ମୁହୂର୍ତ୍ତ

ମୁହୂର୍ତ୍ତକୁ ଅଧିକ ବ୍ୟାପକ ପରିଧିରେ ବୁଝିବା ଆବଶ୍ୟକ। କୌଣସି ପାଞ୍ଜି ବା ସର୍ବଜ୍ଞମନ୍ୟ ଜ୍ୟୋତିଷ ଠାରୁ କାର୍ଯ୍ୟାରମ୍ଭର ଏକ ନିର୍ଦିଷ୍ଟ ସମୟ ନିର୍ଣ୍ଣୟ କରିବା ମୁହୂର୍ତ୍ତ ଜ୍ଞାନର ଛଳନା । ଅବିବେକ ନିକଟରେ ଏକ ଅକ୍ଷମ୍ୟ ଆତ୍ମସମର୍ପଣ। ଅଥବା ସାମାନ୍ୟ ଅନୁକୂଳତା ଦେଖି ନିଜ ମନୋଲକ୍ଷିତ କାର୍ଯ୍ୟଟି ଆରମ୍ଭ କରିବା ପାଇଁ ତତ୍କାଳକୁ ହିଁ ମୁହୂର୍ତ୍ତ ଭାବେ ବରଣ କରିବା ଅପାରଦର୍ଶିତା ଅଟେ।

ମୁହୂର୍ତ୍ତ ଏକ ସାଧାରଣ ଅଭିଷ୍ଟ କାଳଖଣ୍ଡ ନୁହେଁ। କର୍ତ୍ତାର କାର୍ଯ୍ୟପୂର୍ବଭୂମି ଉତ୍ତମ ନଥିଲେ, କୌଣସି ନିର୍ଦ୍ଧାରିତ ସମୟ
କାର୍ଯ୍ୟର ଫଳୋନ୍ମୁଖୀ ନିୟତିକୁ ସ୍ଥିର କରିପାରେ ନାହିଁ। ବିରୋଧ ପ୍ରତିଘାତକୁ ଦୂରାଇବାର ସାମର୍ଥ୍ୟ ଅଥବା ପ୍ରତିବନ୍ଧକର ଉପେକ୍ଷାର ବଳ ଦୃଢ଼ ନ ହବା ଯାଏ କେବକ ସାଧନ ସମ୍ପନ୍ନତା ମାତ୍ରରେ କାର୍ଯ୍ୟାରମ୍ଭ ସଂକଳ୍ପ କାଳ ମୁହୂର୍ତ୍ତ ହୁଏ ନାହିଁ। କାର୍ଯ୍ୟ ସମ୍ବନ୍ଧୀ ସମସ୍ତ ଅସମ୍ଭାବିତ ଭବିଷ୍ୟତ ପ୍ରତି ତୀକ୍ଷ୍ଣ ଦୃଷ୍ଟି ମଧ୍ୟ ମୁହୂର୍ତ୍ତରେ ସଂଘଟିତ ଅଟେ। ମୁହୂର୍ତ୍ତ ସାମାନ୍ୟ ସମୟ ଭଳି କେବଳ ଅଗ୍ରଗତିପ୍ରବଣତା ଯୁକ୍ତ ନୁହେଁ। ତାହା ପୁଣି ମୂଳ ସ୍ଥାନକୁ ଫେରି ଆସିବାର ସାମର୍ଥ୍ୟଯୁକ୍ତ ହୋଇ ଥାଏ। ସେତେବେଳେ ଫଳାଫଳ ଜନ୍ୟ ଉଦ୍ବେଗ ବା ନିରାଶା କାର୍ଯ୍ୟକ୍ଷେତ୍ରରୁ କର୍ତ୍ତାକୁ ଛାଟି ଫୋପାଡ଼ି ଦେଇ ପାରେ ନାହିଁ। ମୁହୂର୍ତ୍ତ କେବଳ ଗ୍ରହ, ଯୋଗ, ଲଗ୍ନ, କରଣରେ ସୀମିତ ନୁହେଁ। ତାହା କର୍ତ୍ତବ୍ୟପ୍ରତି କର୍ତ୍ତାର କାଳାତୀତ ଦୃଷ୍ଟି ଓ ମୃତ୍ୟୁ ଠାରୁ ଲବ୍ଧ ଦୃଢ଼ ସଂକଳ୍ପଯୁକ୍ତ ଅଟେ।