ମୃତ୍ୟୁନିକଟରେ ସ୍ୱତଃ-ସମର୍ପିତ
ହୋଇ ଯେ ସନ୍ନ୍ୟାସେ ଯାଏ। ମୂଢମଠାଧୀଶ-ଚରଣ-ବନ୍ଦନା
ବିନା କି ମୋକ୍ଷ ନପାଏ।।୧
ମଠପତିଙ୍କର ଶଠଯତିବୃତ୍ତି
ସନ୍ନ୍ୟାସ-ବିଧି-ତର୍ଜିତ।
ତେଣୁ ମଠପତି ଆରୂଢ଼ପତିତ
ସଂଜ୍ଞା କରନ୍ତି ଅର୍ଜିତ।।୨
ବିଧିବିନା ସିଦ୍ଧି ସମ୍ଭବ ନହୁଏ
ତେଣୁ ଏ ଅନ୍ୟଥା ସିଦ୍ଧ।
ଲୋକଗଳ୍ପେ ଯଥା ବ୍ୟାଘ୍ରଚର୍ମଧାରୀ
ବାର୍ଦ୍ଧକ୍ୟ-ପୀଡିତ ଗଧ।।୩
ସନ୍ନ୍ୟାସୀ ଠାରୁ ଯେ ଅଧିକ ପୂଜ୍ୟତ୍ବ
ସ୍ୱକୀୟ ମତିରେ ଧରେ।
ଆରୂଢ଼ପତିତ ଶବ୍ଦରେ ବେଦ ହିଁ
ତାର ତିରସ୍କାର କରେ।।୪
ପଙ୍କ୍ତିଭେଦକାରୀ ପରିଗ୍ରହ ଧରି
ବେଦେ ଅପାଙ୍ତେୟ ଯିଏ।
ତା' ଉଦ୍ଧାର ପାଇଁ ପଥ ନିର୍ଣ୍ଣୟକୁ
ଏହି ଅବଧୂତ କିଏ! ।।୫