ଈଶ୍ୱର ସର୍ବଜ୍ଞ ଓ ସର୍ବକାର୍ତ୍ତା । ତେବେ ଜଗତରେ ଯେଉଁ ସବୁ ବୈଷମ୍ୟ ପରିଲକ୍ଷିତ ହେଉଛି ସେଥିପାଇଁ ଈଶ୍ୱର ଦାୟୀ ରହିବେ ନାହିଁ କାହିଁକି? ଏହା ନାସ୍ତିକଙ୍କର ଈଶ୍ବରଙ୍କ ପ୍ରତି ଆକ୍ଷେପ କିନ୍ତୁ ଆସ୍ତିକ ମାନଙ୍କ ପାଇଁ ମଧ୍ୟ ଏକ ପ୍ରଶ୍ନ। ଜଣେ ଧନୀ, ସ୍ଵସ୍ଥ ଓ ଜ୍ଞାନବାନ କିନ୍ତୁ ଅନ୍ୟଜଣେ ଦରିଦ୍ର, ରୋଗୀ ଓ ମୂର୍ଖ କାହିଁକି? ଏହି ବୈଷମ୍ୟର ସମ୍ପାଦକ ଈଶ୍ୱର ଏଥିପାଇଁ ଦୋଷୀ ନୁହନ୍ତି କି?
ବସ୍ତୁତଃ ଈଶ୍ୱର ସ୍ରଷ୍ଟା ହୋଇ ମଧ୍ୟ ସୃଷ୍ଟିର ବୈଷମ୍ୟ ପାଇଁ ଦାୟୀ ନୁହନ୍ତି। ଏହାର କାରଣ ହେଲା ସେ ସୃଷ୍ଟିର ଯାବତୀୟ କାର୍ଯ୍ୟର ଫଳଇଚ୍ଛା କରନ୍ତି ନାହିଁ ଓ ସେସବୁ ଫଳର ଭୋଗ ମଧ୍ୟ କରନ୍ତି ନାହିଁ। ସୃଷ୍ଟିଉତ୍ପାଦକ ସମଷ୍ଟି କର୍ମ ବା ବ୍ୟଷ୍ଟି କର୍ମ ଜୀବ ମାନଙ୍କ ଠାରେ ନିହିତ। ଜୀବମାନଙ୍କ ପ୍ରବୃତ୍ତି ଫଳ ପାଇଁ ଅଟେ ଓ ସେ ସବୁ ଶୁଭ ଓ ଅଶୁଭ ଫଳର ଭୋକ୍ତା ମଧ୍ୟ ଜୀବ ହିଁ ଅଟନ୍ତି।
ବିଭିନ୍ନ ପୂର୍ବକର୍ମ ଓ ବାସନା ହିଁ ଜନ୍ମକୁ ନିର୍ଦ୍ଧାରିତ କରେ। ସମସ୍ତ ଭୋକ୍ତା ବର୍ଗର ସେହି କର୍ମ ଓ ବାସନାର ସମଷ୍ଟି ଅନୁସାରେ ବିଷୟର ସୃଷ୍ଟି ହୋଇ ଥାଏ। ଈଶ୍ୱର ଯଦ୍ୟପି ସମସ୍ତ ବିଶ୍ବର ଅଭିନ୍ନ ନିମିତ୍ତ ଓ ଉପାଦାନ କାରଣ ଅଟନ୍ତି ତଥାପି ଭୋକ୍ତା ସ୍ଵକୀୟ କର୍ମ ଓ ବାସନା ମୁତାବକ ଫଳ ପାଇ ଥାଏ। ଏଠାରେ ଆମେ ଈଶ୍ବରଙ୍କୁ ବିଜ୍ଞାନର non-newtonian fluid ସହିତ ତୁଳନା କରି ପାରିବା। ଏହି ପଦାର୍ଥଟି ଉଭୟ ପ୍ରକାର ବ୍ୟବହାର କରେ। ଏକ ପାତ୍ରରେ ଏହାକୁ ରଖି ଯଦି ଜୋରରେ ଆଘାତ କରାଯାଏ ତେବେ ଏହା କଠିନ ପଦାର୍ଥ ଭଳି ବ୍ୟବହାର କରେ। ଯଦି ତାକୁ ଧୀରେ ସ୍ପର୍ଶ କରାଯାଏ ତେବେ ତାହା ତରଳ ପଦାର୍ଥ ପରି ବ୍ୟବହାର କରି ଥାଏ। ସେହି ପରି ବାସନା, ବିବେକ-ଅବିବେକ ଇତ୍ୟାଦି କର୍ମ ସହିତ ଜଡିତ ହୋଇ ବ୍ୟକ୍ତିକୁ ସୁଖ ବା ଦୁଃଖ ପ୍ରଦାନ କରନ୍ତି। ଧନ ପାଇଁ କେହି ସୁଖୀ, ପୁଣି ଧନ ପାଇଁ କେହି ମଧ୍ୟ ଦୁଖୀ। ପୁତ୍ରପାଇଁ କେହି ସୁଖୀ ପୁଣି ପୁତ୍ର ପାଇଁ କେହି ଦୁଃଖୀ। ଜଣେ କର୍ମଠ ଧାର୍ମିକ ପାଇଁ ବ୍ରହ୍ମଲୋକ ଅତ୍ୟନ୍ତ ଅଭିଷ୍ଟ ଓ ଅତିଶୟ ପ୍ରିୟ ଅଟେ । କିନ୍ତୁ ମୁମୁକ୍ଷୁ ପାଇଁ ପ୍ରାପ୍ତ ବ୍ରହ୍ମଲୋକ ମଧ୍ୟ ହେୟ ଅଟେ। କାରଣ ତାହା ମଧ୍ୟ ଅମୋକ୍ଷ ସ୍ଥାନ ଓ ଅଶାଶ୍ୱତ ଅଟେ। ଅତଃ ସୃଷ୍ଟିରେ ଘଟୁଥିବା ପ୍ରତ୍ୟେକ ଘଟଣାର ସାମାନ୍ୟ କାରଣ ଈଶ୍ୱର ହେଲେ ମଧ୍ୟ ଏହା ଘେନି ସୁଖ ଓ ଦୁଃଖର ଭୋଗ ଜୀବମାନେ ହିଁ କରନ୍ତି। କାରଣ ଏହି ବୈଷମ୍ୟ ବାସନା, ବିବେକ ଓ ଅବିବେକ ତଥା ଫଳେଚ୍ଛା ସହିତ ଜଡିତ ; ଏସବୁ ଜୀବନିଷ୍ଠ ଅଟେ।