ଧର୍ମ ବିପରୀତ ଅଟେ।

ଯେପରି ସମାନ ଦେବତାଙ୍କ ବାମମାର୍ଗୀ ପ୍ରସାଦ ଦକ୍ଷିଣାଚାରୀ ପାଇଁ ଅମେଧ୍ୟ — ସେହିପରି ସନ୍ନ୍ୟାସ-ଆଶ୍ରମ-ନିଷ୍ଠ-ବ୍ୟକ୍ତି ପାଇଁ ମଠର ଅନ୍ନ ଚାଣ୍ଡାଳର ଅନ୍ନ ସଦୃଶ ଅମେଧ୍ୟ ଅଟେ।