ଯତି-ଜାତି

ଜାତିହୀନ-ଯତିଙ୍କର ବିଭିନ୍ନ ପ୍ରଜାତି।
ଜଟିଳ-ମୁଣ୍ଡ, ମୁଣ୍ଡିତ, ନାନାବେଶ-ପନ୍ତି।।୧

ପରିବାର-ପରିତ୍ୟକ୍ତ ପରିବାର-ରକ୍ତ,
ଈଶ୍ୱରତା-ମନ୍ୟ ପର-ଐଶ୍ୱର୍ଯ୍ୟାନୁରକ୍ତ।।୨

ଅକୃତ-ସୁକୃତ ଅନ୍ୟ-ସୁକୃତ-ଦେଶିକ
ପରହିତ-ପରିତ୍ୟକ୍ତ ପରିହିତ-ବେଶ।।୩

ଅକାମବେଶସର୍ବସ୍ୱ କାମନାବିବଶ,
ଭିକ୍ଷୁବୃତ୍ତି-ପରିତ୍ୟାଗୀ ତ୍ୟାଗୀ-ଭିକ୍ଷାବଶ।।୪

ହରଧ୍ୟାନବିରହିତ ପରଧନ-ହର।
ବିଗତସ୍ଵଜାତିବୃତ୍ତି ଯତିଜାତିଚର।।୫

ମୁଣ୍ଡିତ-ମଣ୍ଡଳେଶ୍ୱର ତ୍ରିଦଣ୍ଡୈକଦାଣ୍ଡୀ
ଭଣ୍ଡାରା ଅଣ୍ଡାଳି ବୁଲେ ସ୍ବଧର୍ମକୁ ଭଣ୍ଡି।।୬

ସହଜରେ ରୋଜଗାରେ ଅକୁତ ସମ୍ପତ୍ତି।
ମଠେ ଶଠପଣେ ଧରି ନିଅ ଯତି ଵୃତ୍ତି।।୭

ଅବଧୂତ ସବୁଦେଖି ରହିଛି ନିରବ।
ତଥାପି ଏ ଶବ୍ଦଗଣ କରୁଛନ୍ତି ରବ।।୮